ବରୀ : ଯାଜପୁର ଜିଲ୍ଲାର ବରୀ ବିଧାନସଭା ନିର୍ବାଚନମଣ୍ଡଳୀ, ବରୀ ବ୍ଲକ, ବରୀ ପଞ୍ଚାୟତ। ଆଉ ସେହି ବରୀ ପଞ୍ଚାୟତର ୧୧ ନଂ ୱାର୍ଡ। ସ୍ବାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ଏହି ଦଳିତ ବସ୍ତିକୁ ସବୁଦିନିଆ ରାସ୍ତାଟିଏ ନଥିବାରୁ ଚଳିତ ପଞ୍ଚାୟତ ନିର୍ବାଚନରେ ୱାର୍ଡବାସୀ ଭୋଟ ବର୍ଜନ ପାଇଁ ନିଷ୍ପତ୍ତି ନେଇଛନ୍ତି। ୨୦୨୨ ପଞ୍ଚାୟତ ନିର୍ବାଚନରେ ଭୋଟ୍‌ ବର୍ଜନ କଲୁ ବୋଲି ଶୀର୍ଷକ ଲେଖା ଦିନେ ଦୁଇଦିନ ହେବ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରାଯାଇଥିଲା। ଆଜି ୱାର୍ଡବାସୀଙ୍କ ପକ୍ଷରୁ ରଘୁନାଥ ବେହେରା, ଆକ୍ଷିତ ବେହେରା, ନନ୍ଦ କିଶୋର ବେହେରା, ସୁବାସ ବେହେରା, ମିଟୁ ବେହେରା, ସୀତାନାଥ ବେହେରା, ଦଶରଥ ବେହେରା, ଭୀମସେନ ବେହେରା ଗଣମାଧ୍ୟମ ସମ୍ମୁଖରେ ବସ୍ତିର ମହିଳା, ପୁରୁଷ ମିଳିତ ଭାବେ ସେମାନଙ୍କ ନିଷ୍ପତ୍ତି ଶୁଣାଇ ଦେଇଛନ୍ତି।

Advertisment

publive-image

୨୦୧୭ ପଞ୍ଚାୟତ ନିର୍ବାଚନ ବେଳେ ଏପରି ଭୋଟ୍‌ ବର୍ଜନ ପାଇଁ ଆହ୍ବାନ ଦେଇଥିଲେ। ତୁରନ୍ତ ସେତେବେଳେ ଗାଁ ପାଖରେ ଥିବା ଏକ ନାଳ ଉପରେ ଢଳାଇ ପୋଲ ନିର୍ମାଣ ପାଇଁ ପିଲର ନିର୍ମାଣ କରାଯାଇଥିଲା। ଭୋଟ ସରିଯିବା ପରେ ସେବେଠାରୁ ସେ ଢଳାଇ ପୋଲର ନିର୍ମାଣ କାର୍ଯ୍ୟ ଅଟକି ରହିଛି। ଦୀର୍ଘ ୫ବର୍ଷ ମଧ୍ୟରେ ପୋଲର ଛାତ ପଡ଼ିପାରିଲା ନାହିଁ। ଏହାକୁ ନେଇ ବାରମ୍ବାର ୱାର୍ଡବାସୀଙ୍କ ପକ୍ଷରୁ ଅଭିଯୋଗ କରାଯାଇଥିଲେ ମଧ୍ୟ ସୁଫଳ ମିଳିନାହିଁ। ଚଳିତ ନିର୍ବାଚନରେ ୱାର୍ଡବାସୀ ନେଇଥିବ ନିଷ୍ପତ୍ତି ଓ ଭୋଟ୍‌ ବର୍ଜନ ପାଇଁ ଦେଇଥିବା ଆହ୍ବାନ ପ୍ରଶାସନ ଓ ରାଜନୈତିକ ନେତୃତ୍ବ ଉପରେ କି ପ୍ରଭାବ ପକାଉଛି ତାକୁ ହିଁ ଅପେକ୍ଷା।