ଭିଏଲ୍‌ଡବ୍ଲ୍ୟୁ ସ୍ମିତାରାଣୀ ବିଶ୍ୱାଳଙ୍କ ରହସ୍ୟଜନକ ମୃତ୍ୟୁ ଘଟଣା : ଗଣଦୁଷ୍କର୍ମ, ହତ୍ୟାର ଅଭିଯୋଗ ଆଣିଲା ବିଜେପି

ଭୁବନେଶ୍ବର : ଧର୍ମଶାଳା ବ୍ଲକ୍‌ ହରିଦାସପୁରର ଭିଏଲ୍‌ଡବ୍ଲ୍ୟୁ ସ୍ମିତାରାଣୀ ବିଶ୍ବାଳଙ୍କ ରହସ୍ୟଜନକ ମୃତ୍ୟୁକୁ ନେଇ ସରକାର ଓ ଶାସକ ଦଳକୁ ଘେରିଛି ବିଜେପି। ଏହି ଘଟଣାରେ ପୁଲିସ୍‌ର ତଦନ୍ତକୁ ସନ୍ଦେହ ଭିତରକୁ ଟାଣିବା ସହ ଗଣଦୁଷ୍କର୍ମ ଓ ହତ୍ୟାର ଅଭିଯୋଗ ଆଣିଛି ଦଳ। ଶାସକ ଦଳ ଚାପରେ ପୁଲିସ୍‌ ଅପରାଧୀଙ୍କ ପ୍ରତି କୋହଳ ‌ମନୋଭାବ ପୋଷଣ କରିଛି ବୋଲି ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ପୁଲିସ ଡିଜି ପ୍ରକାଶ ମିଶ୍ର ଅଭିଯୋଗ କରିଛନ୍ତି।

ଗତକାଲି ବିଜେପିର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ହରିଦାସପୁର ଗସ୍ତ କରି ଘଟଣାର ସରଜମିନ୍ ତଦନ୍ତ କରିଥିଲେ। ଆଜି ପୂର୍ବାହ୍ନରେ ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମିଶ୍ର କହିଥିଲେ, ଏ ପର୍ଯ୍ୟନ୍ତ ପୁଲିସ୍‌ ଘଟଣାର କୌଣସି ଅନୁସନ୍ଧାନ ନ କରି ଅଭିଯୁକ୍ତ ସରପଞ୍ଚଙ୍କ ସ୍ବାମୀ ରୂପେଶ ଭଦ୍ରଙ୍କ କହିବା ଅନୁଯାୟୀ ତଦନ୍ତ କରୁଛି। ସ୍ମିତାରାଣୀଙ୍କ ମୃତ୍ୟୁ ପରେ ହସ୍ପିଟାଲରେ ଯେତେବେଳେ ପୁଲିସ ଛାନଭିନ୍ କଲା, ସେତେବେଳେ ତାଙ୍କ ସ୍ବାମୀ କହିଲେ ଯେ ସେ ନିଜେ ଦେଖିଛନ୍ତି ତାଙ୍କ ଗୋଡ଼ରେ ଗୋଟିଏ ମୁଦି ନ ଥିଲା ଓ ତାଙ୍କ ଗୋଡ଼ରେ କ୍ଷତ ବା ନାଲି ଚିହ୍ନ ଦେଖିବାକୁ ମିଳିଥିଲା। କିନ୍ତୁ ଏହା ରିପୋର୍ଟରେ ଲେଖାଯାଇନି। ଯେଉଁ ଅତିଥି ଭବନରେ ଏହି ଘଟଣା ଘଟିଛି, ସେହି କୋଠାକୁ ପୁଲିସ୍‌ ସିଲ୍‌ କରି ନାହିଁ। ମରଶରୀର ବୁହା ହୋଇଥିବା ସ୍କର୍ପିଓ ଗାଡ଼ିକୁ ପୁଲିସ୍ ଜବତ କରି ନାହିଁ। ସେହି ଅତିଥି ଭବନରେ ମୃତ ସ୍ମିତାରଣୀଙ୍କ ସମେତ ଅଭିଯୁକ୍ତ ରୂପେଶ, ଦୁଇ ଜଣ ବିଜେଡି ସମିତି ସଭ୍ୟ, ଜଣେ ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଓ ରାମ୍‌କୋ ସିମେଣ୍ଟର ଉଚ୍ଚପଦସ୍ତ ଅଧିକାରୀ ଉପସ୍ଥିତ ଥିଲେ। ସେଦିନ ସେମାନେ ସେଠାରେ କ’ଣ କରୁଥିଲେ? ସ୍ମିତାରାଣୀଙ୍କୁ ସେଠାରେ ଗଣଦୁଷ୍କର୍ମ କରାଯାଇ ହତ୍ୟା କରାଯାଇଥିବା ପାରିପାର୍ଶ୍ବିକ ସ୍ଥିତିରୁ ଜଣାପଡ଼ିଛି। ତାଙ୍କ ପରିବାର ଓ ସ୍ବାମୀଙ୍କ କହିବା ଅନୁଯାୟୀ ସ୍ମିତାରାଣୀ କିଛି ଦିନ ହେଲା ବିବ୍ରତ ଥିଲେ ଓ ତାଙ୍କ ଉପରେ ବିଭିନ୍ନ ପ୍ରକାର ଚାପ ପଡ଼ୁଥିଲା। ସରକାରୀ ଯୋଜନାରେ ଅନିୟମିତତା କରିବା ପାଇଁ ତାଙ୍କୁ ବାଧ୍ୟ କରାଯାଉଥିଲା। ସ୍ମିତାରାଣୀଙ୍କ ପରିବାର ଲୋକ ତାଙ୍କୁ ହତ୍ୟା କରାଯାଇଥିବା କହୁଥିବା ବେଳେ ପୁଲିସ୍‌ ଅଭିଯୁକ୍ତ ଠିକାଦାର ରୂପେଶ ଭଦ୍ର କଥାରେ ପଡ଼ି ଏହାକୁ ଆତ୍ମହତ୍ୟା ରୂପ ଦେଇ ଆଇନ୍‌କୁ ବାଟବଣା କରି ଚାଲିଛି।

ବିଜେପି ପକ୍ଷରୁ ଆହୁରି କୁହାଯାଇଛି, ହରିଦାସପୁର ପଞ୍ଚାୟତ ଅଫିସ ବର୍ଷସାରା ବନ୍ଦ ଥାଏ। ସବୁ କାମ ସେହି ଅତିଥି ଭବନରେ ହୁଏ। ଆହୁରି ମଧ୍ୟ ହରିଦାସପୁର ଅଞ୍ଚଳରେ ନିର୍ମାଣାଧୀନ ରାମ୍‌କୋ ସିମେଣ୍ଟ୍‌ର ବରିଷ୍ଠ ଅଧିକାରୀ ଏହି ଅତିଥି ଭବନରେ ଆଡ଼ା ଜମାନ୍ତି। ସେଠାରେ ମଦ ବୋତଲ ପଡ଼ିଥିବା ଦେଖିବାକୁ ମିଳିଛି। ତେଣୁ ରାମ୍‌କୋର କିଏ ଓ କାହିଁକି ଏହି ଅତିଥି ଭବନକୁ ଆସିଥିଲେ, ତାହା ବି ତଦନ୍ତ ପରିସରଭୁକ୍ତ ହେବା ଉଚିତ। ସ୍ମିତାରାଣୀଙ୍କ ଗଣଦୁଷ୍କର୍ମ ପରେ ହତ୍ୟା କରାଯାଇଛି। ସବୁ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ସହ ଘଟଣାର ସିବିଆଇ ତଦନ୍ତ କରିବାକୁ ବିଜେପି ଦାବି କରିଛି। ଅଭିଯୁକ୍ତ ରୂପେଶ ଭଦ୍ର ଶାସକ ଦଳର ପ୍ରଭାବଶାଳୀ ମନ୍ତ୍ରୀ, ନେତାଙ୍କ ସହ ସମ୍ପର୍କରେ ଥିବାରୁ ତଦନ୍ତକୁ ପ୍ରଭାବିତ କରୁଛି ବୋଲି ବିଜେପି ଅଭିଯୋଗ କରିବା ସହ ସ୍ଥାନୀୟ ବିଧାୟକ ପ୍ରଣବ ବଳବନ୍ତରାୟ ଓ ମନ୍ତ୍ରୀ ଅରୁଣ ସାହୁଙ୍କ ସହ ରୂପେଶଙ୍କ ଫଟୋକୁ ସାମ୍ବାଦିକ ସମ୍ମିଳନୀ‌େର ପ୍ରଦର୍ଶନ କରାଯାଇଥିଲା। ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ, ପ୍ରଭାତି ପରିଡ଼ା, ଲେଖାଶ୍ରୀ ସାମନ୍ତସିଂହାର, ଅମର ନାୟକ, ବିଶ୍ବରଞ୍ଜନ ମଲ୍ଲିକ, ଅମୀୟ ମଲ୍ଲିକ, ଗୌତମ ରାୟ ଓ ପବିତ୍ର ମୋହନ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ଅଭିଯୁକ୍ତ ରୂପେଶ ଗିରଫ ହେବାର କିଛି ଘଣ୍ଟା ପରେ ବିଜେପି ପକ୍ଷରୁ ପୁଣି ଏକ ସାମ୍ବାଦିକ ସମ୍ମିଳନୀ ଡକାଯାଇ ଯାଜପୁର ଏସ୍‌ପିଙ୍କ ବୟାନକୁ କଡ଼ା ବିରୋଧ କରାଯାଇଥିଲା। ବିଜେପି ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଥିଲେ, ଏସ୍‌ପି ଜଣେ ଦାୟିତ୍ବସମ୍ପନ୍ନ ପୁଲିସ ଅଧିକାରୀ ହୋଇ ମଧ୍ୟ ସ୍ମିତାରାଣୀଙ୍କ ଚରିତ୍ର ସଂହାର କରିବାକୁ ପଛାଇଲେ ନାହିଁ। ସ୍ମିତାରାଣୀ ଆତ୍ମହତ୍ୟା କରିଛନ୍ତି ବୋଲି ଦୁଇ ଦିନ ‌େହଲା ରୂପେଶ ଯାହା କହୁଥିଲା ପୁଲିସ୍‌ ଆଜି ତାହା କହୁଛି। ଅଧପନ୍ତରିଆ ଭାବେ ତଦନ୍ତ କରି ଏସ୍‌ପି ଏପରି ବୟାନବାଜି କରିବା ଅତ୍ୟନ୍ତ ନିନ୍ଦନୀୟ। ଶାସକ ଦଳର ପ୍ରଭାବଶାଳୀ ଅପରାଧୀ ନେତାଙ୍କୁ ଖସାଇଦେବା ପାଇଁ ଯାଜପର ପୁଲିସ୍‌ ତଥ୍ୟପ୍ରମାଣ ନଷ୍ଟ ପାଇଁ ଅଣ୍ଟା ଭିଡ଼ିଛି ବୋଲି ଶ୍ରୀମତୀ ସାମନ୍ତସିଂହାର କହିଛନ୍ତି।

ସମ୍ବନ୍ଧିତ ଖବର