ପାଣି ପାଇଁ କଲବଲ: ଭୋଟ୍‌ ବର୍ଜନ ପାଇଁ ଚେତାବନୀ

ରାଉରକେଲା: ସ୍ମାର୍ଟସିଟି ରାଉରକେଲା। କ୍ରୀଡ଼ା ଭିତ୍ତିଭୂମିଠାରୁ ଆରମ୍ଭକରି ସହରର ସୌନ୍ଦର୍ଯ୍ୟକରଣ ପର୍ଯ୍ୟନ୍ତ; ସବୁକ୍ଷେତ୍ରକୁ ବିକାଶ ଛୁଇଁଛି। କିନ୍ତୁ ବିଡ଼ମ୍ବନା, ଜନସାଧାରଣଙ୍କୁ ମୌଳିକ ସେବା, ପାନୀୟ ଜଳ ପାଇବାରୁ ବଞ୍ଚିତ। କେଉଁଠି ପାଇପ୍‌ ଅଛି ପାଣିନାହିଁ, ପୁଣି କେଉଁଠି ପାଇପ୍‌ ସଂଯୋଗ ବି ହୋଇନି। ବାରମ୍ବାର ଦାବି ହେଉଛି, କିନ୍ତୁ ସମସ୍ୟାରେ ସୁଧାର କରାଯାଉନି। କ୍ରମାଗତ ଅବହେଳା ଯୋଗୁଁ ବିଭିନ୍ନ ଅଞ୍ଚଳବାସୀ ଭୋଟ୍‌ବର୍ଜନ ପାଇଁ ଚେତାବନୀ ଦେଇଛନ୍ତି।

ଗୋପବନ୍ଧୁପାଲି ଜଳକଷ୍ଟ ନିତିଦିନିଆ
ରାଉରକେଲା ମହାନଗର ନିଗମ ଅନ୍ତର୍ଗତ ଗୋପବନ୍ଧୁପଲ୍ଲୀ, ଟିମ୍ବରକଲୋନି, ମଧୁସୂଦନପଲ୍ଲୀ, ମାଲଗୋଦାମ ଆଦି ଅଞ୍ଚଳର ବିଭିନ୍ନ ବସ୍ତିରେ ପାନୀୟ ଜଳଯୋଗାଣ ଶତପ୍ରତିଶତ ସମ୍ଭବ ହୋଇନି। ଏହି ଅଞ୍ଚଳରେ ଏକାଧିକ ବସ୍ତି ରହିଛି। ତେବେ ବିଭିନ୍ନ ବସ୍ତି, ଯଥା-ଖଟାଲ ବସ୍ତି, ଟାଇଟନ ବସ୍ତି, ନୂଆ ବସ୍ତି, ବୈଷ୍ଣୋଦେବୀ ମନ୍ଦିର ଛକ, ଜଗନ୍ନାଥ କଲୋନି, ତ୍ରୀନାଥ ମନ୍ଦିର ପାଖ, ସୋନାର ବସ୍ତି, ଲକ୍ଷ୍ମୀ ପେଣ୍ଡାଲ, ତୁଳସୀ ଚଉରା, ଦୀପ୍ତି ହୋଟେଲ ପଛପଟ ଅଞ୍ଚଳ, ଅମରନାଥ ମନ୍ଦିର ପାଖ ଅଞ୍ଚଳ, ଲୋହାରପଡ଼ା, ତେଲିପଡ଼ା, ଗୋପବନ୍ଧୁପଲ୍ଲୀ ଫାଣ୍ଡି ପାଖ ବସ୍ତି ଆଦିରେ ପ୍ରତିବର୍ଷ ଜଳ ସମସ୍ୟା ଦେଖାଦେଇଥାଏ। ଏଥିମଧ୍ୟରୁ କିଛି ବସ୍ତିକୁ ପାଇପ୍‌ ମାଧ୍ୟମରେ ପାଣି ଯୋଗାଣ ହେଉଥିବାବେଳେ ଅର୍ଦ୍ଧାଧିକ ବସ୍ତିରେ ପାଇପ୍‌ ସଂଯୋଗ ହୋଇନି। ତେବେ ପାହାଡ଼ ପାଦଦେଶରେ ଥିବା ବିଭିନ୍ନ ବସ୍ତି, ଯଥା-ତେଲିପଡ଼ା, ଲୋହରାପଡ଼ା, କବରସ୍ତାନ ବସ୍ତି ଆଦିରେ ସ୍ଥିତି ସଙ୍ଗୀନ ହେଲାଣି। ଏ ଅଞ୍ଚଳକୁ ପାଣି ଠିକ୍‌ଭାବେ ପହଞ୍ଚିପାରୁନି। ଏସବୁ ବସ୍ତି ଅଞ୍ଚଳରେ ଦିନକୁ ଥରେ, କେବଳ ୧୦/୧୫ ମିନିଟ ପାଣି ପାଣି ଯୋଗାଣ ହେଉଛି। ଫଳରେ ସ୍ଥାନୀୟବାସିନ୍ଦା ଆବଶ୍ୟକ ମୁତାବକ ପାଣି ପାଇପାରୁନାହାନ୍ତି। ଏମିତିକି ନିୟମିତଭାବେ ପାଣି ଯୋଗାଣ ହେଉନଥିବା ଅଭିଯୋଗ ହେଉଛି।

ସହର ଉପକଣ୍ଠ ଜଲଦାରେ ଲୋକେ ଡହଳବିକଳ
ସାରନଗରୀ ଅଞ୍ଚଳରେ ମଧ୍ୟ ଘରକୁ ଘର ପାଣି ଯୋଗାଣ ଦିବାସ୍ବପ୍ନ ପାଲଟିଛି। ବିଶେଷକରି ରାଉରକେଲା ଉପକଣ୍ଠ ଜଲଦା ଗ୍ରାମପଞ୍ଚାୟତ ଅନ୍ତର୍ଗତ ୧ ଓ ୬ ନମ୍ବର ୱାର୍ଡର ପାଖାପାଖି ୫ ହଜାରରୁ ଉର୍ଦ୍ଧ୍ବ ବାସିନ୍ଦା ପାଣି ପାଇଁ ଡହଳବିକଳ ହେଉଛନ୍ତି। ଗତ ୮ ବର୍ଷ ହେଲା ଏହି ସମସ୍ୟା ଲାଗିରହିଥିଲେ ମଧ୍ୟ ସମାଧାନ କରାଯାଉନଥିବାରୁ ଅଞ୍ଚଳବାସୀ ଏଥର ଭୋଟ୍‌ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ରାଉରକେଲା ଇସ୍ପାତ କାରଖାନା ପକ୍ଷରୁ ପୁନର୍ବସତି କଲୋନିଭାବେ ଜଲଦା ଏ’, ବି’ ଓ ସି’ ବ୍ଲକ ସ୍ଥାପନ କରାଯାଇଥିଲା। ତେବେ ଗତ ପ୍ରାୟ ୮ ବର୍ଷ ହେଲା ଏହି ଅଞ୍ଚଳର ସାମଗ୍ରିକ ବିକାଶ ପ୍ରତି ଆର୍‌ଏସ୍‌ପି କର୍ତ୍ତୃପକ୍ଷ ଅବହେଳା କରୁଥିବା ଅଞ୍ଚଳବାସୀ ଅଭିଯୋଗ କରୁଛନ୍ତି। ବିଶେଷକରି ଜଲଦା ଏ’ ବ୍ଲକ ବାସିନ୍ଦାଙ୍କୁ ପାଣି ପାଇଁ ଯାବତୀୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ପାଣି ଅଭାବ ଯୋଗୁଁ ଅଞ୍ଚଳବାସୀ ଫର୍ଟିଲାଇଜର୍‌ର ନଳକୂ୍ଅ ଉପରେ ନିର୍ଭରଶୀଳ। ଚାଲିଚାଲି ନଳକୂଆରୁ ପାଣି ‌ନିତ୍ୟବ୍ୟବହାର୍ଯ୍ୟ କାର୍ଯ୍ୟରେ ଉପଯୋଗ କରୁଛନ୍ତି। ସମସ୍ୟାର ସମାଧାନ କରିବାକୁ ବିଗତ ଦିନରେ ଲାଠିକଟା ବିଡିଓ, ୱାଟ୍‌କୋ ଓ ଆର୍‌ଏସ୍‌ପି ପାନୀୟ ଜଳଯୋଗାଣ ବିଭାଗ କର୍ତ୍ତୃପକ୍ଷଙ୍କୁ ଦୃଷ୍ଟି ଆକର୍ଷଣ କରାଯାଇଥିଲା। କିନ୍ତୁ ଉକ୍ତ ଅଞ୍ଚଳ ସେମାନଙ୍କ ଅନ୍ତର୍ଗତ ହୋଇନଥିବା କହି ଜଳଯୋଗାଣ ବ୍ୟବସ୍ଥା କରିବାକୁ ସିଧାସଳଖ ମନା କରିଦେଇଥିଲେ। ଏବେ ସହରର ତାପମାତ୍ରା ୪୨ ଡିଗ୍ରିରୁ ଖସୁନଥିବାବେଳେ ତାତି ମଧ୍ୟ ଅସହ୍ୟ ହେଲାଣି। ଏଭଳି ସମୟରେ ଜଳଯୋଗାଣ ପାଇଁ ରାଉରକେଲା ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର ଏସ୍‌ଡିଓ ତାପସିଲ ଅଟି ଓ ଆରଏସପିର ସହର ଜଳଯୋଗାଣ ବିଭାଗର ମହାପ୍ରବନ୍ଧକ ମଙ୍ଗଳ ଓରାମଙ୍କୁ ପଚାରିବାରୁ ଏହା ଆମ ଅଧୀନରେ ଆସୁନଥିବାରୁ ଆମେ କୌଣସି ପଦକ୍ଷେପ ନେଇପାରିବୁ ନାହିଁ ବୋଲି କହିଥିଲେ।

ପାଇପ୍‌ ଅଛି, ପାଣି ଆସୁନି
ଗତ ୩ ମାସ ହେଲା ପାନୀୟ ଜଳ ପାଇଁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଉଦିତନଗର ଶୀତଳପଡ଼ାବସ୍ତି ବାସିନ୍ଦା। ଥରେ କି ଦୁଇଥର ନୁହେଁ ଅନେକବାର ସ୍ଥାନୀୟ ରଘୁନାଥପାଲି ବିଧାୟକ ସୁବ୍ରତ ତରାଇଙ୍କୁ ପାନୀୟ ଜଳ ସମସ୍ୟା ଦୂର କରିବାକୁ ଗୁହାରି କରିଛନ୍ତି; କିଛି ସୁଫଳ ମିଳିନଥିଲା। ଏଣୁ ଆଜି ଅଞ୍ଚଳବାସୀ ୱାଟ୍‌କୋ ଅଫିସ୍‌ ଘେରାଉ କରିବାସହ ଯୁଦ୍ଧକାଳୀନ ଭିତ୍ତିରେ ପାନୀୟ ଜଳ ସମସ୍ୟା ଦୂର ନ ହେଲେ ଭୋଟବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି। ଅଭିଯୋଗ କରିଥିଲେ, ବସ୍ତିରେ ପ୍ରାୟ ୫ ଶହରୁ ଅଧିକ ପରିବାର ବସବାସ କରୁଛନ୍ତି। ମଙ୍ଗଳମନ୍ଦିର ଅଞ୍ଚଳରେ ପ୍ରାୟ ୧୫୦ରୁ ଅଧିକ ପରିବାର ରୁହନ୍ତି। ଗତ ୩ ମାସ ତଳେ ୨୪ ଘଣ୍ଟିଆ ବିଶୁଦ୍ଧପାନୀୟ ଜଳ ଯୋଗାଣ ପାଇଁ ପ୍ରତ୍ୟେକଙ୍କ ଘରକୁ ପାଇପ୍‌ ସଂଯୋଗ କରାଯିବାସହ ଷ୍ଟାଣ୍ଡ୍‌ପୋଷ୍ଟ୍‌ ମଧ୍ୟ ବସାଯାଇଛି। କିନ୍ତୁ ଆଜି ପର୍ଯ୍ୟନ୍ତ ଟୋପାଏ ପାଣି ଆସୁନି। ଦାୟିତ୍ବରେ ଥିବା ଅଧିକାରୀ ପାନୀୟ ଜଳ ଆସିବ ବୋଲି କହି ମାସ ପରେ ମାସ ଗଡ଼ାଇ ଚାଲିଛନ୍ତି। ନଳକୂଅ ଅଛି, କିନ୍ତୁ ଲୋକଙ୍କୁ ଠିକ୍‌ ଭାବେ ପାନୀୟ ଜଳ ମିଳିପାରୁନି। ଏଣୁ ଏଥର ଦାବିପୂରଣ ନ ହେଲେ ଭୋଟ୍‌ବର୍ଜନ କରିବାକୁ ଚେତାବନୀ ଦେଇଥିଲେ।

ସମ୍ବନ୍ଧିତ ଖବର