ନିର୍ବାଚନ ପାଇଁ ଯାଉଥିବା ସୁରକ୍ଷାକର୍ମୀଙ୍କ ବସ୍‌ ଦୁର୍ଘଟଣାଗ୍ରସ୍ତ; ୩ ମୃତ, ୪୩ ଆହତ

ପାପଡାହାଣ୍ଡି/ନବରଙ୍ଗପୁର: ରାଜ୍ୟରେ ଜାରିଥିବା ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ପାଇଁ ସୁରକ୍ଷାକର୍ମୀଙ୍କୁ ନେଇ ଯାଉଥିବା ଏକ  ବସ୍‌ ଆଜି ରାତିରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ବସ୍‌ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ୪୩ ଜଣ ସୁରକ୍ଷାକର୍ମୀ ଆହତ ଓ ଗୁରୁତର ହୋଇଥିବା ସୂଚନା ରହିଛି। ଗୁରୁତରମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା‌ ଅନୁସାରେ ଆଜି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ଓ ତେନ୍ତୁଳିଖୁଣ୍ଟି ବ୍ଲକରେ ୨ୟ ପର୍ଯ୍ୟାୟ ମତଦାନ ଶେଷ ହେବା ପରେ ଗ୍ରାମରକ୍ଷୀମାନେ ନବରଂଗପୁର ଆରଓ କାର୍ଯ୍ୟାଳୟରୁ କୋଷାଗୁମୁଡାକୁ ଯାଉଥିଲେ। ସେମାନେ କୋଷାଗୁମୁଡା ଅଞ୍ଚଳରେ ଆସନ୍ତା ୨୦ ତାରିଖରେ ହେବାକୁ ଥିବା ୩ୟ ପର୍ଯ୍ୟାୟର ଭୋଟ ଗ୍ରହଣ ସମୟରେ  ଡ୍ୟୁଟି କରିଥାନ୍ତେ। ପ୍ରାୟ ୪୦ ଜଣଙ୍କୁ ନେଇ ଏହି ବସ୍‌ଟି ନନ୍ଦାହାଣ୍ଡି ଓ ତେନ୍ତୁଳିଖୁଣ୍ଟି ଠାରୁ ବାହାରିଥିଲା। କିନ୍ତୁ ପାପଡ଼ାହାଣ୍ଡି ବ୍ଲକର ସୋରିଷପଦର ଗାଁ ନିକଟରେ ବସଟି ଭାରସାମ୍ୟ ହରାଇଥିଲା। ଫଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ରିପୋର୍ଟ ଲେଖାଯିବା ବେଳକୁ ଘଟଣାସ୍ଥଳ‌ରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି। ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା ବି ରହିଛି।

ସୂଚନା ପାଇ ପୁଲିସ ଘଟଣାସ୍ଥଳକୁ ପହଞ୍ଚିଛି। ତେବେ ସ୍ଥାନୀୟ ଲୋକଙ୍କର ସହାୟତରେ ପୁଲିସ ଆମ୍ବୁଲାନ୍ସ ଜରିଆରେ ସମସ୍ତ ଆହତ ଓ ଗୁରୁତରଙ୍କୁ ପାପାଡାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲା। କିନ୍ତୁ ଏଠାରେ ପ୍ରାଥମିକ ଚିକିତ୍ସା ପରେ ଗୁରୁତରମାନଙ୍କୁ ନବରଂଗପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ପାପଡାହାଣ୍ଡି ଏସଡିପିଓ ଓ ଥାନାର ଅନ୍ୟ କର୍ମଚାରୀମାନେ ଘଟଣାସ୍ଥଳରେ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ବସ ତଳେ କିଛି ବ୍ୟକ୍ତି ଚାପି ହୋଇ ରହିଥିବା ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର