ପୁରୀରେ ପୁଣି ଝାଡ଼ାବାନ୍ତି: ୨ ମୃତ, ୨୦ ଆକ୍ରାନ୍ତ

ନଳା ଭିତରେ ପଡ଼ିଛି ପାଣି ପାଇପ

ପୁରୀ: ପୁରୀରେ ପୁଣି କାୟା ମେଲାଉଛି ଝାଡ଼ାବାନ୍ତି। ବାଲିସାହି ବରାହୀ ଲେନ୍‌ ଓ ସଂଲଗ୍ନ ସାହିମାନଙ୍କରେ ଝାଡ଼ା ବାନ୍ତିରେ ୨୦ରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି। ଆକ୍ରାନ୍ତଙ୍କ ଭିତରୁ ଦୁଇଜଣଙ୍କ ମୃତ୍ୟୁ ହୋଇଛି ଓ ବାକି ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ମୃତ ଦୁଇଜଣ ହେଲେ ବାଲିସାହିସ୍ଥିତ ଟେଷ୍ଟ୍‌ ଏନ୍‌ ଟ୍ବିଷ୍ଟ୍‌ ଖଜା ଦୋକାନର ମାଲିକ ଦାମୋଦର ପଣ୍ଡା(୫୦) ଓ ନିକଟସ୍ଥ ଏକ ମଠର ଜଣେ ମାତାଜୀ। ଇତିମଧ୍ୟରେ ୫ ଦିନ ତଳୁ ଆରମ୍ଭ ହୋଇଥିବା ଝାଡ଼ାବାନ୍ତି ମହାମାରୀର ରୂପ ନେଲାଣି। ୫ ଦିନ ହେଲା ଆଇଡିଏଚ୍‌ରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଅଞ୍ଚଳବାସୀ ଦୂଷିତ ପାଣି ପାଇଁ ଝାଡ଼ାବାନ୍ତି ବ୍ୟାପୁଥିବା ଅଭିଯୋଗ କରି ଆସୁଛନ୍ତି। କିନ୍ତୁ ଦୁର୍ଭାଗ୍ୟ, ଅଦ୍ୟାବଧି ଆକ୍ରାନ୍ତ ଅଞ୍ଚଳରେ ସ୍ବାସ୍ଥ୍ୟ ବିଭାଗର ପାଦ ପଡ଼ିନି କି ଝାଡ଼ାବାନ୍ତିର କାରଣ ଖୋଜାଯାଇନି। ଏଣେ ଦୁଇ ଜଣଙ୍କ ମୃତ୍ୟୁ ଏବଂ ସ୍ଥାନୀୟ ଅଞ୍ଚଳରେ ଝାଡ଼ା ବାନ୍ତି ବ୍ୟାପିବା ପରେ ସ୍ଥାନୀୟ ବାସିନ୍ଦାମାନେ ଭୟଭୀତ ହୋଇପଡ଼ିଛନ୍ତି। ୱାଟ୍‌କୋ ପକ୍ଷରୁ ପାଣି ଦୂଷିତ ଅଭିଯୋଗକୁ ଖଣ୍ଡନ କରାଯାଇଛି।

ପୁରୀର ବରାହୀ ଲେନ୍‌, ଶ୍ବେତଗଙ୍ଗା ଲେନ୍‌, ଗୁଡ଼ିଆସାହି, ଖୁଣ୍ଟିଆସାହି, ବଢ଼େଇ ଗଳି, ଶ୍ୟାମାକାଳୀ ଲେନ୍‌ ଆଦି ଅଞ୍ଚଳରେ କେତେକ ପରିବାରରେ ଝାଡ଼ାବାନ୍ତିରେ ଲୋକେ ଆକ୍ରାନ୍ତ ହୋଇଛନ୍ତି। ଗତ ୨୨ ତାରିଖରେ ବାଲିସାହିସ୍ଥିତ ଟେଷ୍ଟ୍‌ ଏନ୍‌ ଟ୍ବିଷ୍ଟ ଖଜା ଦୋକାନର ମାଲିକ ଦାମୋଦର ପଣ୍ଡା(୫୦)ଙ୍କର ଝାଡ଼ାବାନ୍ତିରେ ମୃତ୍ୟୁ ଘଟିଥିଲା। ଏହା ପରେ ପରେ ଜଣେ ମାତାଜୀଙ୍କର ମଧ୍ୟ ଝାଡ଼ାବାନ୍ତିରେ ମୃତ୍ୟୁଘଟିଛି। ସେହିଭଳି ରଶ୍ମିତା ସାହୁ, ରବିନାରାୟଣ ସାହୁ, ବୃନ୍ଦାବନ ପରିଡ଼ା, ସଂଯୁକ୍ତା ପାତାଳସିଂହ ପ୍ରମୁଖ ହଇଜା ଓ ସଂକ୍ରମଣ ଚିକିତ୍ସାଳୟ(ଆଇଡିଏଚ୍‌)ରେ ଚିକିତ୍ସିତ ହେଉଛନ୍ତି। କିଛି ରୋଗୀ ଗତକାଲିଠାରୁ ଭର୍ତ୍ତି ହୋଇଥିଲେ ଓ ଆଜି ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆଉ କିଛି ରୋଗୀଙ୍କୁ ପରିବାରବର୍ଗ ଦୋଳମଣ୍ଡପସାହିର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ କରୁଛନ୍ତି। କିଛି ବ୍ୟକ୍ତି ଔଷଧଦୋକାନରୁ ଝାଡ଼ାବାନ୍ତି ଔଷଧ ଓ ଓଆର୍‌ଏସ୍‌ କିଣି ନେଇ ଖାଉଥିବା କହିଛନ୍ତି। ବିଡ଼ମ୍ବନା ଏହି ଯେ, ପାନୀୟ ଜଳ ପାଇଁ ଘରକୁ ସଂଯୋଗ ହୋଇଥିବା ପାଇପ୍‌ ନଳା ମଧ୍ୟରେ ବିଛାଯାଇଛି। ତେଣୁ ପାଇପ କେଉଁଠାରେ ଫାଟି ନଳା ପାଣି ପାଇପରେ ମିଶୁଥିବା ସନ୍ଦେହ କରି ସ୍ଥାନୀୟ ବାସିନ୍ଦାମାନେ ଗତ ୨୨ ତାରିଖରେ ୱାଟ୍‌କୋକୁ ଯାଞ୍ଚ ପାଇଁ ଦାବି କରିଥିଲେ। ମାତ୍ର ଏହାକୁ ଗୁରୁତ୍ବର ସହ ନିଆଯାଇନଥିଲା।

ଯାହାର ପରିଣାମ ଆଜି ଆଖପାଖ ଅଞ୍ଚଳବାସୀ ଝାଡ଼ାବାନ୍ତିରେ ପଡ଼ିଛନ୍ତି। ବାଲିସାହି ବରାହୀ ଲେନ୍‌ର ବାସିନ୍ଦା ବାପିନ ତ୍ରିପାଠୀ କହିଛନ୍ତି, ନଳା ଭିତରେ ପାଣି ପାଇପ ଘରମାନଙ୍କୁ ସଂଯୋଗ ହୋଇଛି। ସ୍ବେରେଜ୍‌ ଲାଇନ୍‌ ମଧ୍ୟ ଏହା ପାଖରେ ଯାଇଛି। ଅଧିକାଂଶ ଲୋକେ ସରକାରଙ୍କ ଏହି ୨୪ ଘଣ୍ଟିଆ ପାନୀୟ ଜଳଯୋଗାଣ ବ୍ୟବସ୍ଥା ଉପରେ ନିର୍ଭର କରୁଛନ୍ତି। ଅଥଚ ପାଣି ପାଇପ୍‌କୁ ନଳା ମଧ୍ୟରୁ ହଟାଯାଉନଥିବାରୁ ପାଇପ୍‌ ଫାଟି ନଳା ପାଣି ମିଶୁଥିବା ସନ୍ଦେହ ହେଉଛି। ଜଣେ ପରେ ଜଣେ ଆକ୍ରାନ୍ତ ହେଉଥିବାରୁ ଲୋକେ ଏହି ପାଣି ପିଇବାକୁ ଡରିଲେଣି ବୋଲି ସେ କହିଛନ୍ତି। ଏ ନେଇ ଆଇଡିଏଚ୍‌ର ଡା. ଧୀରେନ୍ଦ୍ର କୁମାର ପଟ୍ଟନାୟକ କହିଛନ୍ତି, ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ଅବସ୍ଥା ସ୍ଥିର ରହିଛି। ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ରୋଗୀ ଓ ଚିକିତ୍ସିତ ହୋଇ ଘରକୁ ଫେରିଥିବା ରୋଗୀଙ୍କ ଅବସ୍ଥା ଗମ୍ଭୀର ନୁହେଁ। ସେମାନଙ୍କୁ ଆବଶ୍ୟକ ଔଷଧ ସହ ଚିକିତ୍ସା ଯୋଗାଇ ଦିଆଯାଇଛି। ପାଣି ପାଇଁ ଏଭଳି ସମସ୍ୟା ହୋଇଥିବା ରୋଗୀମାନେ କହୁଥିବାରୁ ଏ ନେଇ ମେଡିକାଲ ଅଧୀକ୍ଷକକୁ ଅବଗତ କରିଛୁ। ବାସ୍ତବ ରିପୋର୍ଟ ଆସିବା ପରେ ଏହାର ପ୍ରକୃତ କାରଣ ଜଣାପଡ଼ିବ ବୋଲି ଡା. ପଟ୍ଟନାୟକ କହିଛନ୍ତି। ଡାକ୍ତର ପଟ୍ଟନାୟକ କହିଛନ୍ତି, ଝାଡ଼ାବାନ୍ତି ପାଇଁ ଆମ ପାଖରେ ଆବଶ୍ୟକ ଔଷଧ ମହଜୁଦ ରହିଛି। ରୋଗୀଙ୍କ ସଂଖ୍ୟା ନିୟନ୍ତ୍ରଣ ଭିତରେ ରହିଛି
ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର