ଜଙ୍ଗଲ ନିଆଁକୁ ଆୟତ୍ତ କରୁଛନ୍ତି ସ୍ବେଚ୍ଛାସେବୀ

ସମ୍ବଲପୁର : ଗ୍ରୀଷ୍ମ ଋତୁ ଆସିବା ପରେ ଗଛଗୁଡ଼ିକ ସାଧାରଣତଃ ପତ୍ରଝଡ଼ା ଦେଇଥାଏ। ଏହି ସମୟରେ ଶୁଖିଲା ପତ୍ରଗୁଡ଼ିକ ଗଛ ତଳେ ପଡ଼ି ରହେ। ତେବେ ଏହି ପତ୍ରରେ ନିଆଁ ଲାଗିଲେ ତାହା ପୂରା ଜଙ୍ଗଲକୁ ଜାଳିଦେବାର କ୍ଷମତା ରଖେ। କିଛି ଅସାମାଜିକ ଯୁବକ ଜାଣିଶୁଣି ଜଙ୍ଗଲରେ ନିଆଁ ଲଗାଇ ଦେଉଥିବାରୁ ଅନେକ ପ୍ରାକୃତିକ ସମ୍ପଦ ଜଳିପୋଡ଼ି ନଷ୍ଟ ହୋଇଯାଏ। ତେବେ ଏମିତି ବି କିଛି ଯୁବ ସ୍ବେଚ୍ଛାସେବୀ ଅଛନ୍ତି ଯେଉଁମାନେ ପ୍ରକୃତିର ରକ୍ଷା ପାଇଁ ଜଙ୍ଗଲରେ ଲାଗୁଥିବା ନିଆଁକୁ ଲିଭାଉଛନ୍ତି। ଧନକଉଡ଼ା ବ୍ଲକ ବିଶାଲଖିଣ୍ଡା ପଞ୍ଚାୟତ ଟିଠେଇପାଲି ହରଡଜୋର୍‌ ନିକଟରେ ଥିବା ସାଲେଡୁଙ୍ଗୁରୀ ସଂରକ୍ଷିତ ଜଙ୍ଗଲରେ କିଛିଦିନ ହେବ ଲଗାତାର ଭାବେ ନିଆଁ ଲାଗୁଛି। କିଏ ନିଆଁ ଲଗାଉଛନ୍ତି ତାହା ଜଣାପଡ଼ୁ ନାହିଁ। କିନ୍ତୁ କିଛି ଯୁବ ସ୍ବେଚ୍ଛାସେବୀ ଏହି ନିଆଁକୁ ଲିଭାଇବାକୁ ଲାଗିପଡ଼ନ୍ତି।

ସ୍ବେଚ୍ଛାସେବୀମାନେ ବର୍ତ୍ତମାନ ସୁଦ୍ଧା ୫ରୁ ଅଧିକ ଥର ନିଆଁ ଲିଭାଇ ସାରିଲେଣି। ଏହି ସ୍ବେଚ୍ଛାସେବୀମାନେ କଞ୍ଚାଡାଳ ଧରି ଘଣ୍ଟାଘଣ୍ଟା ପରିଶ୍ରମ କରି ନିଆଁକୁ ଲିଭାଉଛନ୍ତି। ଗୋରେଖନାଥ ଯୁବ ସଂଗଠନ ଏହି ନିଆଁ ଲିଭାର ଦାୟିତ୍ବ ନେଇଛି। ସଂଗଠନର କୌଣସି ଜଣଙ୍କ ନଜରରେ ଯଦି ନିଆଁ ଲାଗିଥିବା ପଡ଼େ ତେବେ ସେ ତୁରନ୍ତ ଅନ୍ୟ ସହଯୋଗୀଙ୍କୁ ସୂଚନା ଦେଇ ସେଠାକୁ ଡାକି ଦିଅନ୍ତି ଏବଂ ସେମାନେ ମିଶି ଉକ୍ତ ନିଆଁକୁ ଲିଭାଇ ଥାନ୍ତି। ପ୍ରକୃତିକୁ ସବୁଠାରୁ ମୂଲ୍ୟବାନ ସମ୍ପଦ ବୋଲି ଭାବୁଥିବା ଏହି ସ୍ବେଚ୍ଛାସେବୀମାନେ ଆଗକୁ ମଧ୍ୟ ଏହି ପ୍ରୟାସ ଜାରି ରଖିବେ ବୋଲି କହିଛନ୍ତି। ଏହା ସହିତ ଜଙ୍ଗଲରେ ନିଆଁ ନ ଲଗାଇବା ଏବଂ ବୃକ୍ଷ ରୋପଣ କରିବାକୁ ସଂଗଠନ ପକ୍ଷରୁ ବିଭିନ୍ନ ସ୍ଥାନକୁ ବୁଲି ବୁଲି ସାଧାରଣ ଲୋକଙ୍କୁ ସଚେତନ ମଧ୍ୟ କରୁଛନ୍ତି। ପ୍ରଶାସନ ପକ୍ଷରୁ ମଧ୍ୟ ଲୋକଙ୍କୁ ଏ ନେଇ ସଚେତନ କରିବା ଆବଶ୍ୟକ ବୋଲି ସ୍ବେଚ୍ଛାସେବୀମାନେ କହିଛନ୍ତି। ସ୍ବେଚ୍ଛାସେବୀ ଚତୁର୍ଭୁଜ ଗର୍ଡିଆ, ହାରାଚାନ୍ଦ ବାଗ, ସଂଜୀବ କୁମାର ବାଗ, ସତ୍ୟବାନ ସିଂହ, ହୃଷିକେଶ ଲୁହା, ରାଜେଶ ମହାନନ୍ଦ ପ୍ରମୁଖ ଏହି ନିଆଁ ଲିଭାର ନେତୃତ୍ବ ନେଉଛନ୍ତି।

ସମ୍ବନ୍ଧିତ ଖବର