ବିଦ୍ୟାଳୟରେ ଶିକ୍ଷା ସହ ମିଳିବ ଧନ୍ଦାମୂଳକ ଶିକ୍ଷା

ଅଧିକାରୀଙ୍କ ସହ ଆଲୋଚନା କଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ, ୧୫୦ ସ୍କୁଲରେ ଆରମ୍ଭ ହେବ ପାଇଲଟ୍ ପ୍ରକଳ୍ପ

ରାଜ୍ୟର ୫୦ ହଜାର ସରକାରୀ ସ୍କୁଲରେ ପାଣି, ବିଜୁଳି, ଶୌଚାଳୟ, ଇଣ୍ଟରନେଟ୍ ସୁବିଧା ଉପରେ ଗୁରୁତ୍ୱ ଦିଆଯିବ

ଭୁବନେଶ୍ୱର : ରାଜ୍ୟରେ ଶିକ୍ଷା ବ୍ୟବସ୍ଥା, ଶିକ୍ଷା କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ଏବଂ ନୂଆ ଜାତୀୟ ଶିକ୍ଷା ନୀତି-୨୦୨୦ର କାର୍ଯ୍ୟକାରିତା ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଉଚ୍ଚଶିକ୍ଷା ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି।

ଶିକ୍ଷ‌ା ବିଭାଗ ଦାୟିତ୍ବ ନେବା ପରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ଶନିବାର ପ୍ରଥମ କରି ରାଜ୍ୟର ଉଚ୍ଚଶିକ୍ଷା ଓ ଗଣଶିକ୍ଷା ବିଭାଗର ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଏହାପରେ ଶ୍ରୀ ପ୍ରଧାନ କହିଛନ୍ତି ଯେ, ବିଦ୍ୟାଳୟ ସ୍ତରରେ ଶିକ୍ଷା ସହ ଧନ୍ଦାମୂଳକ ଶିକ୍ଷା ଏବଂ ଦକ୍ଷତା ବିକାଶକୁ ଏକାଠି କରାଯିବ। ପ୍ରଥମ ପର୍ଯ୍ୟାୟରେ ୧୫୦ ସ୍କୁଲକୁ ନେଇ ପାଇଲଟ୍ ପ୍ରକଳ୍ପ ଆରମ୍ଭ କରିବା ନେଇ ଆଲୋଚନା ହୋଇଛି। ଏହାସହ ଆଗାମୀ ଦୁଇ ବର୍ଷ ମଧ୍ୟରେ ରାଜ୍ୟର ୫୦ ହଜାର ବିଦ୍ୟାଳୟରେ ପାଣି, ବିଜୁଳି, ଶୌଚାଳୟ, ଇଣ୍ଟରନେଟ୍ ସୁବିଧା ଉପଲବ୍ଧ ଉପରେ ଗୁରୁତ୍ୱ ଦିଆଯିବ।

ଭାରତ ନେଟ୍ ଯୋଜନାରେ ଇଣ୍ଟରନେଟ୍ ସଂଯୋଗ ଓ ଆନୁଷଙ୍ଗିକ ସୁବିଧା ଉପରେ ଗୁରୁତ୍ୱ ଦିଆଯିବ। ଶିକ୍ଷାର ବିକାଶ କରିବା ଉଭୟ ଭାରତ ଓ ରାଜ୍ୟ ସରକାରଙ୍କର ମିଳିତ ଦାୟିତ୍ୱ । କେନ୍ଦ୍ର ଓ ରାଜ୍ୟ ସମନ୍ୱୟରେ ନୂଆ ଶିକ୍ଷା ନୀତିରେ ବିଶେଷ ଭାବରେ ଗରିବ ଘରର ପିଲା ତଥା ସ୍କୁଲ ମାଡ଼ୁ ନଥିବା ପିଲାଙ୍କ ଦକ୍ଷତା ବୃଦ୍ଧି କରି ସେମାନଙ୍କୁ ସ୍ୱରୋଜଗାରର ବାଟ ଦେଖାଇବା ଆମର ଲକ୍ଷ୍ୟ ଏବଂ ଦାୟିତ୍ୱ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଉଚ୍ଚଶିକ୍ଷା ଅନୁଷ୍ଠାନଗୁଡ଼ିକର ଭିତିଭୂମିର ବିକାଶ ପାଇଁ ରୁସାର କାର୍ଯ୍ୟକାରିତା ଉପରେ ମନ୍ତ୍ରୀ ସମୀକ୍ଷା କରିଥିଲେ। ଓଡ଼ିଶାରେ ଅନଲାଇନ ଶିକ୍ଷାକୁ ମଜବୁତ୍ କରିବା, ଗବେଷଣା ପରିସଂସ୍ଥାନର ବିକାଶ ଏବଂ ଜାତୀୟ ଶିକ୍ଷା ନୀତି -୨୦୨୦ ଉପରେ ବିସ୍ତୁତ ଆଲୋଚନା କରିଥିଲେ। ସେହିପରି ଶିକ୍ଷକ ଶିକ୍ଷୟିତ୍ରୀ, ୧୮ ବର୍ଷରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଏବଂ ବିଦ୍ୟାଳୟ ଓ କଲେଜର କର୍ମଚାରୀଙ୍କ ଟିକାକରଣକୁ ଶତପ୍ରତିଶତ ସୁନିଶ୍ଚିତ କରିବା ପାଇଁ ଆସନ୍ତା ସେପ୍ଟେମ୍ବରରେ ଏକ ଅଭିଯାନ ଆରମ୍ଭ କରିବା ପାଇଁ ଉଚ୍ଚ ଶିକ୍ଷା ବିଭାଗର ଅଧିକାରୀଙ୍କୁ କେନ୍ଦ୍ରମନ୍ତ୍ରୀ ପରାମର୍ଶ ଦେଇଥିଲେ।

ଏହି ବୈଠକରେ ପରେ ଉଚ୍ଚଶିକ୍ଷା ବିଭାଗ ସଚିବ ଶାଶ୍ବତ ମିଶ୍ର କହିଛନ୍ତି ଯେ, ଖୁବ୍‌ ଶୀଘ୍ର ରୁସା-୩ ଆରମ୍ଭ ହେବା ନେଇ ଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି। ଏହି ଅବସରରେ ଆମକୁ ରୁସା-୧ ଓ ୨ରୁ ଅର୍ଥ ମିଳିନଥିବା କହିବାରୁ ବକେୟା ଅର୍ଥ ତୁରନ୍ତ ଦେବାକୁ ମନ୍ତ୍ରୀ ଶିକ୍ଷା ମନ୍ତ୍ରଣାଳୟର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାଦ୍ବାରା ଉଚ୍ଚଶିକ୍ଷାର ବିକାଶ ପାଇଁ ଆମକୁ ଅଧିକ ଅର୍ଥ ମିଳିବ। ସେହିପରି କୋଭିଡ଼ ପାଇଁ ଦୁଇଟି ଶିକ୍ଷା ବର୍ଷ ପ୍ରଭାବିତ ହୋଇଛି, ଯଥାଶୀଘ୍ର ଉଚ୍ଚଶିକ୍ଷାର ଅଂଶୀଦାରମାନଙ୍କର ସମ୍ପୂର୍ଣ୍ଣ ଟିକାକରଣ ଶେଷ କରି ପାଠପଢ଼ା ଆରମ୍ଭ କରିବା ଏବଂ ପରିସ୍ଥିତିକୁ ନଜର ରଖି ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ ଭଳି ୟୁଜି ଓ ପିଜିର ଅନ୍ୟ ବର୍ଷର ଛାତ୍ରଛାତ୍ରୀଙ୍କୁ ଶ୍ରେଣୀ ଶିକ୍ଷା ଦେବାକୁ ମନ୍ତ୍ରୀ କହିଛନ୍ତି।

ଏହି ବୈଠକରେ ଉଚ୍ଚଶିକ୍ଷା ପରିଷଦର ଉପାଧ୍ୟକ୍ଷ ଅଶୋକ କୁମାର ଦାସ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସଚିବ ସତ୍ୟବ୍ରତ ସାହୁଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର