ଭୁବନେଶ୍ବର: ନରହତ୍ୟା, ଡକାୟତି, ଦାଦାବଟି ଆଦାୟ ଭଳି ସଂଗିନ ଆପରାଧିକ ମାମଲାରେ ଜେଲ୍‌ରେ ଥିବା ଦୁର୍ଦ୍ଦାନ୍ତ କଏଦୀଙ୍କ ଭଏସ୍‌ ରେକର୍ଡିଂ କରାଯିବ। ସ୍ବତନ୍ତ୍ର ଡାଟାବେସ୍‌ରେ ସେସବୁ ରେକର୍ଡିଂକୁ ସାଇତି ରଖାଯିବ। କେବଳ ସେତିକି ନୁହେଁ, ତିହାର ଜେଲ୍‌ ଭଳି ରାଜ୍ୟର କେତେକ ପ୍ରମୁଖ ଜେଲ୍‌ରେ ଅଡିଓ ଟ୍ରାକର୍‌ ଖଞ୍ଜାଯିବ। ସେହିଭଳି ଜାମର୍‌ ବ୍ୟବସ୍ଥା ଉପରେ ସମୀକ୍ଷା କରାଯିବ ଏବଂ ରାଜ୍ୟର ସମସ୍ତ ୮୭ ଜେଲ୍‌ର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବ। ନୂଆକରି ଦାୟିତ୍ବ ନେବା ପରେ ଜେଲ୍‌ ଡିଜି ସୁଶାନ୍ତ ନାଥ ଏଭଳି କିଛି ସଂସ୍କାରମୂଳକ କାର୍ଯ୍ୟକ୍ରମ କରାଯିବ ବୋଲି ସୂଚନା ଦେଇଛନ୍ତି।   
ବହୁ ସମୟରେ ଜେଲ୍‌ରେ ଥିବା ଦୁର୍ଦ୍ଦାନ୍ତ ଅପରାଧୀମାନେ ମଧ୍ୟ ଅପରାଧଜଗତର ମଙ୍ଗ ସମ୍ଭାଳିବା ଦେଖାଯାଏ। କିନ୍ତୁ ଏହାକୁ ପ୍ରମାଣ କରିବା କାଠିକର ପାଠ ହୋଇଥାଏ। ମାତ୍ର ଭଏସ୍‌ ରେକର୍ଡିଂ ବ୍ୟବସ୍ଥା ଏଭଳି ମାମଲାରେ ବହୁ ଉପାଦେୟ ହୋଇପାରିବ।

Advertisment

ଜେଲ୍‌ ବାହାରେ ଘଟୁଥିବା ବଡ଼ଧରଣର ଅପରାଧରେ କୌଣସି କଏଦୀର ହାତ ରହିଛି କି ନା, ଏହି ଭଏସ୍‌ ରେକର୍ଡିଂରୁ ଜାଣିହେବ। ଦେଶର ବହୁ ଜେଲ୍‌ରେ ଏଭଳି ବ୍ୟବସ୍ଥା ବହୁ ଫଳପ୍ରଦ ହେଉଥିବାରୁ ଓଡ଼ିଶାରେ ମଧ୍ୟ ସେହି ବ୍ୟବସ୍ଥା ଲାଗୁ କରାଯିବାକୁ ଉଦ୍ୟମ କରାଯିବ ବୋଲି ଜେଲ୍‌ ଡିଜି ଶ୍ରୀ ନାଥ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଅତୀତରେ ଜେଲ୍‌ ଭିତରେ କଏଦୀଙ୍କ ମଧ୍ୟରେ ଗ୍ୟାଙ୍ଗ୍‌ୱାର ହୋଇଛି। ଜେଲ୍‌ ସୁରକ୍ଷାକୁ ହାଇଜାକ୍‌ କରି କଏଦୀମାନେ ଜେଲ୍‌ ଷ୍ଟାଫ୍‌ଙ୍କୁ ଆକ୍ରମଣ କରିଛନ୍ତି। ଜେଲ୍‌ ଭିତରେ ମାରଣାସ୍ତ୍ର ଧରି କଏଦୀମାନେ ଭିଡିଓ ପ୍ରସ୍ତୁତ କରି ଭାଇରାଲ୍‌ କରିବାକୁ ସାହସ କରୁଛନ୍ତି। ଅତୀତରେ ଜେଲ୍‌ ଵାର୍ଡର ମାନସ ନାୟକ ହତ୍ୟାକାଣ୍ଡର ଷଡ୍‌ଯନ୍ତ୍ର ଜେଲ୍‌ ଭିତରେ ହିଁ ହୋଇଥିଲା। ସେହିଭଳି ଜେଲ୍‌ରେ ରହି ମଧ୍ୟ ଅପରାଧୀମାନେ ନିଶା କାରବାରର ମଙ୍ଗ ଧରୁଛନ୍ତି। ତେଣୁ ଅଡିଓ ଟ୍ରାକର୍‌ ବ୍ୟବସ୍ଥାରେ ଏଭଳି ସଂଗଠିତ ଅପରାଧରେ ଅଙ୍କୁଶ ଲାଗିପାରିବ। ସମ୍ପ୍ରତି ଜେଲ୍‌ଗୁଡ଼ିକରେ ଜାମର୍‌ ଓ ସିସିଟିଭିଗୁଡ଼ିକର କିଭଳି କାର୍ଯ୍ୟକାରିତା ରହିଛି, ସେନେଇ ସମୀକ୍ଷା କରାଯିବ ଏବଂ ଅଡିଟ୍‌ ଜରିଆରେ ସେସବୁ କ୍ଷେତ୍ରରେ ସୁଧାର ଅଣାଯିବ। ଏସବୁ ପରେ କଏଦୀଙ୍କ କଲ୍ୟାଣ ପାଇଁ ସଂସ୍କାରମୂଳକ କାର୍ଯ୍ୟକ୍ରମ ଉପରେ ଅଧିକ ଫୋକସ୍‌ କରାଯିବ ବୋଲି ସେ କହିଛନ୍ତି। ଯୋଗ, ପ୍ରାଣାୟମ ଭଳି କାର୍ଯ୍ୟକ୍ରମକୁ ସବୁ ଜେଲ୍‌ରେ କିଭଳି ନିୟମିତ କରାଯିବ, ସେଥିପ୍ରତି ଗୁରୁତ୍ବ ଦିଆଯିବ ବୋଲି ସେ କହିଛନ୍ତି।