ସ୍ମିତାରାଣୀଙ୍କ ରହସ୍ୟଜନକ ମୃତ୍ୟୁ ଘଟଣା : ଆଜି କଂଗ୍ରେସର ଧାରଣା, ବିଜେପି ପ୍ରତିନିଧିଦଳ ଯିବ ୧ରେ

ରାମ୍‌କୋ ଅଧିକାରୀଙ୍କ ଲିଙ୍କ୍‌ ଅଭିଯୋଗରେ ପୁଲିସ୍‌ ଚୁପ୍‌

ଯାଜପୁର/ଭୁବନେଶ୍ବର : ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍‌ ହରିଦାସପୁର ପଞ୍ଚାୟତର ପିଇଓ ସ୍ମିତାରାଣୀ ବିଶ୍ବାଳଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ବିରୋଧୀ ଦଳ ପୁଣିଥରେ ସକ୍ରିୟ ହୋଇଉଠିଛନ୍ତି। ଆସନ୍ତାକାଲି କଂଗ୍ରେସ ରାଜଭବନ ସମ୍ମୁଖରେ ଧାରଣାରେ ବସିବାକୁ ଯାଉଥିବାବେଳେ ୧ ତାରିଖରେ ବିଜେପି ପ୍ରତିନିଧିମଣ୍ଡଳୀ ଯାଜପୁରର ହରିଦାସପୁର ଗସ୍ତ କରିବେ। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ମଧ୍ୟ ଆଜି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଚିଠି ଲେଖି ସ୍ମିତାରାଣୀଙ୍କୁ ନ୍ୟାୟ ମିଳୁ ବୋଲି ଦାବି କରିଛନ୍ତି।

ସ୍ମିତାରାଣୀଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାକୁ ଆତ୍ମହତ୍ୟାର ରୂପ ଦେଇ ବାଏଁବାଏଁଁ ଉଡାଇ ଦେବାକୁ ବସିଛି ପୁଲିସ। ଯାହାକୁ କେନ୍ଦ୍ରକରି ଦିନକୁ ଦିନ ବିବାଦ ଘନେଇବାରେ ଲାଗିଛି। ଯାହାକୁ ନେଇ ଯାଜପୁରର ତାତି ଏବେ ଭୁବନେଶ୍ବର ପର୍ଯ୍ୟନ୍ତ ବ୍ୟାପିବାରେ ଲାଗିଛି। ଆସନ୍ତାକାଲି କଂଗ୍ରେସ ପକ୍ଷରୁ ରାଜଭବନ ସମ୍ମୁଖରେ ଧାରଣା ଦିଆଯିବା ସହିତ ରାଜ୍ୟପାଳଙ୍କ ନିକଟରେ ସ୍ମିତାରାଣୀଙ୍କ ରହସ୍ୟଜନକ ମୃତ୍ୟୁର ସିବିଆଇ ତଦନ୍ତ ଦାବି କରାଯିବ। ସେହିଭଳି, ଆସନ୍ତା ୧ ତାରିଖରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ନେତୃତ୍ବରେ ବିଜେପି ବିଧାୟକ ଦଳର ଏକ ପ୍ରତିନିଧିମଣ୍ଡଳୀ ହରିଦାସପୁର ପଞ୍ଚ‌ାୟତ ଗସ୍ତ କରି ତଦନ୍ତ କରିବେ। ପ୍ରତିନିଧିମାନେ ମୃତ ସ୍ମିତାରାଣୀଙ୍କ ପରିବାର ସଦସ୍ୟଙ୍କ ସମେତ ଗ୍ରାମବାସୀଙ୍କୁ ଭେଟି ଘଟଣା ସମ୍ପର୍କରେ ଆଲୋଚନା କରିବେ। ପରେ ସ୍ମିତାରାଣୀଙ୍କୁ ହତ୍ୟା କରାଯାଇଥିବା ଅତିଥି ଭବନକୁ ଯାଇ ସରଜମିନ୍ ତଦନ୍ତ କରିବେ ବୋଲି ବିଜେପି ଉପସଭାପତି ସମୀର ମହାନ୍ତି ସୂଚନା ଦେଇଛନ୍ତି। ଏହି ପ୍ରତିନିଧି ମଣ୍ଡଳୀରେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ, ମୁଖ୍ୟ ସଚେତକ ମୋହନ ମାଝୀ, ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ଲଳିତେନ୍ଦୁ ମହାପାତ୍ର, କୁସୁମ ଟେଟେ ଓ ସୁକାନ୍ତ ନାୟକ ପ୍ରମୁଖ ସାମିଲ ହେବେ।

ଅନ୍ୟପକ୍ଷରେ, ଏହିଭଳି ଏକ ସମ୍ବେଦନଶୀଳ ଘଟଣାରେ ପୁଲିସ୍‌ର ଭୂମିକାକୁ ନେଇ ଏବେ ବି ଲୋକଙ୍କ ମନରେ ପ୍ରଶ୍ନ ରହିଛି। କେଉଁ ପରିସ୍ଥିତିରେ ପୁଲିସ୍‌ ଏହାକୁ ଆତ୍ମହତ୍ୟାର ରୂପ ଦେଲା, ତାହା ଅଦ୍ୟାବଧି ଜଣାପଡ଼ିନାହିଁ। ପୁଲିସ୍‌ ତଦନ୍ତ ବି ଅଧିକ ବାଟ ଆଗେଇପାରିନି। ବିଶେଷକରି, ରାମ୍‌କୋ କମ୍ପାନିର ଜଣେ ଅଧିକାରୀଙ୍କ ଭୂମିକାକୁ ତଦନ୍ତ ପରିସରକୁ ଅଣାଯାଇନାହିଁ। ଅଭିଯୋଗରୁ ଜଣାପଡ଼ିଛି ଯେ, ରାମ୍‌କୋ କମ୍ପାନିରେ ନିର୍ମାଣ କାମ ଏଲ୍‌ଆଣ୍ଡଟି କରୁଥିଲେ ହେଁ ରୂପେଶଙ୍କ ଠିକା କମ୍ପାନିରେ ଅଖଣ୍ଡ ରାଜ୍‌ ଚାଲିଥିଲା। ସ୍ଥାନୀୟ ଅଞ୍ଚଳର ବାହୁବଳୀଙ୍କର ରିଂ’ ମାଷ୍ଟର ଥିଲେ ରୂପେଶ। କମ୍ପାନିକୁ ସୁରକ୍ଷା ଦେଇଆସୁଥିଲେ। ରାମ୍‌କୋ କମ୍ପାନିରୁ ଏଲଆଣ୍ଡଟି ଠିକା ସଂସ୍ଥା ଜରିଆରେ କୋଟି କୋଟି ଟଙ୍କା ରୂପେଶଙ୍କ ନେଉଥିବା ଘଟଣା ଓ ତାଙ୍କ ଆକାଉଣ୍ଟରୁ ଅନ୍ୟ ପ୍ରଭାବଶାଳୀଙ୍କ ନିକଟକୁ ଟଙ୍କା ଟ୍ରାନ୍‌ସଫର ହେବା ଘଟଣା ଚର୍ଚ୍ଚାକୁ ଆସିଛି। ଇଡିର ତଦନ୍ତ ପରିସରଭୁକ୍ତ ହେଲେ ବହୁ ରହସ୍ୟ ଲୋକଲୋଚନକୁ ଆସିବ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର