ସ୍ମିତାରାଣୀଙ୍କ ରହସ୍ୟଜନକ ମୃତ୍ୟୁ : ବ୍ୟବଚ୍ଛେଦ ରିପୋର୍ଟର ବ୍ୟବଚ୍ଛେଦ ଜରୁରୀ

କାଠଗଡାରେ ତଦନ୍ତକାରୀ ଅଧିକାରୀ
ବେଆଇନ ରଙ୍ଗଶାଳା ଗୁମର ଖୋଲୁଛି
ରୂପେଶଙ୍କ ଗାଏବ୍‌ ଅନ୍ତରାଳେ
କଂଗ୍ରେସର ଧାରଣା ଓ ବିକ୍ଷୋଭ
ଗ୍ରାମସେବକ ଓ ପିଇଓ ସଂଘର ଶୋଭାଯାତ୍ରା

ଯାଜପୁର : ପିଇଓ ସ୍ମିତାରାଣୀଙ୍କ ରହସ୍ୟଜନକ ମୃତ୍ୟୁକୁ କେନ୍ଦ୍ର କରି ଯାଜପୁର ଜିଲ୍ଲା ଅଶାନ୍ତ ହେବାରେ ଲାଗିଛି। ଗତ ୭ ଦିନ ହେଲା ଏହାକୁ ନେଇ ପ୍ରତିବାଦ,ବିକ୍ଷୋଭ, ଧାରଣା ଏବଂ ବନ୍ଦ ପାଳନ କରାଯାଇଛି। ଏହା ସତ୍ତ୍ବେ ସରକାର ଓ ପ୍ରଶାସକ ଗୋଷ୍ଠୀ ନିଦାବିଷ୍ଣୁ ସାଜିଛନ୍ତି। ଯାହାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିବାରୁ ଏହାର ବ୍ୟବଚ୍ଛେଦ ହେବା ଆବଶ୍ୟକ ବୋଲି ମତ ପ୍ରକାଶ ପାଉଛି।

ଗତ ୧୬ତାରିଖରେ ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତର ପିଇଓ ସ୍ମିତାରାଣୀ ବିିଶ୍ବାଳ ଭତ୍ତା ବାଣ୍ଟିବାକୁ ଯାଇଥିଲେ। ସେଠାରୁ ଫେରି ସରକାରୀ ସମୟ ନିର୍ଘଣ୍ଟ ବେଳେ ସରପଞ୍ଚ ମଧୁସ୍ମିତା ଭଦ୍ରଙ୍କ ସ୍ବାମୀ ରୂପେଶ ଭଦ୍ରଙ୍କ ବେଆଇନ ଓ ବିବାଦୀୟ ରଙ୍ଗଶାଳାରେ ରହସ୍ୟଜନକ ଅବସ୍ଥାରେ ଜୀବନ ହରାଇଥିଲେ। ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି କୁହାଯାଉଥିବାବେଳେ କେବଳ ବ୍ୟବଚ୍ଛେଦ ରିପୋର୍ଟକୁ ଆଧାର କରି ପୁଲିସ ଆଜି ପର୍ଯ୍ୟନ୍ତ ଆତ୍ମହତ୍ୟାରେ ଅଟକିଛି । ମାତ୍ର ଏହି ତଥ୍ୟ ମଧ୍ୟ ବିଭ୍ରାନ୍ତିକର ବୋଲି ଚର୍ଚ୍ଚା ହେଉଛି। ସ୍ମିତାରାଣୀଙ୍କ ବେକର ଡାହାଣ ପଟେ ଦାଗ ରହିଛି। ସାଧାରଣତଃ ଏଭଳି ଝୁଲି ମରିବା ଘଟଣାରେ ବାମ ପାର୍ଶ୍ବରେ ଗଣ୍ଠି ଦାଗ ରହିଥାଏ। ଦ୍ବିତୀୟରେ ଝୁଲି ମରିଥିବା ବ୍ୟକ୍ତି ଜିଭ କାମୁଡ଼ି ଦିଅନ୍ତି। କିନ୍ତୁ ସ୍ମିତାରାଣୀଙ୍କ ଘଟଣାରେ ସେଭଳି ଘଟିନି। ସର୍ବୋପରି ତାଙ୍କର ଝାଡ଼ା, ପରିସ୍ରା କିମ୍ବା ସିମେନ ବାହାରି ନାହିଁ। ତାଙ୍କର ଅନ୍ତଃବସ୍ତ୍ର ସଂପୂର୍ଣ୍ଣ ଶୁଷ୍କ ଥିଲା ବୋଲି ଜଣେ ତଦନ୍ତକାରୀ ଅଧିକାରୀ ସୂଚନା ଦେଇଛନ୍ତି। ସେହିପରି ସ୍ମିତାରାଣୀଙ୍କ ମୁଣ୍ଡରେ ମଧ୍ୟ ଦାଗ ଥିଲା ବୋଲି ଜଣେ ପ୍ରଶାସକ କହିଛନ୍ତି। ଏହି ସବୁ ଘଟଣାରୁ ବ୍ୟବଚ୍ଛେଦ ରିପୋର୍ଟ ଉପରେ ସନ୍ଦେହ ବୃଦ୍ଧି ପାଇଛି। ଅନ୍ୟପଟେ ଧର୍ମଶାଳା ଅଞ୍ଚଳର ଶବ ବ୍ୟବଚ୍ଛେଦ ସାଧାରଣତଃ ବଡ଼ଚଣ‌ା ମେଡ଼ିକାଲରେ ହୋଇଥାଏ। କିନ୍ତୁ ସ୍ମିତାରାଣୀଙ୍କ ଶବକୁ ଯାଜପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ କାହିଁକି ନିଆଯାଇଥିଲା? ସ୍ମିତାରାଣୀଙ୍କ ସ୍ବାମୀ ସୁଶୀଲଙ୍କ ମତ ଅନୁଯାୟୀ ରୂପେଶ ଶବକୁ ନେଇ ଡାକ୍ତରଖାନା ଆସିି‌ଥିଲେ ହେଁ ରାତି ୧୧ଟା ପର୍ଯ୍ୟନ୍ତ ସେ ଉଭାନ ଥିଲେ। ସେହିପରି ବ୍ୟବଚ୍ଛେଦ ସମୟରେ ଦୁଇଜଣଯାକ ଡାକ୍ତର ଅଧାରୁ ଦୀର୍ଘ ସମୟ ଧରି ଗାଏବ ହୋଇଯାଇଥିଲେ। ପରେ ଆସି ସେମାନେ ବକେୟା ବ୍ୟବଚ୍ଛେଦ କରିଥି‌ଲେଃ ସେମାନେ କୁଆଡ଼େ ଯାଇଥିଲେ, ତାହାର ମଧ୍ୟ ତଦନ୍ତ ହେବାର ଆବଶ୍ୟକତା ରହିଛି ବୋଲି ବିଜେପି ଜିଲ୍ଲା ସଭାପତି ଗୌତମ ରାୟ ପ୍ରକାଶ କରିଛନ୍ତି। ସେହି ସମୟରେ ସେ କେଉଁଆଡ଼େ ଯାଇଥିଲେ? ବିଶେଷ କରି ବ୍ୟବଚ୍ଛେଦ ରିପୋର୍ଟ ଦେବାକୁ ଡାକ୍ତର ଓ କର୍ମଚାରୀଙ୍କ ଲୁଚକାଳି ଖେଳ ଅନେକଙ୍କୁ ଆଶ୍ଚର୍ଯ୍ୟାନ୍ବିତ କରିଛି। ତେଣୁ ବ୍ୟବଚ୍ଛେଦ ରିପୋର୍ଟର ତର୍ଜମା ନିହାତି ଆବଶ୍ୟକ ବୋଲି ମତ ପ୍ରକାଶ ପାଉଛି।

ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ପରି ଅଭିଯୁକ୍ତ ରୂପେଶ ଭଦ୍ରଙ୍କ ଗେ‌ଷ୍ଟ୍‌ହାଉସ ତଥା ରଙ୍ଗଶାଳାର ଗୁମର ଖୋଲିବାରେ ଲାଗିଛି। ମଦ ବୋତଲ ସହିତ ଆଉ କିଛି ଆପତ୍ତିଜନକ ସାମଗ୍ରୀ ସେଠାରୁ ମିଳିଥିବା ଗଣମାଧ୍ୟମ ଦ୍ବାରା ଲୋକଲୋଚନକୁ ଆସିବା ସତ୍ତ୍ବେ ଏହି ବେଆଇନ୍ ରଙ୍ଗଶାଳାକୁ ପୁଲିସ ଆଜି ପର୍ଯ୍ୟନ୍ତ ସିଲ୍ କରିନାହିଁ। ଧର୍ମଶାଳା ଥାନା ପୁଲିସ କେବଳ ତହସିଲରୁ ତଥ୍ୟ ନେଇ ହାତଗୋଡ଼ ବାନ୍ଧି ବସିଛି। ଅଭିଯୁକ୍ତ କବ୍‌ଜାରେ ଥିବା ଏହି ରଙ୍ଗଶାଳା ସ୍ମିତାରାଣୀ ମୃତ୍ୟୁଜନିତ ପ୍ରମାଣ ହଟାଇ ଚାଲିଛନ୍ତି। ପ୍ରଶାସନର ଜାଣତରେ କିପରି ଏଠାରେ ସରକାରୀ ଜମିରେ ସୁରମ୍ୟ ଅଟ୍ଟାଳିକା ବର୍ଷ ବର୍ଷ ଧରି ଚାଲୁଥିଲା ସେ ‌େନଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସବୁୁ ଜଣାପଡ଼ିବା ପରେ ମଧ୍ୟ ବେଆଇନ ରଙ୍ଗଶାଳାକୁ ପୁଲିସ କିମ୍ବା ପ୍ରଶାସନ ନିଜ ନିୟନ୍ତ୍ରଣକୁ ନନେଇ କଣ ପାଇଁ କାଳକ୍ଷେପଣ ନୀତି ଗ୍ରହଣ କରୁଛି?

ଅନାବାଦୀ ଓ ପାହାଡ଼ କିସମ ଜମିକୁ ଜବରଦଖଲ କରି ରୂପେଶ ଭଦ୍ର ଗେଷ୍ଟ ହାଉସ୍‌ ତିଆରି କରିଥିଲେ। ଏଥିପାଇଁ ଜରିମାନା ସହିତ ଉଚ୍ଛେଦ ପାଇଁ ୨୦୧୮ମାର୍ଚ୍ଚରେ ନୋଟିସ ଦିଆଯାଇଥିଲା। ଇତିମଧ୍ୟରେ ଏକ ବର୍ଷ ୭ମାସ ବିତି ଯାଇଥିଲେ ମଧ୍ୟ ସେହି ରଙ୍ଗଶାଳା ଉଚ୍ଛେଦ ହେବା ପରିବର୍ତ୍ତେ ସଂପ୍ରସାରଣ ଚାଲିଛି। ଏପରିକି ଲକ୍ଷ ଲକ୍ଷ ଟଙ୍କାର ସୌଖୀନ ସାମଗ୍ରୀ ଲଗାଯାଇଛି। ସ୍ମିତାରାଣୀଙ୍କ ରହସ୍ୟଜନକ ମୃତ୍ୟୁ ଦିନ ମଧ୍ୟ ମିସ୍ତ୍ରୀମାନେ ନୂତନ ଘରର ସିଲିଂ କାମ କରୁଥିଲେ। ରୂପେଶଙ୍କ ନାମରେ ଜବରଦଖଲ କେସ କରିଥିବା ତତ୍କାଳୀନ ତହସିଲଦାର ପ୍ରଭାସ ବେହୁରାଙ୍କୁୁ ପଚାରିବାରେ ସେ କହିଛନ୍ତି, ଓଡ଼ିଶା ସରକାରଙ୍କ ଜବରଦଖଲ ଆଇନ୍(ଓପିଏଲଇ ଆକ୍ଟ)ରେ କେସ ହୋଇଛି। ଏପରିକି ଉଚ୍ଛେଦ ପାଇଁ ନୋଟିସ କରାଯାଇଛି। ଯେହେତୁ ଉଚ୍ଛେଦ କରାଯାଇ ନାହିଁ ତେଣୁ ଦିନକୁ ୫ଶହ ଟଙ୍କା ଲେଖାଏଁ ଜରିମାନା ଆଦାୟ କରାଯାଇ ଉ‌େଚ୍ଛଦ କରାଯିବ ବୋଲି ଶ୍ରୀ ବେହୁରା କହିଛନ୍ତି। ଏହି ନିୟମକୁ ଅନୁସରଣ କଲେ ୧ଲକ୍ଷ ୮୫ହଜାର ଟଙ୍କା ଜରିମାନା ଧାର୍ଯ୍ୟ ହେବ। ଏହି ଅର୍ଥ ଆଦାୟ ନହେଲେ ସଂପୃକ୍ତ ଅଟାଳିକାରେ ଥିବା ସାମଗ୍ରୀ ଜବତ କରାଯାଇ ନିଲାମ ଅର୍ଥରେ ଘର ଉଚ୍ଛେଦ କରାଯିବ। କିନ୍ତୁ ପ୍ରଶାସନ ଉଚ୍ଛେଦ ନକରି ଆଜି ପର୍ଯ୍ୟନ୍ତ ବସିଥିଲା କାହିଁକି? କାହା ଚାପରେ ଏହି ବେଆଇନ୍ ରଙ୍ଗଶାଳା ଉଚ୍ଛେଦ ପରିବର୍ତ୍ତେ ସଂପ୍ରସାରଣ କାମ କରାଯାଉଛି ତାହା ବି ଅନୁସନ୍ଧାନ ସାପେକ୍ଷ। ଏହି ଘଟଣାକୁ ନେଇ ଆଜି କଂଗ୍ରେସ ଏସ୍‌ପି ଅଫିସ ଘେରାଉ କରିଥିବା ବେଳେ ଜିଲ୍ଲା ପିଇଓ ସଂଘ ପ୍ରଶାସନକୁ ଦାବିପତ୍ର ଦେଇ କଲମ ଛାଡ଼ ଆନ୍ଦୋଳନ ଧମକ ଦେଇଛି।

ସମ୍ବନ୍ଧିତ ଖବର