ଗାଁକୁ ରାସ୍ତା ନାହିଁ, ଭୋଟ ବର୍ଜନ ଚେତାବନୀ

ହରିଚନ୍ଦନପୁର : କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ପିଠାଗୋଳା ପଞ୍ଚାୟତର ଦୁର୍ଗମ ମରାଗୋଳା ଗ୍ରାମବାସୀ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ କରିବେ ବୋଲି ଆଜି ବ୍ଲକ କାର୍ଯ୍ୟାଳୟକୁ ଆସି ବିଡ଼ିଓ ପ୍ରଭୁକଲ୍ୟାଣ ଦାସଙ୍କୁ ଦରଖାସ୍ତ ଦେଇଛନ୍ତି। ଯେ ପର୍ଯ୍ୟନ୍ତ ଗ୍ରାମକୁ ରାସ୍ତା ନିର୍ମାଣ ହୋଇନାହିଁ ସେ ପର୍ଯ୍ୟନ୍ତ ଗ୍ରାମବାସୀ ଭୋଟ ଦେବନାହିଁ ବୋଲି ରୋକଠୋକ୍ ଶୁଣାଇଛନ୍ତି।

ଗ୍ରାମଟି ପିଠାଗୋଳା ଗ୍ରାମରୁ ସାଢେ଼ ୪ କିଲୋମିଟର ଦୂର କଳାପଥର ପାହାଡ଼ ଉପରେ ଅବସ୍ଥିତ। ଗ୍ରାମକୁ ଯିବାକୁ ହେଲେ ୪ କିଲୋମିଟର  ପାଦଚଲା ରାସ୍ତା ଏବଂ ଜଙ୍ଗଲ ପାହାଡ ଅତିକ୍ରମ କରିବାକୁ ପଡ଼ିଥାଏ। ଏଠାରେ ୬୨ ଟି ଜୁଆଙ୍ଗ ପରିବାର ବସବାସ କରୁଛନ୍ତି। ଗ୍ରାମର କିଏ ଗୁରୁତର ଅସୁସ୍ଥ ହେଲେ ତାଙ୍କୁ ଭାରରେ ବୋହି ୪ କିଲୋମିଟର ପିଠାଗୋଳା ପର୍ଯ୍ୟନ୍ତ ଆଣିବାକୁ ପଡ଼ିଥାଏ। ସେଠାରୁ ଆମ୍ବୁଲାନ୍ସରେ ହରିଚନ୍ଦନପୁରକୁ ନିଆଯାଇଥାଏ। ଗ୍ରାମର ବୃଦ୍ଧବୃଦ୍ଧାମାନେ ହଇରାଣ ହରକତ ହୋଇ ବାର୍ଦ୍ଧକ୍ୟ ଭତ୍ତା ପାଇଁ ପିଠାଗୋଳା ପଞ୍ଚାୟତକୁ ଆସିଥାନ୍ତି। ପିଡ଼ିଏସ ଚାଉଳ ପାଇଁ ମଧ୍ୟ ଗ୍ରାମବାସୀ ହଇରାଣ ହରକତ ହୋଇଥାନ୍ତି। ପ୍ରତି ପରିବାର ପାଇଁ ସରକାର ଶୌଚାଳୟ  ନିର୍ମାଣ କରୁଥିଲେ ମଧ୍ୟ ଉକ୍ତ ଗ୍ରାମବାସୀ ସେଥିରୁ ବଞ୍ଚିତ। ଏହି ଦୁର୍ଗମ ଗ୍ରାମକୁ ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀ ବହୁବାର ବ୍ଲକ୍‌ ଓ ଜିଲ୍ଲା ପ୍ରଶାସନକୁ ଅବଗତ କରାଇଛନ୍ତି। କିନ୍ତୁ କୌଣସି ସଫଳ ମିଳୁ ନଥିବାରୁ ଗ୍ରାମବାସୀ ଭୋଟ ବର୍ଜନ ପାଇଁ ନିଷ୍ପତ୍ତି ନେଇଛନ୍ତି।

ଗ୍ରାମରୁ ୧୫ ରୁ ଊର୍ଦ୍ଧ୍ବ ଯୁବକ କେରଳ, କର୍ଣ୍ଣାଟକ ଆଦି ରାଜ୍ୟକୁ ଯାଇ ବିଭିନ୍ନ କାରଖାନାରେ ଶ୍ରମିକ ଭାବେ କାର୍ଯ୍ୟ କରୁଛନ୍ତି। ସେମାନେ ଗ୍ରାମକୁ ଫେରିବାବେଳେ ବହୁତ ହଇରାଣ ହରକତ ହୋଇଥାନ୍ତି। ଗ୍ରାମକୁ ରାସ୍ତା ନିର୍ମାଣ ନ କରିବା ପର୍ଯ୍ୟନ୍ତ ଗ୍ରାମବାସୀ ଭୋଟ୍‌ ଦେବେ ନାହିଁ ବୋଲି ଆଜି ବ୍ଲକ କାର୍ଯ୍ୟାଳୟକୁ ଗ୍ରାମର ଯୁବକ କେଶବ ଜୁଆଙ୍ଗ, ରବୀନ୍ଦ୍ର ଜୁଆଙ୍ଗ, ଦୁର୍ଯ୍ୟୋଧନ ଜୁଆଙ୍ଗ, ଚନ୍ଦ୍ରମଣି ଜୁଆଙ୍ଗ, ପ୍ରଫୁଲ୍ଲ ଜୁଆଙ୍ଗ, ପଙ୍କଜ ଜୁଆଙ୍ଗ, ଗୋପବନ୍ଧୁ ଜୁଆଙ୍ଗ, ପବିତ୍ର ଜୁଆଙ୍ଗ, ବନମାଳୀ ଜୁଆଙ୍ଗ, ରଘୁନାଥ ଜୁଆଙ୍ଗ ପ୍ରମୁଖ ବିଡ଼ିଓ ଶ୍ରୀ ଦାସଙ୍କୁ ଭେଟି ସେମାନଙ୍କର ଦାବି ଜଣାଇଛନ୍ତି।

ସମ୍ବନ୍ଧିତ ଖବର