କଲ୍ୟାଣସିଂହପୁର/ବୈପାରିଗୁଡ଼ା: ରାୟଗଡ଼ା ଓ କୋରାପୁଟ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଝାଡ଼ାବାନ୍ତି ଆତଙ୍କ ସୃଷ୍ଟି କରିଛି। ବହୁ ଲୋକଙ୍କ ମୃତ୍ୟୁ ସହ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି। ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍‌ ସେରିଗୁମ୍ମା ପଞ୍ଚାୟତର ଲାମ୍ବେରି ଗାଁରେ ୭ଦିନ ମଧ୍ୟରେ ୪ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ବ୍ଲକ୍‌ କୋଲାର ପଞ୍ଚାୟତ ଅନ୍ତର୍ଗତ ପଲକାବସା ଏବଂ ନିଶନା ଗାଁରେ ପରିସ୍ଥିତି ଅଣାୟତ୍ତ ହୋଇଛି। ପଲକାବସା ଗାଁର ଜଣେ ମହିଳାଙ୍କ ମୃତ୍ୟୁ ପରେ ସପ୍ତାହକ ମଧ୍ୟରେ ୨ଜଣ ମୃତ୍ୟୁବରଣ କରିସାରିଲେଣି। ବିଭିନ୍ନ ସ୍ଥାନରେ ଝାଡ଼ାବାନ୍ତି ମୃତ୍ୟୁ ଲୋକଙ୍କୁ ଆତଙ୍କିତ କରିଛି। ଏପରିକି ମୃତକଙ୍କ ଶେଷକୃତ୍ୟରେ ସାମିଲ ହେବାକୁ ଲୋକ ଭୟ କରୁଛନ୍ତି। ଦୂଷିତ ପାଣି ଝାଡ଼ାବାନ୍ତିର କାରଣ ବୋଲି କୁହାଯାଉଛି। 

Advertisment

ଗ୍ରାମବାସୀଙ୍କ ସୂଚନା ଅନୁସାରେ ଲାମ୍ବେରି ଗାଁର ସାଦାଇ ନାଚିକା (୪୫), ରାଲିକା ଆସିଡ଼ିଗା (୪୦), କୁମୁଟା ନାଚିକା (୪୦) ଓ ଲାକି କଲକା (୩୮)ଙ୍କ ଝାଡ଼ାବାନ୍ତିରେ ମୃତ୍ୟୁ ହୋଇଛି। ଏଥିସହ ଗାଁରେ ପ୍ରାୟ ୩୦ରୁ ଊର୍ଦ୍ଧ୍ବ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ବେଳେ କିଛି ଜଣଙ୍କୁ ଜ୍ବର ମଧ୍ୟ ହୋଇଛି। ଗାଁର ୩ଜଣ ଝାଡ଼ାବାନ୍ତିରେ ମୃତ୍ୟୁବରଣ କରିଥିଲା ବେଳେ ଅନ୍ୟ ଜଣଙ୍କ ଜ୍ବରରେ ମୃତ୍ୟୁ ହୋଇଛି ବୋଲି ସ୍ଥାନୀୟ ମହିଳା ସ୍ବାସ୍ଥ୍ୟ କର୍ମୀ କହିଛନ୍ତି। ଝାଡ଼ାବାନ୍ତି ଜନିତ ପ୍ରଥମ ମୃତ୍ୟୁ ପରେ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡା. ସୌମ୍ୟରଞ୍ଜନ ଜେନା ଲାମ୍ବେରି ଗାଁରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ଏହାପରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ସହ ଅନ୍ୟ ୩ଜଣଙ୍କ ମୃତ୍ୟୁ ଘଟିବା ପରେ ଭ୍ରାମ୍ୟମାଣ ଡାକ୍ତରୀ ଟିମ୍‌ ପ୍ରତିଦିନ ଗାଁରେ ପହଞ୍ଚି ଆକ୍ରାନ୍ତଙ୍କ ଚିକିତ୍ସା କରିବା ସହ ଗ୍ରାମବାସୀଙ୍କୁ ସଚେତନ କରୁଛି। ଏଥିସହ ଆଶା, ଅଙ୍ଗନବାଡ଼ି ଓ ସ୍ବାସ୍ଥ୍ୟକର୍ମୀ ଗ୍ରାମବାସୀଙ୍କୁ ସଚେତନ କରାଇବା ସହିତ ଔଷଧ ବଣ୍ଟନ କରୁଛନ୍ତି। ତଥାପି ଝାଡ଼ାବାନ୍ତି ଥମିବାର ନାଁ ନେଉନି। ଗାଁରେ ପାଇପ୍‌ ଯୋଗେ ଜଳ ଯୋଗାଣ ହେଉଛି। ତେବେ ପାଇପ୍‌ ଫାଟି ଯିବାରୁ ଏବେ ଲୋକେ ଦୂଷିତ ପାଣି ପିଉଛନ୍ତି। ଯାହାଫଳରେ ଝାଡ଼ାବାନ୍ତି ବ୍ୟାପିଥିବା ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି। ୩ଜଣ ଝାଡ଼ାବାନ୍ତିରେ ମୃତ୍ୟୁବରଣ କରିଥିବା ସ୍ବାସ୍ଥ୍ୟକର୍ମୀ କହିଥିବା ବେଳେ ଡା. ଜେନା କହିଛନ୍ତି, ଗାଁରେ କେହି ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇନାହାନ୍ତି। ଲୋକେ ଜ୍ବରରେ ଆକ୍ରାନ୍ତ ହୋଇଥିବାରୁ ଚିକିତ୍ସା ଚାଲିଥିବା ସେ କହିଛନ୍ତି।  

କଲ୍ୟାଣସିଂହପୁର ବ୍ଲକ୍‌ ଲାମ୍ବେରି ଗାଁରେ ୪ଜଣଙ୍କ ମୃତ୍ୟୁ 
ବୈପାରିଗୁଡ଼ା ବ୍ଲକ୍‌ ପଲକାବସା ଗାଁରେ ସପ୍ତାହକ ମଧ୍ୟରେ ୨ଜଣଙ୍କ ଜୀବନ ଗଲାଣି

ସେହିଭଳି କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ବ୍ଲକ୍‌ କୋଲାର ପଞ୍ଚାୟତ ଅନ୍ତର୍ଗତ ପଲକାବସା ଓ ନିଶନା ଗାଁରେ ଝାଡ଼ାବାନ୍ତି ସ୍ଥିତି ଅଣାୟତ୍ତ ହୋଇଛି। ଆଜି ପଲକାବସା ଗାଁର ଜଣେ ମହିଳାଙ୍କ ମୃତ୍ୟୁ ପରେ ସପ୍ତାହକ ମଧ୍ୟରେ ୨ଜଣ ମୃତ୍ୟୁବରଣ କରିସାରିଲେଣି। ସେହିପରି ୪ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି। ନିଶାନ ଗାଁରେ ମଧ୍ୟ ଗୋଟିଏ ପରିବାରର ଦୁଇ ଜଣ ଆକ୍ରାନ୍ତ ହୋଇଛନ୍ତି। ପଲକାବସା ଗାଁର ୨୫ବର୍ଷୀୟ ଯୁବକ ମଙ୍ଗଳା ଖରା ଓ ମଙ୍ଗଳାଙ୍କ ପିଉସୀ ରାଧା ଖିଲ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି। ଏହାବ୍ୟତୀତ ଗାଁର ଆଉ ୪ଜଣ ମହିଳା ଆକ୍ରାନ୍ତ ହୋଇ ବୈପାରିଗୁଡ଼ା ଡାକ୍ତରଖାନାକୁ ଆସିଛନ୍ତି। ଅନ୍ୟପକ୍ଷରେ ନିଶନା ଗାଁର ଜଣେ ୭ବର୍ଷର ଶିଶୁ ଏବଂ ଦାଦା ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ଉଭୟଙ୍କୁ ଗୁରୁତର ଅବସ୍ଥାରେ ବୈପାରିଗୁଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଝାଡ଼ାବାନ୍ତି ବ୍ୟାପିବା ସୂଚନା ମିଳିବା ପରେ ବୈପାରିଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଗୋଟିଏ ଡାକ୍ତରୀ ଟିମ୍‌ ପଲକାବସା ଗ୍ରାମରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଛି। ଗାଁରେ ଥିବା ଅନ୍ୟ ଆକ୍ରାନ୍ତଙ୍କ ଚିକିତ୍ସା ଆରମ୍ଭ କରିଛି। ଚୁଆର ଦୂଷିତ ପାଣି ଝାଡ଼ାବାନ୍ତିର କାରଣ ବୋଲି କୁହାଯାଉଛି।