ମହାପ୍ରଭୁଙ୍କୁ ଅଖିଆ, ଅପୂଜା ରଖିବା ଘଟଣା: କମାଣ୍ଡରଙ୍କ ସମେତ ୯ ଜଣଙ୍କ ବୟାନ ରେକର୍ଡ଼

ପୁରୀ:‌ ଭିତରଚ୍ଛ ଓ ପୁଲିସ କର୍ମଚାରୀଙ୍କ ବିବାଦ ଯୋଗୁ ଡିସେମ୍ବର ୨୮ ତାରିଖରେ ଶ୍ରୀମନ୍ଦିରରେ ଯେଉଁ ବିଭ୍ରାଟ ଘଟିଲା ତାର ‌ଜୋରଦାର ଖୋଳତାଡ଼ ଆରମ୍ଭ କରିଛି ଶ୍ରୀମନ୍ଦିର ପ୍ରଶାସନ। ଭିତରଚ୍ଛ-ପୁଲିସ କର୍ମଚାରୀଙ୍କ ମଧ୍ୟରେ ହୋଇଥିବା ଗଣ୍ଡଗୋଳର ସିସିଟିଭି ଫୁଟେଜ୍‌କୁ ତନ୍ନ ତନ୍ନ ଯାଞ୍ଚ କରିବା ପରେ ଆଜି ମନ୍ଦିର କମାଣ୍ଡର, ଡେପୁଟି କମାଣ୍ଡର, ଜେଟିପି, ଚର୍ଚ୍ଚା ଆଦିଙ୍କ ବୟାନ ରେକର୍ଡ଼ କରାଯାଇଛି। କିଏ ଏଭଳି ବିଭ୍ରାଟର ସୂତ୍ରଧର ଜଣ ଜଣ କରି ପଚାରି ବୁଝିଛି ଶ୍ରୀମନ୍ଦିର ପ୍ରଶାସନ। ତେବେ ବୟାନ ରେକର୍ଡ଼ କାର୍ଯ୍ୟ ଆଜି ଶେଷ ହୋଇନି। ଆବଶ୍ୟକ ପଡ଼ିଲେ ଅନ୍ୟମାନଙ୍କର ବୟାନ ରେକର୍ଡ଼ କରାଯିବ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଶ୍ରୀମନ୍ଦିର ପ୍ରବେଶକୁ ନେଇ ଗତ ୨୭ ତାରିଖରେ ଭିତରଚ୍ଛ ଓ ସୁରକ୍ଷା ଦାୟିତ୍ବରେ ନିୟୋଜିତ ପୁଲିସ କର୍ମଚାରୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଠେଲାପେଲା, ଧସ୍ତାଧସ୍ତି ଓ ମୁଥ ମରାମରିରେ ଭିତରଚ୍ଛଙ୍କ ମୁହଁ ଫାଟି ରକ୍ତ ବାହାରିଥିଲା। ଏହାକୁ କେନ୍ଦ୍ର କରି ୨୮ ତାରିଖରେ ସେବାୟତମାନେ ଶ୍ରୀମନ୍ଦିରରେ ସେବା କାର୍ଯ୍ୟ ବନ୍ଦ କରି ଦେଇଥିଲେ। ଭୋର ୩ଟା ବଦଳରେ ସଂଧ୍ୟା ୫ଟାରେ ଦ୍ବାରଫିଟା ନୀତି ଅନୁଷ୍ଠିତ ହୋଇଥିଲା। ମହାପ୍ରଭୁ ୧୪ ଘଣ୍ଟା ଅଖିଆ, ଅପୂଜା ରହିଥିଲେ। ଏହାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ କଡ଼ା ଭାଷାରେ ବିଭିନ୍ନ ନିଯୋଗକୁ ଚିଠି କରିସାରିଛି। ଆଗକୁ ଯିଏ ବିଭ୍ରାଟ କରିବ ସେମାନଙ୍କ ପାଳିଆ ପୁରସ୍କାର କାଟି ଦିଆଯିବ ବୋଲି ରୋକଠୋକ୍ ଚେତାବନୀ ବି ଦେଇଛି। ଏଭଳି ପରିସ୍ଥିତିରେ ଆଜିର ବୟାନ ରେକର୍ଡ଼କୁ ନେଇ ପୁଣି ଥରେ ଚର୍ଚ୍ଚା ଆରମ୍ଭ ହୋଇଛି। ଗୁରୁବାର ପୂର୍ବାହ୍ଣ ପ୍ରାୟ ୧୧ଟାରେ ବୟାନ ରେକର୍ଡ଼ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଶ୍ରୀମନ୍ଦିର କାର୍ଯ୍ୟାଳୟରେ ନୀତି ପ୍ରଶାସକ, ଆଇନ ପରାମର୍ଶଦାତା ପ୍ରମୁଖଙ୍କ ଉପସ୍ଥିତିରେ ପ୍ରଥମେ କମାଣ୍ଡର, ଡେପୁଟି କମାଣ୍ଡରଙ୍କ ବୟାନ ରେକର୍ଡ଼ କରାଯିବା ପରେ ୨୮ ତାରିଖରେ ସେବା ଦାୟିତ୍ବରେ ଥିବା ୪ ଜଣ ଚର୍ଚ୍ଚାଙ୍କ ବୟାନ ରେକର୍ଡ଼ କରାଯାଇଥିଲା। ପରେ ଶ୍ରୀମନ୍ଦିର ଦାୟିତ୍ବରେ ଥିବା ୪ ଜଣ ଜେଟିପିଙ୍କ ବୟାନ ରେକର୍ଡ଼ କରାଯାଇଥିଲା। ଏ ସଂପର୍କରେ ଶ୍ରୀମନ୍ଦିର ନୀତି ପ୍ରଶାସକ ବିଶ୍ବଜିତ ବିଶ୍ବାଳ କହିଛନ୍ତି, ଆଜି କମାଣ୍ଡର, ଡେପୁଟି କମାଣ୍ଡରଙ୍କ ସହ ୮ ଜଣ ଚର୍ଚ୍ଚା ଓ ଜେଟିପିଙ୍କ ବୟାନ ରେକର୍ଡ଼ କରାଯାଇଛି। ଗତ ୨୮ ତାରିଖ ଘଟଣାରେ ବୟାନ ରେକର୍ଡ଼ ସ୍ବରୂପ ପ୍ରାରମ୍ଭିକ ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି। ଆବଶ୍ୟକ ପଡ଼ିଲେ ଅନ୍ୟମାନଙ୍କ ବୟାନ ରେକର୍ଡ଼ କରାଯିବ।

ସମ୍ବନ୍ଧିତ ଖବର