ପ୍ରତି ବ୍ଲକ୍‌ର ଗୋଟିଏ ହାଇସ୍କୁଲରେ ଧନ୍ଦାମୂଳକ ଶିକ୍ଷା

ଆଉ ୧୦୬ ହାଇସ୍କୁଲ ଚୟନ କଲା ରାମ୍‌ସା

ଖୋଲିବ ହେଲ୍‌ଥ କେୟାର ଏବଂ ବିଉଟି ଓ୍ଵଲନେସ୍‌

ଭୁବନେଶ୍ୱର : କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟର ବାରମ୍ବାର ନିର୍ଦେଶ ପରେ ୨୦୧୬ରେ ରାଜ୍ୟର ୨୦୮ ହାଇସ୍କୁଲରେ ଖୋଲିଥିଲା ଧନ୍ଦାମୂଳକ ଶିକ୍ଷା। ପ୍ରତିବର୍ଷ ପର୍ଯ୍ୟାୟକ୍ରମେ ସମସ୍ତ ହାଇସ୍କୁଲରେ ଧନ୍ଦାମୂଳକ ପାଠ୍ୟକ୍ରମରେ ପିଲାଙ୍କୁ ଶିକ୍ଷା ଦିଆଯିବ ବୋଲି ତତ୍କାଳୀନ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ଘୋଷଣା କରିଥିଲେ। ହେଲେ ତାହା ଏପର୍ଯ୍ୟନ୍ତ ଫଳପ୍ରଦ ହୋଇପାରି ନାହିଁ। କେତେବେଳେ ପିଲାଙ୍କୁ ନିର୍ଧାରିତ ସମୟରେ ପୁସ୍ତକ ମିଳୁନି ତ ଆଉ କେତେବେଳେ ଦରମା ନେଇ ସମସ୍ୟା ସୃଷ୍ଟି ହେଉଛି। ବିଭିନ୍ନ ଆଡ଼ୁ ସମାଲୋଚନା ହେବା ପରେ ଏବେ ପୁଣି ୧୦୬ ହାଇସ୍କୁଲରେ ଧନ୍ଦାମୂଳକ ଶିକ୍ଷା ପାଠ୍ୟକ୍ରମ ଖୋଲିବା ଲାଗି ନିଷ୍ପତ୍ତି ହୋଇଛି। ୨୦୧୮-୧୯ ଶିକ୍ଷାବର୍ଷରୁ ସ୍କୁଲଗୁଡ଼ିକରେ ଧନ୍ଦାମୂଳକ ପାଠ୍ୟକ୍ରମରେ ଶିକ୍ଷାଦାନ ଲାଗି ରାମ୍‌ସା ପକ୍ଷରୁ ଏବେ ହାଇସ୍କୁଲ ଚୟନ କରାଯାଇଛି।

ନିଷ୍ପତ୍ତିି ଅନୁଯାୟୀ ଚୟନ ହୋଇଥିବା ୧୦୬ଟି ହାଇସ୍କୁଲ ୧୭ଟି ଜିଲ୍ଲାରେ ରହିଛି। ମୟୂରଭଞ୍ଜରେ ସର୍ବାଧିକ ୧୯ଟି ହାଇସ୍କୁଲରେ ଏହି ପାଠ୍ୟକ୍ରମ ଖୋଲିବ। ସବୁ ବ୍ଲକର ଗୋଟିଏ ଲେଖାଏ ହାଇସ୍କୁଲକୁ ଏଥିପାଇଁ ଚୟନ କରାଯାଇଛି। ଗଞ୍ଜାମର ୧୫, କୋରାପୁଟ, କେନ୍ଦୁଝର, ବଲାଙ୍ଗୀର ଓ କଟକର ୭ଟି ଲେଖାଏ, ବାଲେଶ୍ୱର, କନ୍ଧମାଳ ଓ ବରଗଡ଼ ଜିଲ୍ଲାର ୫ଟି ଲେଖାଏ, ପୁରୀ ଓ ରାୟଗଡ଼ାର ୪ଟି ଲେଖାଏ, କଳାହାଣ୍ଡିର ୬, ଯାଜପୁରର ୩, ସମ୍ବଲପୁର, ନବରଙ୍ଗପୁର, ମାଲକାନଗିରି, ଖୋର୍ଧାର ଗୋଟିଏ ହାଇସ୍କୁଲରେ ଏହି ପାଠ୍ୟକ୍ରମ ଖୋଲିବ।

ପୂର୍ବଥର ପରି ଏଥର ମଧ୍ୟ ୨୦୧୮-୧୯ ଶିକ୍ଷାବର୍ଷରୁ ପ୍ରତି ହାଇସ୍କୁଲରେ ଦୁଇଟି ଲେଖାଏ ଟ୍ରେଡ୍‌ ଖୋଲିବ। ସମସ୍ତ ବିଦ୍ୟାଳୟରେ ପ୍ରଥମ ଟ୍ରେଡ୍‌ ଆଇଟି/ଆଇଟିଇଏସ୍‌ ରଖାଯାଇଛି। ଏହାବ୍ୟତୀତ ଦ୍ୱିତୀୟ ଟ୍ରେଡ୍‌ ଭାବେ ବିଏଫ୍‌ଏସ୍‌ଆଇ, ହେଲ୍‌ଥ କେୟାର, ରିଟେଲ, ବିୟୁଟି ଆଣ୍ଡ ଓ୍ଵଲ୍‌ନେସ୍‌ ଓ ଟ୍ରାଭେଲ୍‌ ଆଣ୍ଡ ଟୁରିଜିମ୍‌ ବିଷୟରେ ପିଲାମାନେ ପଢ଼ିପାରିବେ। ଅର୍ଧାଧିକ ହାଇସ୍କୁଲରେ ଟ୍ରାଭେଲ୍‌ ଆଣ୍ଡ ଟୁରିଜିମ୍‌ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ପ୍ରଥମ ଥର ଲାଗି ବିଦ୍ୟାଳୟରେ ହେଲ୍‌ଥ କେୟାର ଏବଂ ବିଉଟି ଓ୍ଵଲନେସ୍‌ ବିଷୟ ଖୋଲିବାକୁ ଯାଉଛି। ପୂର୍ବରୁ କୌଣସି ବିଦ୍ୟାଳୟରେ ଏଭଳି ବିଷୟ ଖୋଲି ନ ଥିଲା। ପିଲାମାନେ ସେମାନଙ୍କ ପସନ୍ଦ ଅନୁଯାୟୀ ବିଷୟ ପଢ଼ିପାରିବେ।

ପ୍ରତି ଟ୍ରେଡ୍‌ରେ ୩୦ରୁ ୩୫ ଜଣ ଛାତ୍ରଛାତ୍ରୀ ରହିବେ। ପିଲାଙ୍କୁ ୮୦ ଘଣ୍ଟାର ଥିଓରି ଏବଂ ୧୨୦ ଘଣ୍ଟାର ପ୍ରାକ୍ଟିକାଲ ଶିକ୍ଷା ଦିଆଯିବ। ବିଦ୍ୟାଳୟରେ ଥିବା ଆଇସିଟି ଲ୍ୟାବ୍‌ ଧନ୍ଦାମୂଳକ ଶିକ୍ଷା ପାଠ୍ୟକ୍ରମ ଲାଗି ବ୍ୟବହୃତ ହେବ। ଧନ୍ଦାମୂଳକ ସଂଯୋଜକ ଏବଂ ପ୍ରଶିକ୍ଷକଙ୍କ ଦ୍ୱାରା ପିଲାଙ୍କୁ ଶିଳ୍ପାୟନ ପରିଦର୍ଶନ, ଅତିଥି ଅଧ୍ୟାପକ ପାଇଁ ବ୍ୟବସ୍ଥା କରାଯିବ। ଏଥିପାଇଁ ଶିଳ୍ପାନୁଷ୍ଠାନ ସହ ରାଜିନାମା ହେବ। ପିଲାମାନେ ୬୦ ମାର୍କର ପ୍ରାକ୍ଟିକାଲ ଏବଂ ୪୦ ମାର୍କର ଥିଓରି ପରୀକ୍ଷା ଦେବେ। ହିନ୍ଦୀ, ସଂସ୍କୃତ ବଦଳରେ ତୃତୀୟ ବିଷୟ ଭାବେ ଧନ୍ଦାମୂଳକ ଶିକ୍ଷାକୁ ନେଇପାରିବେ।

୨୦୧୬ ଡିସେମ୍ବରରେ ଧନ୍ଦାମୂଳକ ଶିକ୍ଷା ଦିଆଯାଉଥିବା ୨୦୮ ହାଇସ୍କୁଲ ମଧ୍ୟରୁ ୩୦ଟିରେ ଗୋଟିଏ ଲେଖାଏ ବିଷୟ ଏବଂ ୧୭୮ଟିରେ ଦୁଇଟି ଲେଖାଏ ବିଷୟ ରହିଥିଲା। ଆଇଟି ଆଣ୍ଡ ଆଇଟିଇଏସ୍‌ ବିଷୟ ସମସ୍ତ ବିଦ୍ୟାଳୟରେ ଖୋଲିଛି। ୩୪ଟି ବିଦ୍ୟାଳୟରେ ରିଟେଲ୍‌, ୯୫ଟିରେ ଟ୍ରାଭେଲ୍‌ ଆଣ୍ଡ ଟୁରିଷ୍ଟ ଏବଂ ୪୯ଟିରେ ବିଏଫ୍‌ଏସ୍‌ଆଇ ପାଠ୍ୟକ୍ରମ ଏବେ ରହିଛି।

ସମ୍ବନ୍ଧିତ ଖବର