ଭୁବନେଶ୍ବର : ଏଆଇସିସି ଆହ୍ବାନ କ୍ରମେ ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ 'ଓଡ଼ିଶାର ସ୍ବର' କାର୍ଯ୍ୟକ୍ରମ ଉନ୍ମୋଚିତ ହୋଇଛି। ଦେଶରେ ଜାରି ରହିଥିବା କରୋନା ମହାମାରୀ ସଙ୍କଟ ସମୟରେ ବେକାରୀ ସମସ୍ୟା ଉତ୍କଟ ରୂପ ଧାରଣ କରିଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବେକାରି ସମସ୍ୟା ଦୂର କରିବାରେ ବିଫଳ ହୋଇଛନ୍ତି। ଏଥିପାଇଁ ଯୁବ କଂଗ୍ରେସ ପକ୍ଷରୁ ଏକ ଲିଙ୍କ୍ ଜାରି କରାଯାଇଛି। ଲିଙ୍କ୍ ଜରିଆରେ ଯୁବକ ଯୁବତୀମାନେ ନିଜ ନାମ ପଞ୍ଜୀକରଣ କରିବାକୁ ଅନୁରୋଧ କରାଯାଇଛି।
ସାମ୍ବାଦିକ ସମ୍ମିଳନୀ କରି ଯୁବ କଂଗ୍ରେସ ସଭାପତି ସ୍ମୃତି ରଞ୍ଜନ ଲେଙ୍କା ଅଭିଯୋଗ କରିଛନ୍ତି ଯେ, ବିଗତ ୪୫ ବର୍ଷ ଭିତରେ ଦେଶରେ ସବୁଠୁ ଅଧିକ ବେରୋଜଗାରୀ ଦେଖାଦେଇଛି। ବିଶେଷକରି ଓଡ଼ିଶାରେ ଏହି ସମସ୍ୟା ଅଧିକ ଉତ୍କଟ ରୂପ ନେଇଛି। ଡିଜିଟାଲ୍ ପ୍ଲାଟ୍ଫର୍ମ ଜରିଆରେ ସେମାନଙ୍କ ସ୍ବରକୁ ଶାଣିତ କରିବା ପାଇଁ ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଭାରତର ବେକାରୀ ସମସ୍ୟା ଉପରେ ଦଳ ଏକ ଭିଡିଓ ପ୍ରସ୍ତୁତ କରିବ। ଏଥିରେ ବେକାର ଯୁବକଯୁବତୀମାନେ ସୋସିଆଲ୍ ପ୍ଲାଟ୍ଫର୍ମ ଜରିଆରେ ଏଆଇସିସି ଯୁବ କଂଗ୍ରେସ ସହ ଯୋଡ଼ି ହୋଇପାରିବେ। ଏଥିରେ ଯୁବ ପ୍ରତିଭାମାନଙ୍କୁ ଚୟନ କରାଯିବା ସହିତ 'ଓଡ଼ିଶାର ସ୍ବର' କାର୍ଯ୍ୟକ୍ରମକୁ ପ୍ରତି ଜିଲ୍ଲା ଓ ବ୍ଲକ୍ ସ୍ତରକୁ ନିଆଯିବ ବୋଲି ଶ୍ରୀ ଲେଙ୍କା କହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଏଆଇସିସି ଯୁବ କଂଗ୍ରେସ ସମ୍ପାଦକ ତଥା ଓଡ଼ିଶା ପ୍ରଭାରୀ ରିଆଜୁଲ୍ ଅନ୍ସାରୀ, ଏଆଇସିସି ଯୁବ କଂଗ୍ରେସ ମୁଖପାତ୍ର ୟଶ୍ ଚୌଧୁରୀ, ପ୍ରଦେଶ ଯୁବ କଂଗ୍ରେସ ମୁଖପାତ୍ର ଅଭୟ କୁମାର ସାହୁ, ନଳିନୀକାନ୍ତ ନାୟକ, ସଂକୁନା କହଁର, ମହମ୍ମଦ ଅଲିମ୍, ରଞ୍ଜିତ୍ ପାତ୍ର, ଆର୍ଯ୍ୟବିହାର ଲେଙ୍କା, ଅମ୍ବିକା ଦାସ, ସୁମିତ୍ରା ଜେନା, ଆଶୁତୋଷ ଲେଙ୍କା, ସୁନିଲ୍ କୁମାର ମାଟିଆ, ବିଶ୍ବରଞ୍ଜନ ଦାସ, ବବିତା ବଡ଼ପଣ୍ଡା, ପ୍ରିୟା ଗଡ଼ନାୟକ ପ୍ରମୁଖ ଉପସ୍ଥିତ ଥିଲେ।