ବେଲପଡ଼ା: ବଲାଙ୍ଗୀର ଜିଲ୍ଲା ବେଲପଡ଼ା ବ୍ଲକ ଅନ୍ତର୍ଗତ ମୁଣ୍ଡୋଦର୍ହ ଗାଁରେ ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଛି। ଗୋଟିଏ ସପ୍ତାହରେ ଗାଁର ୫୦ ଜଣ ଆକ୍ରାନ୍ତ ହୋଇଥିବା ବେଳେ ଜନୈକ ରୂପାନନ୍ଦ ଭୋଇଙ୍କ ମୃତ୍ୟୁ ହୋଇଛି । ବର୍ତ୍ତମାନ ପାଟଣାଗଡ଼ ହସ୍ପିଟାଲରେ ଗାଁର ଯଶୋଦା ପୁଟେଲ, ମିତ୍ର ପୁଟେଲଙ୍କ ସହ ୫ ଜଣ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି। କନକ ଭୋଇଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତାଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲକୁ ପଠାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ସାବିତ୍ରୀ ଭୋଇ, ଚନ୍ଦ୍ରମଣି ଶବର, ଜାନକୀ ସେଟ, ଲକ୍ଷ୍ମଣ ସେଟ, ସୁଶୀଳା ଜାଲ, ଜଗଦୀଶ ଭୋଇ ପ୍ରମୁଖ ନିଜ ନିଜ ଘରେ ଚିକିତ୍ସିତ ହେଉଛନ୍ତି। ତେବେ କ’ଣ ପାଇଁ ଝାଡ଼ାବାନ୍ତି ବ୍ୟାପୁଛି ଜଣାପଡ଼ିନଥିବା ବେଳେ ପାନୀୟ ଜଳ ଯୋଗୁଁ ହେଉଥିବା ଅନୁମାନ କରାଯାଉଛି। ବେଲପଡ଼ା ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ରବୀନ୍ଦ୍ର ମେହେରଙ୍କ ନେତୃତ୍ୱରେ ଗାଁରେ ୨ଟି ଡାକ୍ତରୀ ଟିମ ପହଞ୍ଚି ଚିକିତ୍ସା ଜାରି ରଖିଛନ୍ତି। ବେଲପଡ଼ା ବିଡିଓ ରାଜେଶ ମେହେର ମଧ୍ୟ ଗାଁର ସ୍ଥିତି ପରଖିବା ସହ ଆବଶ୍ୟକ ପଦକ୍ଷେପ ନିଆଯାଉଥିବା ସୂଚନା ଦେଇଛନ୍ତି। ତେବେ ଗାଁରେ ଭୟର ବାତାବରଣ ଲାଗି ରହିଥିବା ବେଳେ ଉପଯୁକ୍ତ ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ ଗ୍ରାମବାସୀ ନିବେଦନ କରିଛନ୍ତି। ଗାଁ ଲୋକଙ୍କ କହିବା ଅନୁସାରେ, ଗତ ଗୁରୁବାର ବୃଦ୍ଧଙ୍କ ମୃତ୍ୟୁ ଘଟିଥିଲା। ଏହା ଜାଣିବା ପରେ ପାଟଣାଗଡ଼ ଓ ବେଲପଡ଼ା ଡାକ୍ତରଖାନାରୁ ଶୁକ୍ରବାର ସନ୍ଧ୍ୟାରେ ଡାକ୍ତରୀ ଟିମ ଗାଁକୁ ଆସି କିଛି ଲୋକଙ୍କୁ ଝାଡ଼ା ଔଷଧ ଦେଇଥିଲେ। ଶନିବାର ମହିଳା ସ୍ବାସ୍ଥ୍ୟକର୍ମୀ ଓ ଆଶା ଘର ଘର ବୁଲି ସ୍ଥିତି ଦେଖିଥିଲେ। ହେଲେ ଏହା ପରେ ଘଟଣାକୁ ଆଉ ଗୁରୁତ୍ବ ଦିଆଯାଇ ନଥିଲା। ଫଳରେ ଆକ୍ରାନ୍ତ ସଂଖ୍ୟା ବଢ଼ିବାରେ ଲାଗିଥିଲା। ତେବେ ତୁରନ୍ତ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଘଟଣାକୁ ଗୁରୁତ୍ବର ସହ ନେଇ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି।
ବଡ଼ଖଲାଡ଼ି ଆଶ୍ରମ ବିଦ୍ୟାଳୟ ଛାତ୍ରୀନିବାସର ୧୮ ଅନ୍ତେବାସୀ ଆକ୍ରାନ୍ତ
କପ୍ତିପଦା: ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ୍ ବଡ଼ଖଲାଡ଼ି ଆଶ୍ରମ ବିଦ୍ୟାଳୟରେ ବ୍ୟାପିଛି ଡାଇରିଆ। ଏଥିରେ ୧୮ ଜଣ ଛାତ୍ରୀ ଆକ୍ରାନ୍ତ ହୋଇଛନ୍ତି। ସୂଚନା ଅନୁଯାୟୀ; ମଙ୍ଗଳବାର ରାତି ଛାତ୍ରୀନିବାସରେ ରହୁଥିବା ଅନ୍ତେବାସୀମାନେ ଭାତ ଓ ଅଣ୍ତା ତରକାରୀ ଖାଇଥିଲେ। ତେବେ ବୁଧବାର ସକାଳେ ସେମାନଙ୍କ ମଧ୍ୟରୁ କିଛି ଛାତ୍ରୀଙ୍କ ମୁଣ୍ତ ବୁଲାଇବା ସହ ଝାଡ଼ା ଓ ଜ୍ବର ହୋଇଥିଲା। ମୋଟ ୧୮ ଜଣ ଛାତ୍ରୀଙ୍କର ଏମିତି ଲକ୍ଷଣ ଦେଖାଦେବା ପରେ ସମସ୍ତଙ୍କୁ କପ୍ତିପଦା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ୧୦ ଜଣ ସୁସ୍ଥ ହୋଇ ଛାତ୍ରୀନିବାସକୁ ଫେରିଛନ୍ତି। ୮ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନେ ଚିକିତ୍ସାଧୀନ ଅଛନ୍ତି। ଛାତ୍ରୀନିବାସରେ ଡାଇରିଆ ବ୍ୟାପିବା ଖବର ପାଇ ଡାକ୍ତରୀଦଳ, ବ୍ଲକ୍ ଜଳ ଓ ପରିମଳ ବିଭାଗ ଟିମ୍ ଏବଂ ବ୍ଲକ୍ ମଙ୍ଗଳ ଅଧିକାରୀ ପହଞ୍ଚି ଘଟଣାର ଅନୁସନ୍ଧାନ ଜାରି ରଖିଛନ୍ତି।
ଗଞ୍ଜାମରେ ୨୬ରୁ ଅଧିକ ଆକ୍ରାନ୍ତ, ୪ ଗୁରୁତର ବ୍ରହ୍ମପୁର ବଡ଼ଡାକ୍ତରଖାନାରେ ଭର୍ତ୍ତି
ବୁଗୁଡ଼ା/ଶେରଗଡ଼: ଲଘୁଚାପଜନିତ ବର୍ଷା ଆରମ୍ଭ ପରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳରେ ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ଚିନ୍ତାଜନକ ଭାବେ ବଢ଼ିବାରେ ଲାଗିଛି। ବିଶେଷକରି କୂଅ ଓ ପୋଖରୀର ଦୂଷିତ ପାଣି ପିଇ ଲୋକେ ଆକ୍ରାନ୍ତ ହେଉଥିବା ଜଣାପଡ଼ିଛି। ବୁଗୁଡ଼ା ବ୍ଲକ୍ ବି.କରଡ଼ାବାଡ଼ି ପଞ୍ଚାୟତ ପୁରୁଣାଦଦରାଖୋଲ ଗ୍ରାମରେ ଝାଡ଼ାବାନ୍ତି ବ୍ୟାପି ୧୬ରୁ ଅଧିକ ଆକ୍ରାନ୍ତ ହୋଇଥିବା ବେଳେ ଶେରଗଡ଼ ବ୍ଲକ୍ ହରିକୃଷ୍ଣପୁର ଗ୍ରାମରେ ୧୦ରୁ ଅଧିକ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି।
ପୁରୁଣାଦଦରାଖୋଲ ଗ୍ରାମରେ ଗତକାଲିଠୁ ଗ୍ରାମରେ ଝାଡ଼ାବାନ୍ତି ଆରମ୍ଭ ହୋଇଥିଲା। କିଛି ଲୋକ ଗ୍ରାମର କ୍ବାକ୍ଙ୍କଠୁ ଔଷଧ ଖାଇଥିବା ବେଳେ ୯ ଜଣ ବୁଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ସେମାନଙ୍କ ମଧ୍ୟରୁ ଗୁଡ଼ୁଲି ବେହେରା (୧୮), ମନୋଜ ବେହେରା (୨୨), ସୁଚିତ୍ରା ଗୌଡ଼ (୨୧) ଓ ଶୁଭମ୍ ଗୌଡ଼ (୧୦)ଙ୍କ ଅବସ୍ଥା ଗୁରୁତର ଥିବାରୁ ସମସ୍ତଙ୍କୁ ବ୍ରହ୍ମପୁର ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି। ବର୍ଷା ଦିନରେ ପାଇପ୍ରେ ଗୋଳିଆ ପାଣି ଆସୁଥିବାରୁ ଗ୍ରାମବାସୀ ଗାଁ ଶେଷମୁଣ୍ଡରେ ଥିବା ଏକ କୂଅ ଉପରେ ନିର୍ଭର କରୁଛନ୍ତି। କିନ୍ତୁ ଏହି କୂଅରେ ଏବେ ବର୍ଷା ପାଣି ମିଶୁଥିବାରୁ ଏହାକୁ ପିଇ ଗ୍ରାମବାସୀ ଝାଡ଼ବାନ୍ତିରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଗାଁରେ ମେଡିକାଲ୍ ଟିମ୍ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଔଷଧ ବଣ୍ଟନ କରିଥିଲେ।
ସେହିପରି ଶେରଗଡ଼ ବ୍ଲକ୍ ହରିକୃଷ୍ଣପୁର ଗ୍ରାମରୁ ୧୦ରୁ ଅଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଶେରଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହୋଇଛନ୍ତି। ଆଜି ସକାଳେ ଶେରଗଡ଼ ଡାକ୍ତରଖାନାର ଏକ ଟିମ୍ ଗ୍ରାମକୁ ଯାଇ ସଚେତନ କରିବା ଆକ୍ରାନ୍ତଙ୍କ ପରିବାର ସଦସ୍ୟଙ୍କୁ ଔଷଧ ଦିଆଯାଇଛି। ସନ୍ଧ୍ୟାରେ ଏଡିଏମ୍ (ଜନସ୍ୱାସ୍ଥ୍ୟ) ଡା.ଭି.ସରୋଜିନୀ, ସାବିତ୍ରୀ ରାଉତ, ଡା.ମନ୍ମଥ ବେହେରା, ସ୍ୱାସ୍ଥ୍ୟ ସୁପରଭାଇଜର ଗଜେନ୍ଦ୍ର ମଳିକ ଓ ସ୍ୱାସ୍ଥ୍ୟକର୍ମୀ ବିନିତା ପାଣିଗ୍ରାହୀ ପ୍ରମୁଖ ଗ୍ରାମକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ। ସେହିପରି ଅନ୍ୟାନ୍ୟ ଗ୍ରାମରେ ବି ଝାଡ଼ାବାନ୍ତି ଲାଗି ରହିଥିବାରୁ ପ୍ରତିଦିନ ଆକ୍ରାନ୍ତମାନେ ଶେରଗଡ଼ ଡାକ୍ତରଖାନାକୁ ଆସୁଥିବା ଜଣାପଡ଼ିଛି।