ବାରିପଦା: ଆଜି ପ୍ରଥମ ପର୍ଯ୍ୟାୟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ମୟୂରଭଞ୍ଜ ଜିଲ୍ଲାର ୭ଟି ବ୍ଲକରେ ଅନୁଷ୍ଠିତ ହୋଇଯାଇଛି। କାଁଭାଁ ସ୍ଥାନରେ ଅବ୍ୟବସ୍ଥା ଦେଖା ଦେଇଥିଲେ ବି ମୋଟାମୋଟି ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ଅନୁଷ୍ଠିତ ହୋଇଛି। ତେବେ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ନିଜ ଗାଁ ସ୍କୁଲକୁ ମତଦାନ କରିବାକୁ ଯାଇଥିବା ବେଳେ ବୁଥ୍‌ ଭିତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ଦେଖି ଚମକି ପଡ଼ିବା ସହ ଅସନ୍ତୋଷ ପ୍ରକାଶ କରିଛନ୍ତି।

Advertisment

ସକାଳ ୯ଟାରେ ମୋରଡ଼ା ବ୍ଲକ ଅନ୍ତର୍ଗତ ୮ନମ୍ବର ବୁଥ୍‌ ଖୁଣ୍ଟାପାଳ ପ୍ରାଥମିକ ବିଦ୍ୟାଳୟକୁ ଭୋଟ୍‌ ଦେବାକୁ ଶ୍ରୀ ଟୁଡୁ ଯାଇଥିଲେ। ତେବେ ପ୍ରିଜାଇଡିଂ ଅଫିସରଙ୍କ ମୁଣ୍ଡ ଉପରେ ଛାତ୍ରଛାତ୍ରୀଙ୍କୁ ଉପଦେଶ ସମ୍ପର୍କିତ ମୁଖ୍ୟମନ୍ତ୍ରୀଙ୍କ ହୋର୍ଡିଂ ଲାଗିଥିବା ଦେଖି ସେ ଚମକି ପଡ଼ିଥିଲେ। ଶାସକ ଦଳକୁ ଅନୁକମ୍ପା ଦେଖାଇବାକୁ ଯାଇ ପ୍ରଶାସନିକ ଅଧିକାରୀମାନେ ଆଚରଣବିଧି ଉଲ୍ଲଂଘନ କରୁଛନ୍ତି ବୋଲି ଶ୍ରୀ ଟୁଡୁ ଅଭିଯୋଗ କରିବା ସହ ତୁରନ୍ତ ଫୋନ୍‌ ଯୋଗେ ଜିଲ୍ଲାପାଳ ବିନୀତ ଭରଦ୍ୱାଜଙ୍କୁ ଜଣାଇଥିଲେ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସଙ୍ଗେ ସଙ୍ଗେ ହୋର୍ଡିଂ ବାହର କରି ଦିଆଯାଇଥିଲା।