ଭୁବନେଶ୍ୱର: ବିଭ୍ରାନ୍ତିକର ଦର୍ଶାଇ ଓଡ଼ିଶାର ପିଟିସନ୍‌ ଖାରଜ କରିବା ଲାଗି ଆନ୍ଧ୍ରପ୍ରଦେଶ ଅନ୍ତର୍ଗତ ବିଜୟନଗରମ୍‌ ଜିଲ୍ଲାପାଳ ସୁପ୍ରିମ୍‌ କୋର୍ଟରେ ଏକ ସତ୍ୟପାଠ ଦାଖଲ କରିଛନ୍ତି।

Advertisment

ଏଥିରେ ଜିଲ୍ଲାପାଳ ମୁଡ଼େ ହରି ଜବାହରଲାଲ୍‌ କହିଛନ୍ତି ଯେ, ଆନ୍ଧ୍ରପ୍ରଦେଶ କୌଣସି ପ୍ରକାର ଅଦାଲତ ଅବମାନନା କରି ନାହିଁ। ୨୦୦୬ରେ ମାନ୍ୟବର ଅଦାଲତ ଯାହା ଖାରଜ କରିଥିଲେ, ତାହାକୁ ପ୍ରତ୍ୟକ୍ଷ ଭାବେ ହାସଲ କରି ନ ପାରି ପରୋକ୍ଷରେ ହାସଲ କରିବା ଲାଗି ଏବକାର ଆବେଦନକରୀ ଚାହୁଁଛନ୍ତି। ୨୦୦୬ ରାୟରେ ଓଡ଼ିଶା ରାଜ୍ୟ ଦାଏର କରିଥିବା ମାମଲାକୁ ଖାରଜ କରି ଅଦାଲତ କହିଥିଲେ ଯେ, ଭାରତ ସମ୍ବିଧାନର ଧାରା ୧୩୧ ଅନୁସାରେ ଏହା ଗ୍ରହଣୀୟ ନୁହେଁ। ଏହାପରେ ଉଭୟ ପକ୍ଷ ଏକ ରାଜିନାମା କରିଛନ୍ତି ବୋଲି ବିବୃତିରେ କହିଥିଲେ। ଏବଂ ମାନ୍ୟବର ଅଦାଲତ ତାହା ରେକର୍ଡ କରିଥିଲେ। ତେଣୁ, ଏ ସଂକ୍ରାନ୍ତରେ ଅଦାଲତ କୌଣସି ନିର୍ଦେଶ ଦେଇ ନ ଥିବାରୁ ଅଦାଲତ ଅବମାନନାର ପ୍ରଶ୍ନ ଉଠୁନାହିଁ।

ଏହା ବ୍ୟତିରେକେ, ଆନ୍ଧ୍ରପ୍ରଦେଶ ରାଜିନାମା ଉଲ୍ଲଂଘନ କରି ଆବେଦନକାରୀ ଓଡ଼ିଶାର ରାଜ୍ୟର କୌଣସି ଅଞ୍ଚଳକୁ ଅକ୍ତିଆର କରିନାହିଁ। ୧୯୫୨ ମସିହାରୁ ଆନ୍ଧ୍ରପ୍ରଦେଶ କୋଟିଆ ପଞ୍ଚାୟତର ଗଞ୍ଜୟବଦ୍ରା, ପଟ୍ଟୁଚେନ୍ନୁରୁ ଏବଂ ପଗୁଲୁଚେନ୍ନୁରୁ। ଉପରୋକ୍ତ ଗ୍ରାମଗୁଡ଼ିକ ସମ୍ପ୍ରତି ଆରାକୁ ସଂସଦୀୟ ନିର୍ବାଚନ ମଣ୍ଡଳୀ (ଲୋକସଭା)ର ୧ ନମ୍ବରରେ ଏବଂ ସାଲୁରୁ ବିଧାନସଭା ନିର୍ବାଚନର ୧୩ ନମ୍ବରରେ ଅନ୍ତର୍ଭୁକ୍ତ।

ସେହିଭଳି, ପଞ୍ଚାୟତ ରାଜ ନିର୍ବାଚନ ପ୍ରଚଳନ ହେବା ଦିନ ଠାରୁ ଏହି ତିନୋଟି ଗ୍ରାମରେ ଆନ୍ଧ୍ରପ୍ରଦେଶ ପଞ୍ଚାୟତ ନିର୍ବାଚନ କରାଇ ଆସୁଛି। ସତ୍ୟପାଠ ସହ ଜିଲ୍ଲାପାଳ ୨୦୦୬ ଏବଂ ୨୦୧୩ ରେ ଅନୁଷ୍ଠିତ ନିର୍ବାଚନର ଫଳାଫଳ ଓ ଅନ୍ୟାନ୍ୟ ଦଲିଲ ମଧ୍ୟ ଦାଖଲ କରି ଏହି ଗ୍ରାମ ସବୁ ଆନ୍ଧ୍ରପ୍ରଦେଶ ଜିଲ୍ଲାର ବୋଲି ସେ ସ୍ପଷ୍ଟ କରିବାକୁ ଚାହିଁଛନ୍ତି।