ରାଇରଙ୍ଗପୁର: ଗ୍ରାମାଞ୍ଚଳର ବିକାଶ ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ବାସ୍ତବରେ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ଗୁଡିକ ଗ୍ରାମାଞ୍ଚଳ ଗୁଡିକରେ ପହଞ୍ଚି ପାରୁନାହିଁ। ଏହାର ପ୍ରତିଫଳନ ଦେଖିବାକୁ ମିଳିଛି ମୟୂରଭଂଜ ଜିଲ୍ଲା ସାରସକଣା ନିର୍ବାଚନ ମଣ୍ଡଳୀର ବିଜାତଳା ବ୍ଲକ ଅଧିନ ଖନ୍ତ ଗ୍ରାମର ପୋଡ଼ାଗ୍ରାମ ରାମଚନ୍ଦ୍ରପୁର ସାହିରେ। ରାଜସ୍ୱ ଗ୍ରାମର ମାନ୍ୟତା ପାଇବା ପାଇଁ ଦୀର୍ଘ ବର୍ଷ ଧରି ଦାବି ହୋଇ ଆସୁଥିଲେ ମଧ୍ୟ ତାହା ପୂରଣ ହୋଇପାରୁନାହିଁ । ଯାହାକୁ ନେଇ ଆନ୍ଦୋଳନକୁ ଓହ୍ଲାଇବାକୁ ବାଧ୍ୟ ହୋଇଥିଲେ ଗାଁ ଲୋକେ। ଶେଷରେ ଦାବି ପୂରଣ ନ ହେବାରୁ ବାଧ୍ୟ ହୋଇ ଚଳିତ ବିଧାନସଭା ଓ ଲୋକସଭା ନିର୍ବାଚନ ବର୍ଜନ କରିଛନ୍ତି ଗ୍ରାମବାସୀ। ଖନ୍ତ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଖନ୍ତ ଗାଁର ପଡାଗ୍ରାମ ରାମଚନ୍ଦ୍ରପୁର ସାହି ରେ ୧୧ ନଂ ଓ ୧୨ ନଂ ଦୁଇଟି ୱାର୍ଡ଼ ରହିଛି। ଆଉ ମଧ୍ୟ ଏହି ସାହିରେ ପାଖାପାଖି ୩୦୦ରୁ ଊର୍ଦ୍ଧ୍ବ ଘର ରହିଥିବା ବେଳେ ଏଠାକାର ଭୋଟର ସଂଖ୍ୟା ହେଉଛି ୧୫୦୦ରୁ ଅଧିକ।
ତେବେ ଦୀର୍ଘ ବର୍ଷ ହେବ ବିଭିନ୍ନ ସମସ୍ୟା ଘେରରେ ରହିଛନ୍ତି ରାମଚନ୍ଦ୍ରପୁର ସାହି ବାସିନ୍ଦା। ସାହିରେ ଗୋଟିଏ ମାତ୍ର ଛୋଟିଆ ସୋଲାର ଚାଳିତ ପାଣି ଟାଙ୍କି ଥିବାରୁ ବିଶୁଦ୍ଧ ପାନୀୟ ଜଳ ସାହି ବାସିନ୍ଦାଙ୍କ ପାଇଁ ନିଅଣ୍ଟ ହେଉଛି । ତେଣୁ ପାନୀୟ ଜଳ ପାଇଁ ସାହିରେ ବସୁଧା ଯୋଜନାକୁ କାର୍ଯ୍ୟକାରୀ କରିବାକୁ ଦାବି ହୋଇଛି । ସେହିପରି ରାଇରଙ୍ଗପୁର- ବାରିପଦା ମୁଖ୍ୟ ରାଜ୍ୟ ରାଜପଥରୁ ୫୦୦ ମିଟର ଦୂରରେ ରହିଛି ରାମଚନ୍ଦ୍ରପୁରସାହି। ହେଲେ ମୁଖ୍ୟ ରାଜ୍ୟ ରାଜପଥରୁ ସାହିକୁ ଯିବା ଆସିବା ପାଇଁ ଭଲ ରାସ୍ତା ଖଣ୍ଡିଏ ନାହିଁ । ସାହିକୁ ଚାରି ଚକିଆ କିମ୍ବା ଆମ୍ବୁଲାନ୍ସ ଆସିବାକୁ ହେଲେ ଚାରି ପାଞ୍ଚ କିଲୋମିଟର ବୁଲି ବୁଲି ଆସିବାକୁ ପଡୁଛି। ଫଳରେ ଗୁରୁତର ଅସୁସ୍ଥ ରୋଗୀ ତଥା ଗର୍ଭବତୀ ମହିଳାଙ୍କ ଜୀବନ ପ୍ରତି ବିପଦ ରହୁଛି।
ସେହିପରି ଗ୍ରାମରେ ଥିବା ଏକମାତ୍ର ଅଙ୍ଗନବାଡ଼ି କେନ୍ଦ୍ରଟି ଜରାଜୀର୍ଣ୍ଣ ଅବସ୍ଥାରେ ରହିଥିବା ବେଳେ ସାହିରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମଧ୍ୟରେ ଚାଲିଛି ଅଙ୍ଗନବାଡ଼ି କେନ୍ଦ୍ର। ଗାଁ ମଶାଣିକୁ ଯିବା ପାଇଁ ରାସ୍ତା ଖଣ୍ଡିଏ ନାହିଁ। ଗ୍ରାମ ପୋଖରୀର ଉନ୍ନତିକରଣ ମଧ୍ୟ କରା ଯାଇନାହିଁ। ବିଶେଷ କରି ଅସରାଏ ବର୍ଷା ହେଲେ ସାହି ବାସିନ୍ଦାଙ୍କ ଦୁଃଖ ବଢିଯାଏ। କାଦୁଅ ପଚପଚ ସହିତ ରାସ୍ତାରେ ଆଣ୍ଠୁଏ ପାଣିରେ ସ୍କୁଲ ଯିବା ଆସିବା କରିଥାନ୍ତି ଛାତ୍ରଛାତ୍ରୀ। ଏପରିକି ସେମାନଙ୍କୁ ବିଭିନ୍ନ ଯୋଜନାରୁ ଅଣଦେଖା କରା ଯାଉଥିବାର ଅଭିଯୋଗ କରିଛନ୍ତି ସାହି ବାସିନ୍ଦା। ଦୀର୍ଘ ବର୍ଷ ଧରି ଅବହେଳିତ ଅବସ୍ଥାରେ ରହି ଆସୁଥିଲେ ମଧ୍ୟ ଜନପ୍ରତିନିଧି କିମ୍ବା ପ୍ରଶାସନ ଏଥିପ୍ରତି କୌଣସି ଦେଉନଥିବା ଅଭିଯୋଗ କରିଛନ୍ତି ସାହି ବାସିନ୍ଦା।
ତେବେ ରାମଚନ୍ଦ୍ରପୁର ସାହି ବାସିନ୍ଦାମାନେ ୧୯୯୫ ମସିହାରୁ ଉକ୍ତ ସାହିକୁ ସ୍ବତନ୍ତ୍ର ରାଜସ୍ବ ଗ୍ରାମ ମାନ୍ୟତା ପାଇଁ ଦାବି କରି ଆସୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାହା ପୂରଣ ହୋଇପାରିନାହିଁ । ମୟୂରଭଞ୍ଜ ଜିଲ୍ଲାପାଳ, ରାଇରଙ୍ଗପୁର ଉପଜିଲ୍ଲାପାଳ, ବିଜାତଳା ବ୍ଲକ ବିଡ଼ିଓ, ବିଜାତଳା ତହସିଲର ତହସିଲଦାରଙ୍କୁ ବିଭିନ୍ନ ସମୟରେ ଭେଟି ସାହି ସମ୍ବନ୍ଧୀୟ ସମସ୍ୟାର ସମାଧାନ ଓ ରାଜସ୍ବ ଗ୍ରାମ ଦାବି ଜଣାଇ ଆସୁଥିଲେ ସୁଦ୍ଧା କେହି କର୍ଣ୍ଣପାତ କରୁନଥିବା ଯୋଗୁଁ ଶେଷରେ ବାଧ୍ୟ ହୋଇ ଆଜି ରାମଚନ୍ଦ୍ରପୁର ସାହି ର ପାଖାପାଖି ୧୫୦୦ ଭୋଟର ଆଜି ଭୋଟ ବର୍ଜନ କରିଛନ୍ତି। ତେବେ ଆଗକୁ ରାମଚନ୍ଦ୍ରପୁର ସାହି ବାସିନ୍ଦାଙ୍କ ଭବିଷ୍ୟତ କ'ଣ ହେବ, ତାହା ଦେଖିବାକୁ ବାକି ରହିଲା।