ହାଇସ୍କୁଲରେ ପ୍ରହସନ ପାଲଟିଛି ଧନ୍ଦାମୂଳକ ଶିକ୍ଷା : ଛଟେଇ ହେବେ ୨୩୮ ଶିକ୍ଷକ

ଗୋଟିଏ ବର୍ଷ ପରେ ପାଠ୍ୟକ୍ରମ ପରିବର୍ତନ, ମୁହଁ ଖୋଲୁନାହାନ୍ତି ରାମ୍‌ସା ଅଧିକାରୀ

ଭୁବନେଶ୍ବର : ‘ନବମ ଶ୍ରେଣୀରେ ଧନ୍ଦାମୂଳକ ଶିକ୍ଷା ନେଇ ଭୁଲ୍‌ ହୋଇଗଲା। ୩ୟ ବିଷୟ ଭାବେ ହିନ୍ଦୀ, ସଂସ୍କୃତ ବଦଳରେ ଧନ୍ଦାମୂଳକ ଶିକ୍ଷା ନେବାକୁ କୁହାଯାଇଥିଲା। ୬ ମାସ ଧରି ଶିକ୍ଷା ଗ୍ରହଣ କରିସାରିଛୁ। ଷାଣ୍ମାସିକ ପରୀକ୍ଷା ବି ସରିଛି। ଏବେ ଶିକ୍ଷକମାନେ କହୁଛନ୍ତି ପାଠ୍ୟକ୍ରମ ପରିବର୍ତନ ହେବ। ନୂଆ ପାଠ୍ୟକ୍ରମରେ ନୂତନ ଶିକ୍ଷକମାନେ ପଢ଼ାଇବେ। ସେହି ଅନୁଯାୟୀ ବାର୍ଷିକ ପରୀକ୍ଷା ଦେବୁ। ଦଶମ ପରୀକ୍ଷା ବି ନୂଆ ପାଠ୍ୟକ୍ରମ ଅନୁଯାୟୀ ହେବ। ଏବେ ଆମେ କ’ଣ କରିବୁ’। ଧନ୍ଦାମୂଳକ ଶିକ୍ଷାକୁ ତୃତୀୟ ବିଷୟ ଭାବେ ନେଇ ନବମ ‌ଶ୍ରେଣୀ ପଢ଼ୁଥିବା ଛାତ୍ରଛାତ୍ରୀ ଏଭଳି ମତ ରଖିଛନ୍ତି।

ଧନ୍ଦାମୂଳକ ଶିକ୍ଷାକୁ ବ୍ୟାପକ କରିବା ଓ ଛାତ୍ରଛାତ୍ରୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଲକ୍ଷ୍ୟରେ ୨୦୧୬ ଡିସେମ୍ବରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନବମ ଓ ଦଶମ ଶ୍ରେଣୀ ପାଇଁ ଧନ୍ଦାମୂଳକ ଶିକ୍ଷା ପାଠ୍ୟକ୍ରମରେ ବିଭିନ୍ନ ଟ୍ରେଡ୍‌ ଆରମ୍ଭ ହୋଇଥିଲା। ହେଲେ ଦୁଇ ବର୍ଷ ନ ବିତୁଣୁ ଧନ୍ଦାମୂଳକ ଶିକ୍ଷା, ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ଭବିଷ୍ୟତ ନେଇ ଆଶଙ୍କା ସୃଷ୍ଟି ହୋଇଛି। ଏପରିକି ଦୁଇ ବର୍ଷ ଭିତରେ ୨୩୮ଟି ଉଚ୍ଚ ବିଦ୍ୟାଳୟରେ ନିଯୁକ୍ତି ପାଇଥିବା‌ ଶିକ୍ଷକଙ୍କୁ ବି ଛଟେଇ କରିବାକୁ ପାଇଁ ଏବେଠାରୁ ବିଧିବଦ୍ଧ ପ୍ରକ୍ରିୟା ଆରମ୍ଭ ହୋଇଛି। ପୂର୍ବରୁ ଯେଉଁ ସଂସ୍ଥାକୁ ଧନ୍ଦାମୂଳକ ଶିକ୍ଷା ପରିଚାଳନା ଦାୟିତ୍ବ ଦିଆଯାଇଥିଲା ଏବେ ପରିବର୍ତନ କରି ଆଉ ଏକ ସଂସ୍ଥାଙ୍କୁ ଦିଆଯାଇଛି। ଉକ୍ତ ସଂସ୍ଥାକୁ ମଧ୍ୟପ୍ରଦେଶ ସରକାର କଳା ତାଲିକା ଭୁକ୍ତ କରିଥିବା ବେଳେ କିଭଳି ଓ କାହିଁକି ଓଡ଼ିଶାରେ ଦାୟିତ୍ବ ଦିଆଯାଇଛି ବୋଲି ଶିକ୍ଷକମାନେ ପ୍ରଶ୍ନ ଉଠାଇଛନ୍ତି।

ପାଠ୍ୟକ୍ରମ ଆରମ୍ଭ ହେବା ସମୟରେ ଛାତ୍ରଛାତ୍ରୀଙ୍କୁ ‘ଟ୍ରାଭେଲ୍‌ ଓ ଟୁରିଜିମ୍‌’ ବିଷୟରେ ଶିକ୍ଷା ଦେବାକୁ ନିଷ୍ପତ୍ତି ହୋଇଥିଲା। ଯେଉଁଥିପାଇଁ ବିଦ୍ୟାଳୟଗୁଡ଼ିକରେ ସେହି ଟ୍ରେଡ୍‌ର ଯୋଗ୍ୟତା ଥିବା ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଥିଲା। ଏବେ ଶିକ୍ଷାବର୍ଷ ଅଧାରେ ହଠାତ୍‌ ଟ୍ରେଡ୍‌ ବଦଳାଇବାକୁ ନିଷ୍ପତ୍ତି ହୋଇଛି। ‘ଟ୍ରାଭେଲ୍‌ ଓ ଟୁରିଜିମ୍‌’ ପାଠ୍ୟକ୍ରମକୁ ‘ଟୁରିଜିମ୍‌ ଓ ହସ୍ପିଟାଲିଟି’ କରିବାକୁ ନିଷ୍ପତ୍ତି ହୋଇଥିବାରୁ ଶିକ୍ଷକଙ୍କୁ ବି ପରିବର୍ତନ କରିବାକୁ କୋର୍ସ ପରିଚାଳନା ଦାୟିତ୍ବ ନେଇଥିବା ସଂସ୍ଥା ନିଷ୍ପତ୍ତି ନେଇଛି। ସେହିପରି ହେଲ୍‌ଥ କେୟାର ଓ ବ୍ୟାଙ୍କିଙ୍ଗ୍‌ ଫାଇନାନ୍ସ ସର୍ଭିସ୍‌ ବଦଳରେ ମଲ୍ଟି ସ୍କିଲିଂ ଟ୍ରେଡ୍‌ ପାଇଁ ଆଇଟିଆଇ ପାଠ୍ୟକ୍ରମ ଓ ଉଦ୍ୟାନକୃଷି ପାଠ୍ୟକ୍ରମରେ କୃତକାର୍ଯ୍ୟ ହୋଇଥିବା ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ। ଏନେଇ ବିଜ୍ଞପ୍ତି ବି ପ୍ରକାଶ ପାଇଛି। ଯେଉଁ ସଂସ୍ଥାକୁ ଦାୟିତ୍ବ ଦିଆଯାଇଛି ସେ ଟ୍ରେଡ୍‌ ପରିବର୍ତନ ବାହାନାରେ ଶିକ୍ଷକଙ୍କୁ ଛଟେଇ କରିବା ପ୍ରକ୍ରିୟା ଆରମ୍ଭ କରିଛି। ଫଳରେ ନୂତନ ନିଯୁକ୍ତି ପ୍ରକ୍ରିୟାରେ ଅର୍ଥ କାରବାର ହୋଇପାରିବ।

ଏପରିକି ମାତ୍ର ଗୋଟିଏ ବର୍ଷ ପଢ଼ିବା ପରେ ପାଠ୍ୟକ୍ରମରେ କାହିଁକି ପରିବର୍ତ୍ତନ କରାଗଲା ବୋଲି ଏବେ ପ୍ରଶ୍ନ ଉଠିଛି। ଏହା ପଛରେ କାହାର ବ୍ୟକ୍ତିଗତ ସ୍ବାର୍ଥ ରହିଛି ବୋଲି ଶିକ୍ଷକମାନେ କହିଛନ୍ତି। ଗତ ମାସେ ହେଲା ଧନ୍ଦାମୂଳକ ଶିକ୍ଷକମାନେ ଅଭିଯୋଗ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବିଭାଗୀୟ ସଚିବ, ରାମ୍‌ସା କର୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥି‌ଲେ ମଧ୍ୟ କେହି ଶୁଣୁନାହାନ୍ତି। ଏପରିକି ଏବିଷୟରେ ଆଲୋଚନା କରିବାକୁ ଧରାଛୁଆଁ ଦେଉନାହାନ୍ତି। ଯେଉଁଥିପାଇଁ କିଛି ଦିନ ତଳେ ଶିକ୍ଷକମାନଙ୍କ ଏକ ବୈଠକରେ ପରବର୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରିବାକୁ ନିଷ୍ପତ୍ତି ହୋଇଛି। ନୂତନ ସଂସ୍ଥାଙ୍କୁ ଦାୟିତ୍ବ ଦେଇଥିବା ରାମ୍‌ସା କର୍ତୃପକ୍ଷଙ୍କ ସହ ଆମେ ଯୋଗଯୋଗ କରିବାକୁ ଉଦ୍ୟମ କରିଥିଲେ ମଧ୍ୟ କେହି ବି ମୁହଁ ଖୋଲୁନାହାନ୍ତି।

ସମ୍ବନ୍ଧିତ ଖବର