ସ୍ଥାନୀୟ ରୁଟ୍‌ରେ ଚାଲୁଛି ଭଲ୍‌ବୋ ବସ୍

ବରଗଡ଼: ବରଗଡ଼ ପଶ୍ଚିମ ଓଡ଼ିଶାର ଏକ ପ୍ରମୁଖ ବ୍ୟବସାୟିକ ସହର। ବ୍ୟବସାୟୀ ହୁଅନ୍ତୁ କି ସାଧାରଣ ଯାତ୍ରୀ, ଏଠାରୁ ବିଭିନ୍ନ ସହରକୁ ଯାତାୟତ ଲାଗି ରହୁଛି। କିନ୍ତୁ ଆଶ୍ଚର୍ଯ୍ୟର କଥା କେବଳ ବ୍ରହ୍ମପୁରକୁ ବାଦ୍‌ ଦେଇ ଅନ୍ୟ କୌଣସି ସହର ପାଇଁ ଏଠାରୁ ସିଧାସଳଖ ସରକାରୀ ବସ୍‌ର ବ୍ୟବସ୍ଥା ନାହିଁ। ଅନ୍ୟପକ୍ଷରେ ବରଗଡ଼ରୁ ବାରାଣାସୀ ଚାଲିବା ପାଇଁ ଆସିଥିବା ଦୁଇଟି ଅତ୍ୟାଧୁନିକ ଭଲ୍‌ବୋ ବସ୍‌ ଦେଢ଼ ବର୍ଷ ବରଗଡ଼ ବସ୍‌ଷ୍ଟାଣ୍ଡରେ ପଡ଼ିବା ପରେ ଏବେ ତାହା ଭୁବନେଶ୍ୱର-ବ୍ରହ୍ମପୁର ମଧ୍ୟରେ ଲୋକାଲ୍‌ ବସ୍‌ ଭାବରେ ଚଳାଚଳ କରୁଛି। ଏହାକୁ ନେଇ ତୀବ୍ର ଜନ ଅସନ୍ତୋଷ ପ୍ରକାଶ ପାଇଛି । ଏଠାରେ ଉଲ୍ଳେଖ ଯୋଗ୍ୟ, ପଚାଶ ଦଶକରେ ତତ୍କାଳୀନ ବରଗଡ଼ ବିଧାୟକ ତଥା ପରିବହନ ମନ୍ତ୍ରୀ ଥିବା ତୀର୍ଥବାସୀ ପ୍ରଧାନଙ୍କ ସମୟରେ ବରଗଡ଼ ସରକାରୀ ବସଷ୍ଟାଣ୍ଡ ଆରମ୍ଭ ହୋଇଥିଲା।

ଏହି ସମୟରେ ଏହା ଓଡ଼ିଶାର ସବୁଠାରୁ ବଡ଼ ବସ୍‌ଷ୍ଟାଣ୍ଡ ଥିଲା। ଜିଲ୍ଳା ଭିତରେ ତଥା ଜିଲ୍ଳା ବାହାରେ ବହୁ ସ୍ଥାନକୁ ଏଠାରୁ ବସ୍‌ ଚଳାଚଳ କରୁଥିଲା।  ମାତ୍ର ଏବେ ବରଗଡ଼ ଜୋନ୍‌ରୁ ମାତ୍ର ୧୦ଟି ରୁଟ୍‌କୁ ବସ୍‌ ଚଳାଚଳ କରୁଛି।  ବଡ଼ ସହର ମଧ୍ୟରେ କେବଳ ବ୍ରହ୍ମପୁରକୁ ବସ୍‌ ସଂଯୋଗ ରହିଛି। ବରଗଡ଼ରୁ ଭୁବନେଶ୍ୱର, ରାଉରକେଲା, ବାଲେଶ୍ୱର, ବାରିପଦା, ଜୟପୁର ଭଳି କୌଣସି ସହରରକୁ ବସ୍‌ ନାହିଁ । କଟକକୁ ଯାଉଥିବା ବସ୍‌ଟି ଅପରାହ୍ନ ସାଢ଼େ ୩ଟାରେ ଛାଡ଼ି ନୟାଗଡ଼ ଦେଇ ଯାଉଥିବାରୁ ଏଥିରେ ଲୋକେ ଯିବାକୁ ପସନ୍ଦ କରୁନାହାନ୍ତି। ସନ୍ଧ୍ୟାରୁ ରାତି ୧୦ ଟା ପର୍ଯ୍ୟନ୍ତ ବରଗଡ଼ରୁ ଭୁବନେଶ୍ୱର ପର୍ଯ୍ୟନ୍ତ କୌଣସି ଟ୍ରେନ୍‌ ମଧ୍ୟ ନାହିଁ। ଏହାବାଦ୍‌ ବରଗଡ଼ ପ୍ରୟାଗରାଜ ଓ ବନାରସକୁ ସିଧାସଳଖ ବସ ଚଳାଇବା ପାଇଁ ୨୦୨୧ ରେ ଦୁଇଟି ଭଲ୍‌ବୋ ବସ୍‌ ବରଗଡ଼କୁ ଦିଆଯାଇଥିଲା ।

ଏହି ଦୁଇଟି ବସ୍‌ ଆସିବା ପରେ ଏହାର ପଞ୍ଜୀକରଣ କରାଯାଇ ରୁଟ୍‌ ପରମିଟ୍‌ ପାଇଁ ଆବେଦନ କରାଯାଇଥିଲା । ମାତ୍ର ଏହି ପରମିଟ୍‌ ମିଳି ନ ଥିବା ବେଳେ ହକି ବିଶ୍ୱକପ୍‌ ସମୟରେ ସାମୟିକ ଭାବରେ ଏହାକୁ ଭୁବନେଶ୍ୱରକୁ ନିଆଯାଇଥିଲା । ମାତ୍ର ହକି ବିଶ୍ୱ କପ ସରିବାର ବହୁ ଦିନ ବିତି ଯାଇଥିଲେ ସୁଦ୍ଧା ଏହା ଆଉ ବରଗଡ଼କୁ ଫେରିନାହିଁ। ଦୁଇ ଦିନ ତଳେ ଏହି ବସଗୁଡିକ ବ୍ରହ୍ମପୁର-ଭୁବନେଶ୍ୱର ମଧ୍ୟରେ ଲୋକାଲ୍‌ ଭାବେ ଚାଲୁଥିବା କଥା ସୋସିଆଲ ମିଡିଆରେ ପୋଷ୍ଟିଂ ହେବା ପରେ ଏହାକୁ ନେଇ ସହରରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଅସ୍ଥି ପ୍ରବାହ ଓ ଅନ୍ୟ ଧାର୍ମିକ କାର୍ଯ୍ୟ ପାଇଁ ବରଗଡ଼ ଅଂଚଳରୁ ଲୋକେ ବିଲାସପୁର ଦେଇ ବହୁ ପଥ ଅତିକ୍ରାନ୍ତ କରି ଟ୍ରେନ୍‌ରେ ବନାରସ ଯାଇଥାନ୍ତି। ତେଣୁ ଏହି ବସ୍‌ ବରଗଡ଼ରୁ ଚାଲିଥିଲେ ଲୋକଙ୍କ ବେଶ ସୁବିଧା ହୋଇଥାନ୍ତା ବୋଲି ଜନସାଧାରଣ ଆନନ୍ଦ ପ୍ରକାଶ କରିଥିଲେ । ମା୍‌ତ୍ର ଏହି ନୂତନ ନିଷ୍ପତ୍ତି ଲୋକଙ୍କୁ ନିରାଶ କରିଛି । ବିଭିନ୍ନ ରାଜନୈତିକ ଦଳ, ଜନପ୍ରତିନିଧି ଓ ସାମାଜିକ ଅନୁଷ୍ଠାନ ଏହାକୁ ନେଇ ଦାବି ଉଠାଉ ଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ।  ତେଣୁ ଏହାକୁ ନେଇ ଭବିଷ୍ୟତରେ ଆନ୍ଦୋଳନ କରିବାକୁ ଜନସାଧାରଣ ଓ ବିଭିନ୍ନ ସଂଗଠନ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର