ସ୍ମିତାରାଣୀଙ୍କ ସନ୍ଦେହଜନକ ମୃତ୍ୟୁ : ଜେଲ୍ ଗଲେ ସରପଞ୍ଚଙ୍କ ସ୍ୱାମୀ
ସ୍ମିତାରାଣୀଙ୍କ ସହିତ ରୂପେଶଙ୍କର ସଂପର୍କ ଥିଲା: ପୁଲିସ, ସିବିଆଇ ତଦନ୍ତ ଦାବିରେ ବିଜେପିର ୧୨ ଘଣ୍ଟିଆ ବନ୍ଦ ଡାକରା, ରାଜନୀତି କରାନଯାଉ: ବିଜେଡି
ଯାଜପୁର/ଧର୍ମଶାଳା/ଚଢେଇଧରା : ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍ ହରିଦାସପୁର ପଞ୍ଚାୟତ ପିଇଓ(ଭିଏଲ୍ଡବ୍ଲୁ) ସ୍ମିତାରାଣୀ ବିଶ୍ବାଳ(୩୪)ଙ୍କର ସନ୍ଦେହଜନକ ମୃତ୍ୟୁ ଘଟଣାରେ ସରପଞ୍ଚ ମଧୁସ୍ମିତା ଭଦ୍ରଙ୍କ ସ୍ବାମୀ ରୂପେଶ ଭଦ୍ରଙ୍କୁ ପୁଲିସ ଆଜି ଗିରଫ କରିଛି। ସ୍ମିତାରାଣୀଙ୍କୁ ଆତ୍ମହତ୍ୟା କରିବା ପାଇଁ ପ୍ରବର୍ତାଇଥିବା ଅଭିଯୋଗରେ (ଦଫା ୩୦୬) ଗେଷ୍ଟ ହାଉସ ମାଲିକ ରୂପେଶଙ୍କୁ ଗିରଫ କରାଯାଇଛି ବୋଲି ଏସ୍ପି ଚରଣ ସିଂ ମୀନା ପ୍ରକାଶ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇ ଏସ୍ପି ଶ୍ରୀ ମୀନା କହିଛନ୍ତି , ସ୍ମିତାରାଣୀ ଓ ସରପଞ୍ଚଙ୍କ ସ୍ବାମୀ ରୂପେଶଙ୍କ ମଧ୍ୟରେ ନିବିଡ଼ ସମ୍ପର୍କ ଥିଲା। ପରେ ସେମାନଙ୍କ ମଧ୍ୟରେ ବିବାଦ ଦେଖା ଦେଇଥିଲା। ୧୬ ତାରିଖରେ ଉଭୟଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା। ସେଥିରେ ପ୍ରତିକ୍ରିୟାଶୀଳ ହୋଇ ସ୍ମିତାରାଣୀ ମଧ୍ୟାହ୍ନରେ ରୂପେଶଙ୍କ ଗେଷ୍ଟ ହାଉସରେ ଆତ୍ମହତ୍ୟା କରିଥିଲେ। ଏହି ଆତ୍ମହତ୍ୟା ପାଇଁ ରୂପେଶ ମଧ୍ୟ ତାଙ୍କୁ ପ୍ରବର୍ତାଇଥିଲେ। ଏଭଳି କିଛି ତଥ୍ୟକୁ ଭିତ୍ତି କରି ରୂପେଶଙ୍କୁ ଗିରଫ କରାଯାଇଛି ବୋଲି ଶ୍ରୀ ମୀନା କହିଛନ୍ତି।
ଗିରଫ ପରେ ରୂପେଶକୁ ପୁଲିସ ଚଣ୍ଡିଖୋଲ ଜେଏମ୍ଏଫ୍ସି କୋର୍ଟରେ ହାଜର କରାଇଥିଲା। ସେଠାରେ ତାଙ୍କ ଜାମିନ ନାମଞ୍ଜୁର େହାଇଯିବାରୁ ତାଙ୍କୁ ରଗଡ଼ି ଜେଲ ହାଜତକୁୁ ପଠାଇ ଦିଆଯାଇଛି। ପୁଲିସ ଅନୁସନ୍ଧାନ ଜାରି ରହିଛି ବୋଲି ଏସ୍ପି ପ୍ରକାଶ କରିଛନ୍ତି।
ତେବେ ପୁଲିସର ଏଭଳି ବୟାନକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ପୀଡ଼ିତାକୁ ପୁଲିସ ନ୍ୟାୟ ଦେବା ବଦଳରେ ତାଙ୍କର ଚରିତ୍ର ସଂହାର କରିଛି। ଅଭିଯୁକ୍ତ ସରପଞ୍ଚ ସ୍ବାମୀ ରୂପେଶ ବୟାନକୁ ଭିତ୍ତି କରି ପୁଲିସ ଏକପାଖିଆ ଦଦନ୍ତ ରିପୋର୍ଟ ଦେଇଛି। ଏଭଳି ସାଂଘାତିକ ଅଭିଯୋଗ ଆଣି ବିଜେପି ମଧ୍ୟ ଆଜି ସଂଧ୍ୟାରେ ସାମ୍ବାଦିକ ସମ୍ମିଳନୀ କରିଛି। ବିଜେପିର ବରିଷ୍ଠ ନେତୃବୃନ୍ଦ କହିଥିଲେ ଯେ ପୀଡ଼ିତାର ଚରିତ୍ର ସଂହାର କରିବାକୁ ମଧ୍ୟ ପଛେଇ ନାହିଁ ପୁଲିସ। ଅଭିଯୁକ୍ତମାନଙ୍କ ବୟାନକୁ ନେଇ ପୁଲିସ ଏକପାଖିଆ ତଦନ୍ତ କରିଛି। ସିସି କ୍ୟାମେରା ଫୁଟେଜ କାହିଁକି ଅପରାଧୀମାନେ ଉଡାଇ ଦେଲେ? ସରକାରୀ ଜମିରେ ଗେଷ୍ଟ ହାଉସ ନାମରେ ସରପଞ୍ଚ ସ୍ବାମୀ ରୂପେଶଙ୍କ ରଙ୍ଗଶାଳାର ସବିଶେଷ ତଥ୍ୟ ୪ଦିନ ହେଲା ପୁଲିସ ସଂଗ୍ରହ କରିପାରିଲା ନାହିଁ କାହିଁକି? ସରକାରୀ ଜମିରେ ବିଜେଡି ପଞ୍ଚାୟତ କାର୍ଯ୍ୟାଳୟର କାମ ଏହି ରଙ୍ଗଶାଳା କିପରି ଚାଲିଛି? ଘଟଣାର ସଠିକ୍ ତଦନ୍ତ କରି ପୀଡ଼ିତା ପରିବାରକୁ ନ୍ୟାୟ ପ୍ରଦାନ କରିବା ସହିତ ଅପରାଧୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ବିଜେପି ଦାବି କରିଛି। ଆସନ୍ତା ସୋମବାର ସିବିଆଇ ତଦନ୍ତ ଦାବି କରି ବିଜେପି ୧୨ଘଣ୍ଟିଆ ଯାଜପୁର ଜିଲ୍ଲା ବନ୍ଦ ଡାକରା ଦେଇଛି। ସାମ୍ବାଦିକ ସମ୍ମିଳନୀରେ ବିଜେପି ଜିଲ୍ଲା ସଭାପତି ଗୌତମ ରାୟ, ସାଧାରଣ ସମ୍ପାଦକ ସର୍ବେଶ୍ବର ବେହୁରା, ସୁଦୀପ୍ତ ପରିଡ଼ା, ବିଶ୍ବଜିତ ନାୟକ, ବିଶ୍ବରଞ୍ଜନ ମଲ୍ଲିକ, ଅମର ନାୟକ, ବବିତା ମଲିକ, ଅମୀୟ ମଲିକ, ତୁଷାର ପରିଡ଼ା ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ମତ ରଖିଥିଲେ।
ଅନ୍ୟପଟେ ପୁଲିସର ତଦନ୍ତ ଏବଂ ସାମ୍ବାଦିକମାନଙ୍କୁ ଦେଇଥିବା ବୟାନକୁ ନେଇ ପରିବାର ଲୋକେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏହାର ସିବିଆଇ ତଦନ୍ତ ଦାବି କରିଛନ୍ତି ତାଙ୍କ ସ୍ବାମୀ ଇଂଜିନିୟର ସୁଶୀଲ ବିଶ୍ବାଳ। ସେ କହିଛନ୍ତି ଯେ ତାଙ୍କ ପତ୍ନୀ କୌଣସି ପରିସ୍ଥିତିରେ ଆତ୍ମହତ୍ୟା କରିପାରିବ ନାହିଁ। ଏହା ଏକ ସୁକଳ୍ପିତ ହତ୍ୟାକାଣ୍ଡ। ଷଡ଼ଯନ୍ତ୍ର କରି ତାଙ୍କୁ ହତ୍ୟା କରାଯାଇଛି ବୋଲି ସେ କହିବା ସହିତ ସିବିଆଇ ତଦନ୍ତ ଦାବି କରିଛି। ଅନୁରୂପ ଭାବେ ସ୍ମିତାରାଣୀଙ୍କ ନିକଟରେ ରହୁଥିବା ତାଙ୍କ ବାପା ସଦାନନ୍ଦ ବିଶ୍ବାଳ ମଧ୍ୟ ସିବିଆଇ ତଦନ୍ତ ଦାବି କରିଛନ୍ତି।
ବିରୋଧୀ ରାଜନୀତି ନ କରନ୍ତୁ : ବିଜେଡି
ଭୁବନେଶ୍ବର : ଭିଏଲ୍ଡବ୍ଲ୍ୟୁ ସ୍ମିତାରାଣୀ ବିଶ୍ବାଳଙ୍କ ମୃତ୍ୟୁକୁ ନେଇ ବିଜେପି ଓ କଂଗ୍ରେସର ଆରୋପକୁ ସମାଲୋଚନା କରିଛି ବିଜେଡି। ଦଳର ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, ଏହା ଏକ ସ୍ପର୍ଶକାତର ଓ ସମ୍ବେଦନଶୀଳ ପ୍ରସଙ୍ଗ। ଏହାକୁ ନେଇ ଯେପରି ରାଜନୀତି କରାଯାଉଛି, ତାହା ଉଚିତ ନୁହେଁ। ପୁଲିସ ତାର ତଦନ୍ତ କରୁଛି। ପୁଲିସ ତଦନ୍ତର ନିର୍ଯ୍ୟାସ ଆସି ନ ଥିବା ବେଳେ ଏ ପ୍ରକାର ବୟାନବାଜି କରି ବକ୍ତବ୍ୟ ଦେବା ଠିକ୍ ନୁହେଁ। ବିରୋଧୀ ଦଳମାନେ ପୁଲିସର ତଦନ୍ତ ସରିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ଶ୍ରୀ ପାତ୍ର ପରାମର୍ଶ ଦେଇଛନ୍ତି।