ଭୁବନେଶ୍ବର : ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ଭିତ୍ତିକ ତଥା ଆତ୍ମନିର୍ଭରଶୀଳ ଶିକ୍ଷା ଦେବା ପାଇଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ(ହାଇସ୍କୁଲ)ରେ ଆରମ୍ଭ ହୋଇଛି ଧନ୍ଦାମୂଳକ ଶିକ୍ଷା। ହିନ୍ଦୀ, ସଂସ୍କୃତ ବଦଳରେ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ଏହାକୁ ତୃତୀୟ ବିଷୟ ଭାବେ ଚୟନ କରି ପଢ଼ୁଛନ୍ତି। ଏବେ ଏହି ପାଠ୍ୟକ୍ରମ ପରିଚାଳନାରେ ଘୋର ଅବ୍ୟବସ୍ଥା ଦେଖାଦେଇଛି।
୨୦୧୬-୧୭ରେ ଯେଉଁ ପାଠ୍ୟକ୍ରମ ପଢ଼ାଯାଉଥିଲା ଗତବର୍ଷ ହଠାତ୍ ସେଥିରେ ପରିବର୍ତନ କରାଯାଇଛି। ପାଠ୍ୟକ୍ରମ ନା ବି ବଦଳିଛି। ତେବେ ପିଲାଙ୍କୁ ଏ ପର୍ଯ୍ୟନ୍ତ ମିଳିପାରିନି ପାଠ୍ୟପୁସ୍ତକ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବହିର ବ୍ୟବସ୍ଥା ହୋଇନି କି ବଜାରରେ ପାଠ୍ୟକ୍ରମ ଅନୁଯାୟୀ ପାଠ୍ୟପୁସ୍ତକ ଉପଲବ୍ଧ ହେଉନି। ତେଣୁ ପିଲା କେମିତି ପଢ଼ିବେ? କିଭଳି ମାଟ୍ରିକ୍ ପରୀକ୍ଷା ଦେବେ? ଏହାକୁ ନେଇ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଥିବା ବେଳେ ଶିକ୍ଷକମାନେ ଏବେ ନାଚାର। ବହି ମିଳୁ ନ ଥିବାରୁ ସେମାନଙ୍କ ଲାଗି ୱେବସାଇଟ୍ ହିଁ କେବଳ ଭରସା।
୨୦୧୬-୧୭ ଶିକ୍ଷାବର୍ଷରେ ରାଜ୍ୟର ୨୦୮ଟି ଉଚ୍ଚ ବିଦ୍ୟାଳୟରେ ଧନ୍ଦାମୂଳକ ପାଠ୍ୟକ୍ରମ ଆରମ୍ଭ ହୋଇଥିଲା। ଏଥିରେ ମୁଖ୍ୟତଃ ୪ଟି ବିଷୟ ଯଥା ‘ଟ୍ରାଭେଲ ଓ ଟୁରିଜିମ୍’, ‘ବ୍ୟାଙ୍କିଙ୍ଗ୍ ଆଣ୍ଡ ଫାଇନାନ୍ସ’, ‘ରିଟେଲ ମ୍ୟାନେଜ୍ମେଣ୍ଟ’ ଓ ଆଇଟି ବିଷୟ ରଖାଯାଇଛି। ପ୍ରଥମ ଥର ଲାଗି ୨୦୧୬-୧୭ରେ ୯ମ ଶ୍ରେଣୀରେ ଏହା ଲାଗୁ ହୋଇଥିଲା। ଏହି ବିଷୟରେ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀ ୨୦୧୮ରେ ପ୍ରଥମ ଥର ପାଇଁ ମାଟ୍ରିକ୍ ପରୀକ୍ଷା ଦେଇଥିଲେ। ସମସ୍ତ ପରୀକ୍ଷାର୍ଥୀ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିଲେ। ତେବେ ଦୁଇ ବର୍ଷ ନ ବିତୁଣୁ ହଠାତ୍ ପାଠ୍ୟକ୍ରମ ପରିଚାଳନା କରୁଥିବା ସଂସ୍ଥା ବଦଳା ଯାଇଥିଲା। ‘ୱାଧାନି ଫାଉଣ୍ଡେସନ’ ବଦଳରେ ‘ଲ୍ୟାଣ୍ଡ ଇନ୍ ହାଣ୍ଡ’ ହାତରେ ପାଠ୍ୟକ୍ରମର ଭାଗ୍ୟକୁ ଟେକି ଦିଆଗଲା।
ନୂଆ ସଂସ୍ଥା ଦାୟିତ୍ବ ନେବା କ୍ଷଣି ପାଠ୍ୟକ୍ରମରେ ବ୍ୟପକ ପରିବର୍ତ୍ତନ କଲା। ୨୦୧୮-୧୯ ଶିକ୍ଷାବର୍ଷରେ ‘ଟ୍ରାଭେଲ ଓ ଟୁରିଜିମ୍’ ଓ ‘ବ୍ୟାଙ୍କିଙ୍ଗ୍ ଆଣ୍ଡ ଫାଇନାନ୍ସ’ ପାଠ୍ୟକ୍ରମକୁ ଉଠାଇ ଦିଆଗଲା। ‘ଟ୍ରାଭେଲ ଓ ଟୁରିଜିମ୍’ ବଦଳରେ ‘ଟୁରିଜିମ୍ ଓ ହସ୍ପିଟାଲିଟି’ ପାଠ୍ୟକ୍ରମ ପ୍ରଚଳନ ହେଲା। ତେବେ ପାଠ୍ୟକ୍ରମ ପରିବର୍ତନ ପୂର୍ବରୁ ପାଠ୍ୟପୁସ୍ତକ କଥା ଚିନ୍ତା କରାଗଲା ନାହିଁ। ଗତବର୍ଷ ୯ମ ଶ୍ରେଣୀରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ନୂତନ ନିୟମ ଲାଗୁ କରାଗଲା। ପିଲାମାନେ ‘ଟୁରିଜିମ୍ ଓ ହସ୍ପିଟାଲିଟି’ ବିଷୟ ରଖିଲେ ସିନା, ହେଲେ ବର୍ଷେ ବିତିଗଲା ପାଠ୍ୟପୁସ୍ତକ ମିଳିଲାନି। ବିନା ପାଠ୍ୟପୁସ୍ତକରେ ୯ମ ଶ୍ରେଣୀ ପଢ଼ିଲେ ଛାତ୍ରଛାତ୍ରୀ। ଗତବର୍ଷ ୯ମ ଶ୍ରେଣୀରେ ପଢ଼ୁଥିବା ପିଲା ଏବେ ଦଶମ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହୋଇଛନ୍ତି। ୭ ମାସ ପରେ ମାଟ୍ରିକ୍ ପରୀକ୍ଷା ଦେବେ। ତେବେ ଏ ପର୍ଯ୍ୟନ୍ତ ପିଲାଙ୍କ ପାଖରେ ବହି ନାହିଁ। ଏ ନେଇ ଛାତ୍ରଛାତ୍ରୀ ସ୍କୁଲ କର୍ତୃପକ୍ଷଙ୍କ ଦ୍ବାରସ୍ଥ ହେଉଛନ୍ତି। ସ୍କୁଲ କର୍ତୃପକ୍ଷ ବି ଉପରିସ୍ଥ ଅଧିକାରୀଙ୍କୁ ଜଣାଉଛନ୍ତି। ତା’ପରେ ବି ବହି ମିଳୁନି।
ମିଳିଥିବା ସୂଚନା ଅନୁଯାୟୀ ଧନ୍ଦାମୂଳକ ପାଠ୍ୟକ୍ରମର ପାଠ୍ୟପୁସ୍ତକ ପ୍ରସ୍ତୁତ ଲାଗି ଭୋପାଳଠାରେ ପାଠ୍ୟପୁସ୍ତକ ଛପାଯାଇଥାଏ। ତେବେ ‘ଟୁରିଜିମ୍ ଓ ହସ୍ପିଟାଲିଟି’ ବିଷୟର ପାଠ୍ୟପୁସ୍ତକ ଏ ପର୍ଯ୍ୟନ୍ତ ଛପାଯାଇ ନାହିଁ। କେବେ ଛପାଯିବ ସେନେଇ କାହା ପାଖରେ ଉତ୍ତର ନାହିଁ। ବିଭାଗୀୟ ଅଧିକାରୀମାନେ ଏବିଷୟରେ ମୁହଁ ଖୋଲୁନାହାନ୍ତି। ହାଇସ୍କୁଲର ପ୍ରଧାନଶିକ୍ଷକମାନେ ବି ହାତ ଟେକି ଦେଲେଣି। ଆମେ କିଛି କରିପାରିବୁ ନାହିଁ ବୋଲି କହୁଛନ୍ତି। ତେବେ ଏଠାରେ ପ୍ରଶ୍ନ ଉଠୁଛି କାହା ସ୍ବାର୍ଥରେ ପାଠ୍ୟକ୍ରମରେ ପରିବର୍ତନ କରାଗଲା? ଯଦି ପରିବର୍ତନ କରାଗଲା ତେବେ ପାଠ୍ୟପୁସ୍ତକ ପ୍ରସ୍ତୁତ ହେଲାନି କାହିଁକି? ପିଲା କେଉଁଠୁ ପାଇବେ ପୁସ୍ତକ? ଶିକ୍ଷକମାନେ କ’ଣ ୱେବସାଇଟ୍ ଦେଖି ବର୍ଷ ସାରା ପଢ଼ାଉଥିବେ?