ଧନ୍ଦାମୂଳକ ଶିକ୍ଷାର ଅଗ୍ରଗତି ନେଇ ମାନସମନ୍ଥନ : ସବୁ ସରକାରୀ ହାଇସ୍କୁଲରେ ଖୋଲିବାକୁ ଲକ୍ଷ୍ୟ

ଭୁବନେଶ୍ବର : ବ୍ୟାପକ ହେବ ଧନ୍ଦାମୂଳକ ଶିକ୍ଷା। ଅଧିକରୁ ଅଧିକ ଛାତ୍ରଛାତ୍ରୀ ଯେପରି ଏହି ପାଠ୍ୟକ୍ରମ ପ୍ରତି ଆଗ୍ରହ ପ୍ରକାଶ କରିବେ ଏବଂ ସେମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ସେନେଇ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଭୁବନେଶ୍ବରଠାରେ ମାନସମନ୍ଥନ ଆରମ୍ଭ ହୋଇଛି। ଦକ୍ଷିଣ, ପୂର୍ବ ଓ ଉତ୍ତର ପୂର୍ବ ଭାରତ ରାଜ୍ୟଗୁଡ଼ିକର ପ୍ରତିନିଧିମାନଙ୍କଠାରୁ ଧନ୍ଦାମୂଳକ ଶିକ୍ଷାର ଆବଶ୍ୟକତା, ସମସ୍ୟା, ଅଗ୍ରଗତି ଆଦି ବିଷୟ ଉପରେ ଆଲୋଚନା ହୋଇଛି। ଓଡ଼ିଶାରେ ଧନ୍ଦାମୂଳକ ଶିକ୍ଷା ପାଠ୍ୟକ୍ରମ କିଭଳି ଆହୁରି ବ୍ୟାପକ ହୋଇପାରିବ ସେନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ସରକାରୀ ବିଦ୍ୟାଳୟରେ ଧନ୍ଦାମୂଳକ ପାଠ୍ୟକ୍ରମ ଖୋଲିବା ଉପରେ ଗୁରୁତ୍ବାରୋପ କରାଯାଇଛି।

୨୦୧୬-୧୭ ଶିକ୍ଷାବର୍ଷରୁ ଓଡ଼ିଶାର ଉଚ୍ଚ ବିଦ୍ୟାଳୟଗୁଡ଼ିକରେ ଧନ୍ଦାମୂଳକ ଶିକ୍ଷା ପାଠ୍ୟକ୍ରମ ଖୋଲାଯାଇଥିଲା। ଏବେ ସୁଦ୍ଧା ୫୭୬ ଉଚ୍ଚ ବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୧୦ଟି ଟ୍ରେଡ୍‌ରେ ପିଲାଙ୍କୁ ଶିକ୍ଷା‌ ଦିଆଯାଇଛି। ନବମ, ଦଶମ, ଏକାଦଶ ଓ ଦ୍ବାଦଶ ଶ୍ରେଣୀରେ ଛାତ୍ରଛାତ୍ରୀଙ୍କୁ ଧନ୍ଦାମୂଳକ ଶିକ୍ଷା ଦିଆଯାଉଥିଲେ ମଧ୍ୟ ଉଚ୍ଚଶିକ୍ଷାରେ ସେଭଳି କୌଣସି ସୁଯୋଗ ନାହିଁ। ତେଣୁ ଯୁକ୍ତ୨ରେ ଧନ୍ଦାମୂଳକ ଶିକ୍ଷା ପାସ୍‌ କରିବା ପରେ ଛାତ୍ରଛାତ୍ରୀ କ’ଣ କରିବେ ତାହାକୁ ନେଇ ଦ୍ବନ୍ଦ୍ବରେ ରହୁଛନ୍ତି। ତେଣୁ ଉଚ୍ଚଶିକ୍ଷାରେ କିଭଳି ଧନ୍ଦାମୂଳକ ଶିକ୍ଷା ପାଠ୍ୟକ୍ରମ ଖୋଲିବା ସହ ନିଯୁକ୍ତି ସୁଯୋଗ ମିଳିବ ସେଦିଗରେ ପଦକ୍ଷେପ ନେବାକୁ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶାକୁ ପରାମର୍ଶ ଦିଆଯାଇଛି।

ମିଳିଥିବା ତଥ୍ୟ ଅନୁଯାୟୀ, ଏବେ ରାଜ୍ୟରେ ୫ ହଜାରରୁ ଅଧିକ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରହିଛି। ସେଥିମଧ୍ୟରୁ ମାତ୍ର ୮୭୬ଟି ବିଦ୍ୟାଳୟରେ ଏହି ପାଠ୍ୟକ୍ରମ ଖୋଲିଛି। ଦଶମ ଶ୍ରେଣୀରେ ହିନ୍ଦୀ, ସଂସ୍କୃତ ବ୍ୟତୀତ ତୃତୀୟ ବିଷୟ ଭାବେ ଧନ୍ଦାମୂଳକ ଶିକ୍ଷା ରଖାଯାଇଛି। ଏହି ବିଷୟରେ ଛାତ୍ରଛାତ୍ରୀ ଭଲ ରେଜଲ୍ଟ କରୁଥିବାରୁ ଅନ୍ୟ ବିଦ୍ୟାଳୟଗୁଡ଼ିକରେ ଏହାକୁ ଲାଗୁ କରିବାକୁ ଗଣଶିକ୍ଷା ବିଭାଗ ଯୋଜନା କରୁଛି। ଓଡ଼ିଶା ବିଦ୍ୟାଳୟ ଶିକ୍ଷା ପ୍ରକଳ୍ପ ପ୍ରାଧିକରଣ(ଓସେପା)ର ରାଜ୍ୟ ପ୍ରକଳ୍ପ ନିର୍ଦେଶକ ଭୁପେନ୍ଦ୍ର ସିଂ ପୁନିଆଙ୍କ କହିବାନୁଯାୟୀ ୨୦୧୬-୧୭ ଶିକ୍ଷାବର୍ଷରୁ ପ୍ରତିବର୍ଷ କିଛି ନା କିଛି ବିଦ୍ୟାଳୟ‌ରେ ଏହି ବିଷୟକୁ ସାମିଲ କରାଯାଇଛି। ଶିକ୍ଷାବର୍ଷ ଆରମ୍ଭ ହେବା ପୂର୍ବରୁ ଏନେଇ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟକୁ ପ୍ରସ୍ତାବ ପଠାଯାଇଥାଏ। ସେଠାରୁ ଅନୁମତି ମିଳିବା ପରେ ଆମେ ସ୍କୁଲରେ ଲାଗୁ କରିଥାଉ। ୨୦୨୦-୨୧ ଶିକ୍ଷାବର୍ଷ ପାଇଁ ଗାଇଡ୍‌ଲାଇନ୍‌ ଆସିବା ପରେ ମାର୍ଚ୍ଚ କିମ୍ବା ଏପ୍ରିଲ ମାସରେ ପ୍ରସ୍ତାବ ପଠାଇବୁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର