ଭୁବନେଶ୍ବର: ବିଦ୍ୟାଳୟକୁ ପିଲା ଆସୁଛନ୍ତି। ଶିକ୍ଷକ ପହଞ୍ଚୁଛନ୍ତି, ପାଠପଢ଼ା ବି ଚାଲିଛି। ମାତ୍ର ଶିକ୍ଷକଙ୍କୁ ଦରମା ମିଳୁନି। ସେମାନଙ୍କ ଚାକିରି ଅଛି କି ନାହିଁ କେହି ଜାଣନ୍ତି ନାହିଁ। ଗୋଟିଏ କି ଦୁଇଟି ବିଦ୍ୟାଳୟ ନୁହେଁ, ରାଜ୍ୟର ଏକ ହଜାରରୁ ଅଧିକ ଉଚ୍ଚବିଦ୍ୟାଳୟ ତଥା ହାଇସ୍କୁଲରେ ଏବେ ଏଭଳି ସ୍ଥିତି ଉପୁଜିଛି। ଧନ୍ଦାମୂଳକ ଶିକ୍ଷାକୁ ତୃତୀୟ ଅପ୍ସନାଲ୍ ଭାବେ ଗ୍ରହଣ କରି ୯ମ ଓ ୧୦ମ ଶ୍ରେଣୀରେ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ଏମିତି ସମସ୍ୟା ଉପୁଜିଛି। ପିଲାଙ୍କ ଭବିଷ୍ୟତ କ’ଣ ହେବ ସେନେଇ କାହା ପାଖରେ ଖବର ନାହିଁ। ପ୍ରଧାନଶିକ୍ଷକମାନେ ହାତ ଟେକି ଦେଇଛନ୍ତି। ଜିଲ୍ଲା ଓ ବ୍ଲକ୍ ଶିକ୍ଷା ଅଧିକାରୀମାନେ ମଧ୍ୟ ଉଚ୍ଚପଦସ୍ଥ ଅଧିକାରୀ ଯାହା ନିଷ୍ପତ୍ତି ନେବେ କହି ନିଜ ମୁଣ୍ଡରୁ ଦୋଷ ଖସାଉଛନ୍ତି।
ଟ୍ରେନିଂ ପାର୍ଟନରଙ୍କ ସହ ଚୁକ୍ତି ଅବଧି ଶେଷ
ପୁନଃନବୀକରଣ ହେଉନି, ଚିନ୍ତାରେ ଶିକ୍ଷକ
୪ରୁ ୫ ମାସ ହେଲା ଶିକ୍ଷକଙ୍କୁ ଦରମା ମିଳିନି
୨୦୧୬ରୁ ଆଜି ପର୍ଯ୍ୟନ୍ତ ୧୦୮୦ ଉଚ୍ଚ ବିଦ୍ୟାଳୟ ଓ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଧନ୍ଦାମୂଳକ ଶିକ୍ଷା ପାଠ୍ୟକ୍ରମ ଚାଲିଛି। ଏହି ପାଠ୍ୟକ୍ରମ ପରିଚାଳନା କରିବାକୁ କିଛି ଭୋକେସନାଲ ଟ୍ରେନିଂ ପାର୍ଟନର (ଯାହାକି ଏକ ଘରୋଇ କମ୍ପାନି)ଙ୍କୁ ଦାୟିତ୍ୱ ଦେଇଛନ୍ତି। ଚଳିତବର୍ଷ ମାର୍ଚ୍ଚ ୩୧ରେ ସେହି କମ୍ପାନିଗୁଡ଼ିକର ରାଜିନାମା ଓସେପା ସହ ଶେଷ ହୋଇଛି। ଏପର୍ଯ୍ୟନ୍ତ ପୁନଃନବୀକରଣ ହୋଇ ନ ଥିବାରୁ ଧନ୍ଦାମୂଳକ ଟ୍ରେନର୍ମାନେ ସ୍କୁଲ ଯିବେ କି ନାହିଁ ଦ୍ୱନ୍ଦ୍ବରେ ଅଛନ୍ତି। ସେମାନଙ୍କ ଚାକିରି ଅଛି କି ନାହିଁ, ସେ ନେଇ ମଧ୍ୟ ଚିନ୍ତାରେ। ଏହାର ସିଧାସଳଖ ପ୍ରଭାବ ତୃତୀୟ ଅପ୍ସନାଲ୍ ଭାବେ ଧନ୍ଦାମୂଳକ ଭାବେ ଗ୍ରହଣ କରିଥିବା ପିଲାଙ୍କ ଉପରେ ପଡ଼ିଛି। କମ୍ପାନିମାନେ ମନମାନି କରିବା ସହ ୪ରୁ ୫ ମାସ ଦରମା ନ ଦେଇ ଚୁପ୍ ବସିଛନ୍ତି। ରାଜ୍ୟ ସରକାର ମଧ୍ୟ ଏହି ସବୁ କଥା ଜାଣି ନିରବଦ୍ରଷ୍ଟା ସାଜିଥିବା ଅଭିଯୋଗ ହୋଇଛି। ବିଦ୍ୟାଳୟର ନବମ ଓ ଦଶମ ଦୁଇଟି ଶ୍ରେଣୀ ପାଇଁ ଦୁଇଟି ଟ୍ରେଡ୍ରେ ଶିକ୍ଷାଦାନ ଚାଲିଛି। ପ୍ରତି ଶ୍ରେଣୀରେ ପ୍ରାୟ ୮୦ ଜଣ ହିସାବରେ ପ୍ରତ୍ୟେକ ବିଦ୍ୟାଳୟରେ ୧୬୦ ଛାତ୍ରଛାତ୍ରୀ ପଢ଼ୁଛନ୍ତି। ତେଣୁ ୧ଲକ୍ଷ ୭୨ହଜାର ୮୦୦ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଏକପ୍ରକାର ଠପ୍ ହୋଇଯାଇଛି।
ଦୁଃଖର ବିଷୟ ହେଉଛି ଯେ ଏପ୍ରିଲ ୧ରୁ ଶିକ୍ଷାବର୍ଷ ଆରମ୍ଭ ହୋଇ ୧୪ ଦିନ ଅତିକ୍ରମ କରିଥିଲେ ମଧ୍ୟ ଧନ୍ଦାମୂଳକ ପାଠପଢ଼ା ହେଉନାହିଁ। ପିଲାମାନେ ଶ୍ରେଣୀ ଗୃହରେ ବସି ବସି ଘରକୁ ଫେରୁଛନ୍ତି। ଧନ୍ଦାମୂଳକ ଟ୍ରେନରମାନେ ଧୀରେ ଧୀରେ ବିଦ୍ୟାଳୟକୁ ଆସିବା ବନ୍ଦ କରିଦେଲେଣି। କମ୍ପାନି ସହ ସେମାନଙ୍କ ଚୁକ୍ତି ସରିଯାଇଛି। ଏଥିସହ ସେମାନଙ୍କୁ ୪ରୁ ୫ ମାସର ଦରମା ମଧ୍ୟ ମିଳିନାହିଁ। ଜାତୀୟ ଶିକ୍ଷାନୀତି-୨୦୨୦ରେ ଧନ୍ଦାମୂଳକ ଶିକ୍ଷାକୁ ଗୁରୁତ୍ୱ ଦେଉଥିବା ବେଳେ ଓଡ଼ିଶାରେ କାହିଁକି ଏତେ ଅବହେଳା କରାଯାଉଛି ବୋଲି ଏନ୍ପିଏସ୍ ମାଧ୍ୟମିକ ଶିକ୍ଷକ ସଂଘ ସଭାପତି ପ୍ରଦୀପ୍ତ କୁମାର ପ୍ରଧାନ ପ୍ରଶ୍ନ କରିଛନ୍ତି। ଯଦି ତୁରନ୍ତ ଏହି ସମସ୍ୟାର ସମାଧାନ ନହୁଏ ତେବେ ସଂଘ ଅଭିଭାବକଙ୍କ ସହ ରାଜରାସ୍ତାକୁ ଓହ୍ଲାଇବ ବୋଲି ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି।