ଜୟପୁର : ଜୟପୁର ନିର୍ବାଚନ ମଣ୍ଡଳୀରେ ବୁଥ ରିଂଗି ହୋଇଛି। ଏହାକୁ ବିଜେଡି ପ୍ରାର୍ଥୀ ରବି ନାରାୟଣ ନନ୍ଦ ହିଁ କରାଇଛନ୍ତି। ଏଭଳି ସଂଗିନ ଅଭିଯୋଗ ଆଣିଛନ୍ତି ବିଜେପି ପ୍ରାର୍ଥୀ ଗୌତମ ସାମନ୍ତରାୟ। ଆଜି ଏକ ସମ୍ବାଦିକ ସମ୍ମିଳନୀ କରି ଗୌତମ କହିଛନ୍ତି ଯେ, ଜୟପୁର ବ୍ଲକ ଡଙ୍ଗରଛିଞ୍ଚି ପଂଚାୟତର ମୁଖିଖୁଡିପି ବୁଥରେ ବିଜେଡିର ସମର୍ଥକ ମାରଣାସ୍ତ୍ର ଧରି ଭୋଟରଙ୍କୁ ଭୟଭୀତ କରିଥିଲେ। ବିଜେଡିକୁ ଭୋଟ ଦେବାକୁ କହିବା ସହ ଡରାଇଥିଲେ। ଗ୍ରାମବାସୀ ସେହି ସମର୍ଥକଙ୍କ ମଧ୍ୟରୁ କିଛି ଜଣଙ୍କୁ ଧରିଥିଲେ। ଏହି ଖବର ପାଇ ସେ ଜୟପୁର ଏସଡିପିଓ ସାଗରିକା ନାଥଙ୍କୁ କହିଥିଲେ। ଏହାପରେ ପୁଲିସ ସେଠାରେ ଚଢ଼ାଉ କରି ୬ଜଣଙ୍କୁ ଉଠାଇ ଆଣିଥିଲା। ଦୁର୍ଦାନ୍ତ ଅପରାଧୀ ତଥା ବିଚାରାଧୀନ ଅଭିଯୁକ୍ତ ଶେକ୍ ଇମ୍ରାନ ଭୋଟରଙ୍କୁ ଡରାଇଥିଲା ବୋଲି ଶ୍ରୀ ସାମନ୍ତରାୟ କହିଛନ୍ତି। ତେଣୁ ଶ୍ରୀ ନନ୍ଦଙ୍କୁ ଗିରଫ କରିବା ସହ ରିଗିଂ ହୋଇଥିବା ବୁଥ୍ରେ ସାନି ନିର୍ବାଚନ ପାଇଁ ସେ ଦାବି କରିଛନ୍ତି। କଂଗ୍ରେସ ବିରୋଧରେ ବି ଅନୁରୂପ ଅଭିଯୋଗ ଆଣି କଂଗ୍ରେସ କର୍ମୀ ମଧ୍ୟ କିଛି ବୁଥରେ ଭୋଟରଙ୍କୁ ପ୍ରଭାବିତ କରିଥିବା କହିଛନ୍ତି।
ପୁଲିସ ଓ ପ୍ରଶାସନ ଏଦିଗରେ ପଦକ୍ଷେପ ନ ନେଲେ ବିଜେପି ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛନ୍ତି। ଏନେଇ ଉପଜିଲ୍ଲାପାଳ, ପର୍ଯ୍ୟବେକ୍ଷକଙ୍କୁ ଜଣାଇବା ସହ ବୁଥ ରିଂଗି ସଂପର୍କରେ ଏସଡିପିଓଙ୍କୁ ମୌଖିକ ଅଭିଯୋଗ କରିଛନ୍ତି ବୋଲି କହିଛନ୍ତି। ଆଗକୁ ନିର୍ବାଚନ କମିଶନକୁ ଏନେଇ ଲିଖିତ ଭାବେ ଆଜି ଜଣାଇବେ ବୋଲି ପ୍ରକାଶ କରିଛନ୍ତି।
ଏ ନେଇ ବିଜେଡି ପ୍ରାର୍ଥୀ ରବି ନାରାୟଣ ନନ୍ଦଙ୍କୁ ପଚାରିବାରୁ ହାରିବା ଭୟରେ ଏଭଳି ଅଭିଯୋଗ ତାଙ୍କ ବିରୋଧରେ କରାଯାଇଛି। ବୋରିଗୁମ୍ମା ବ୍ଲକର ଗୁରୁମାଇଁଗୁଡା ବୁଥ ନମ୍ବର-୧ରେ ଗୌତମ ନିଜେ ବସି ଟଙ୍କା ବାଣ୍ଟୁଥିଲେ। ତାହାର ଭିଡିଓ ଆମ ପାଖରେ ଅଛି ଏବଂ ନୂଆ ସାହି ବୁଥ ନଂ ୨୦୬ରେ ପୂର୍ବତନ କାଉନସିଲରଙ୍କୁ ଧକ୍କା ମାରିଛନ୍ତି। ତାଙ୍କର କିଛି ସମର୍ଥକ ଅପରାଧ ଘଟାଇବା ଉଦ୍ଦେଶ୍ୟରେ ମାରଣାସ୍ତ୍ର ଧରି ଗାଡ଼ିରେ ବୁଲୁଥିଲେ। ଜୟପୁର ସଦର ପୁଲିସ ଏହି ଗାଡ଼ିକୁ ଜବତ କରି ରଖିଛି ବୋଲି ଶ୍ରୀ ନନ୍ଦ କହିଥିଲେ। ବିଜେପି ପ୍ରାର୍ଥୀ ଶ୍ରୀ ସାମନ୍ତରାୟ ଓ ତାଙ୍କ ସମର୍ଥକ ଭୋଟ ସରିବା ପରେ ବିଜେଡି କର୍ମୀ ଦିଲ୍ଲୀପ ତ୍ରିପାଠୀଙ୍କୁ ମରାଣାନ୍ତକ ଆକ୍ରମଣ କରିବାକୁ ଧମକ ଦେଇଛନ୍ତି ବୋଲି ଶ୍ରୀ ନନ୍ଦ ପାଲଟା ଅଭିଯୋଗ କହିଛନ୍ତି।
ଏ ନେଇ କଂଗ୍ରେସ ପ୍ରାର୍ଥୀ ତାରା ପ୍ରସାଦ ବାହିନୀପତିଙ୍କୁ ପଚାରିବାରୁ ମୁଖିଖୁଡିପି ବୁଥରେ ରିଗିଂ କରିଥିବା ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଥିଲେ। ନଚେତ ଆସନ୍ତାକାଲି ଜୟପୁର ସଦର ଥାନା ଘେରାଉ କରିବି ବୋଲି ଚେତାବନୀ ଦେଇଛନ୍ତି। ସେମାନେ ଗିରଫ ନ ହେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି। ଏ ନେଇ ଜୟପୁର ଏସଡିପିଓ ସାଗରିକା ନାଥଙ୍କୁ ପଚାରିବାରୁ ମୁଖିଖୁଡିପି ଘଟଣାର ତଦନ୍ତ ଜାରି ରହିଛି। ସଦର ଥାନା ଅଧିକାରୀଙ୍କୁ ଘଟଣାର ତଦନ୍ତ କରି ଆସନ୍ତା ୧୪ତାରିଖ ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦେଶ ଦେଇଛନ୍ତି। ଏହି ରିପୋର୍ଟ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ। ନିର୍ବାଚନ ଦିନ ୬ଜଣଙ୍କୁ ଅଟକ ରଖାଯାଇଥିଲା। ବ୍ୟକ୍ତିଗତ ମୁଚାଲିକାରେ ସେମାନଙ୍କୁ ଛଡ଼ାଯାଇଛି। ସେମାନଙ୍କ ନାଁରେ କୌଣସି ଏତଲା ପ୍ରିଜାଇଡିଂ ଅଧିକାରୀ,ଗ୍ରାମବାସୀ କିମ୍ବା କୌଣସି ପ୍ରାର୍ଥୀ ଦେଇ ନାହାନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/04/elections-.jpg)