ସ୍ମିତାରାଣୀ ମୃତ୍ୟୁ ଘଟଣା: ଘେରିଲେ ବିରୋଧୀ, ଉଚ୍ଚସ୍ତରୀୟ ତଦନ୍ତ ଦାବି କଲା ବିଜେପି ଓ କଂଗ୍ରେସର ତଥ୍ୟ ଅନୁସନ୍ଧାନକାରୀ ଦଳ

ସ୍ମିତାରାଣୀଙ୍କ ସ୍ବାମୀ ଆଉ ଏକ ଏତଲା ଦେଲେ

ଧର୍ମଶାଳା/ ଚଢ଼େଇଧରା/ପାଣିକୋଇଲି : ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତର ଭିଏଲଡବ୍ଲ୍ୟୁ ସ୍ମିତାରାଣୀ ବିଶ୍ବାଳଙ୍କ ରହସ୍ୟଜନକ ମୃତ୍ୟୁକୁ ୨ଦିନ ବିତିଯାଇଥିଲେ ମଧ୍ୟ ପୁଲିସ ଘଟଣା ଉପରୁ ପରଦା ହଟାଇପାରିନି। ଏହି ଚାଞ୍ଚଲ୍ୟକର ଘଟଣାକୁ ନେଇ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି। ଉଭୟ ବିଜେପି ଏବଂ କଂଗ୍ରେସ ଘଟଣାର ନିରପେକ୍ଷ ଏବଂ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି। କଂଗ୍ରେସ ପକ୍ଷରୁ କ୍ୟାଣ୍ଡେଲ ଶୋଭାଯାତ୍ରା କରାଯାଇଛି।

ଆଜି ରାଜ୍ୟ ବିଜେପିର ତଥ୍ୟ ଅନୁସନ୍ଧାନକାରୀ ଦଳ ସ୍ମିତାରାଣୀଙ୍କ ଚୋରମୁହାଁ ଗ୍ରାମସ୍ଥିତ ବାପାଙ୍କ ଘରେ ପହଞ୍ଚି ପରିବାର ଲୋକଙ୍କ ସହିତ ଆଲୋଚନା କରିଥିଲେ। ଧାମନଗର ବିଧାୟକ ବିଷ୍ଣୁ ସେଠୀ, ପୂର୍ବତନ ପୁଲିସ ଡିଜି ପ୍ରକାଶ ମିଶ୍ର, ପୂର୍ବତନ ମନ୍ତ୍ରୀ ସୁରମା ପାଢୀ, ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡା, ମୁଖପାତ୍ର ଲେଖାଶ୍ରୀ ସାମନ୍ତସିଂହାର, ଜିଲ୍ଲା ସଭାପତି ଗୈାତମ ରାୟ, ପୂର୍ବତନ ସଭାପତି ପବିତ୍ର ମୋହନ ଦାଶ, ବିଜେପି ନେତା ଅମୀୟ ମଲିକ, ବିଶ୍ବରଂଜନ ମଲିକ, ଅମର ନାୟକ, ରମେଶ ଚନ୍ଦ୍ର ପରିଡା, ଅପର୍ଣ୍ଣା ଧୀର ସିଂ, ବବିତା ମଲିକ, ବିଜେପି ଜିଲ୍ଲା ସାଧାରଣ ସଂପାଦକ ସର୍ବେଶ୍ବର ବେହୁରା, ଈଶ୍ବର ଚନ୍ଦ୍ର ପ୍ରଧାନ, ମୋନାଲିସା ଦାଶ, ଅଞ୍ଜଳି ଘଡେଇ, ସାବିତ୍ରୀ ସାହୁ, ସିପ୍ରା ସାହୁ, ଗୁରୁଚରଣ ସେଠୀ ପ୍ରମୁଖ ଘଟଣାସ୍ଥଳକୁ ଯାଇ ସ୍ମିତାରାଣୀଙ୍କୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ ଉଠାଇବା ସହ ଏନେଇ ହରିଦାସପୁର ସରପଞ୍ଚଙ୍କ ସ୍ବାମୀଙ୍କୁ ଟାର୍ଗେଟ କରିଥିଲେ। ପରେ ବିଜେପି ଟିମ୍‌ ଯାଜପୁର ଏସ୍‌ପି ଚରଣ ସିଂ ମୀନାଙ୍କୁ ଭେଟି ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଥିଲେ।

ଘଟଣା ଦିନ ସରପଞ୍ଚଙ୍କ ସ୍ବାମୀ ରୂପେଶଙ୍କ ସହିତ ରାମକୋ କମ୍ପାନିର ଜଣେ ଅଧିକାରୀ ଓ ଅନ୍ୟ ଦୁଇ ସାଙ୍ଗ ଗେ‌ଷ୍ଟହାଉସ୍‌ରେ ଥିଲେ ବୋଲି ଆଜି ପୂର୍ବତନ ଡିଜି ପ୍ରକାଶ ମିଶ୍ର ଗଣମାଧ୍ୟମକୁ କହିଛନ୍ତି। ରୂପେଶ ଜଣେ ରେଳବାଇ ଠିକାଦାର ଏବଂ ଶାସକ ଦଳର ଆଗଧାଡିର ନେତା। ଗେଷ୍ଟହାଉସକୁ ରାମକୋ କମ୍ପାନି ଭଡା ସୂତ୍ରରେ ନେଇଥିବା ବେଳେ ରୂପେଶ‌ ସେଠାରେ ପ୍ରତିଦିନ ବୈଠକ କରନ୍ତି। ତେଣୁ ସ୍ମିତାରାଣୀ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ମାରି ଝୁଲାଇ ଦିଆଯାଇଥିଲା ତାହା ଏବେ ଲୋକଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି କରୁଛି ବୋଲି ଶ୍ରୀ ମିଶ୍ର କହିଥିଲେ। ତେବେ ଏହି ଘଟଣାର ନିରପେକ୍ଷ ତଦନ୍ତ ପାଇଁ ବରିଷ୍ଠ ଅଧିକାରୀଙ୍କୁ ସାମିଲ କରାଯାଇଥିବା ଏସପି ଶ୍ରୀ ମୀନା କହିଛନ୍ତି ବୋଲି ପ୍ରକାଶ ମିଶ୍ର ଗଣମାଧ୍ୟମକୁ କହିଛନ୍ତି।

ସେହିପରି କଂଗ୍ରେସର ଏକ ଟିମ୍ ଭୁବନପୁର ଗ୍ରାମସ୍ଥିତ ସ୍ମିତାରାଣୀଙ୍କ ଶ୍ବଶୁର ଘର ପରିବାରଙ୍କୁ ଭେଟି ସମବେଦନା ଜଣାଇଛନ୍ତି। ବାରବାଟୀ–କଟକ ବିଧାୟକ ମହମ୍ମଦ ମୋକିମ୍, କଂଗ୍ରେସ ମୁଖପାତ୍ର ସତ୍ୟପ୍ରକାଶ ନାୟକ, ନିକୁଞ୍ଜ ପଶାୟତ, ପୂର୍ବତନ ଡିଜି ବଟକୃଷ୍ଣ ତ୍ରିପାଠୀ,ବିଶ୍ବଜିତ ଦାସ,ସୁଦର୍ଶନ ଦାସ, ନିଶିକାନ୍ତ ମହାପାତ୍ର,ବନ୍ଦିତା ପରିଡା, ମନୋଜ ରାଉତ,ଗୀତାଞ୍ଜଳି ମହାନ୍ତି, ଉମେଶ ଜେନା, ସ୍ମୃତିରେଖା ପହି, ଶ୍ରୀନାଥ ମିଶ୍ର, ରାଜ୍ୟ ଯୁବକଂଗ୍ରେସ ମୁଖପାତ୍ର ମାନସ ରଂଜନ କର ପ୍ରମୁଖ ସ୍ମିତାରାଣୀଙ୍କ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଦାବି କରିଥିଲେ। ଏହା ଏକ ହତ୍ୟାକାଣ୍ଡ। ରାଜ୍ୟ ସରକାର ମହିଳାମାନଙ୍କ ସୁରକ୍ଷା ଓ ସମ୍ମାନର କଥା କହୁଥିବା ବେଳେ ଜଣେ ମହିଳା ସରକାରୀ କର୍ମଚାରୀଙ୍କ ପ୍ରତି ଦୁଷ୍କର୍ମ ଓ ହତ୍ୟା ଭଳି ଘଟଣା ଘଟିଥିଲେ ମଧ୍ୟ ପୁଲିସ ନିରପେକ୍ଷତା ଅବଲମ୍ବନ କରିନଥିବା କଂଗ୍ରେସ ଅଭିଯୋଗ କରିଛି। ତେଣୁ ଆମେ ଏହାର ସିବିଆଇ ତଦନ୍ତ ଦାବି କରୁଛୁ ବୋଲି କହିଥିଲେ। ଏହାପରେ କଂଗ୍ରେସ ଟିମ୍‌ ଅନୁରୂପ ଭାବେ ଏସ୍‌ପିଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛି। ସେହିପରି ଆଜି ସନ୍ଧ୍ୟାରେ ରାଜ୍ୟ ମହିଳା କଂଗ୍ରେସ ସାଧାରଣ ସଂପାଦିକା ସ୍ମୃତିରେଖା ପହିଙ୍କ ନେତୃତ୍ବରେ ଜାରକା ବଜାରରେ ଏକ ମହମବତୀ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏଥିସହ ଆଜି ସ୍ମିତାରାଣୀଙ୍କ ସ୍ବାମୀ ସୁଶୀଲ ବିଶ୍ବାଳ ଧର୍ମଶାଳା ଥାନାରେ ଘଟଣା ସଂପର୍କରେ ଆଉ ଏକ ଏତଲା ଦେବା ସହ ପୁଲିସ ଡିଜି ଏବଂ ଏସପିଙ୍କୁ ପତ୍ର ମାଧ୍ୟମରେ ଅବଗତ କରିଥିବା ଜଣାପଡିଛି।

ସମ୍ବନ୍ଧିତ ଖବର