ଭୋଟ ପ୍ରଚାରକୁ ନେଇ ଚର୍ଚ୍ଚା: ‘ବିଜେଡିର ପଇସା ଖାଅ, କଂଗ୍ରେସକୁ ଭୋଟ ଦିଅ’

ରା.ଉଦୟଗିରି : ବିଜେଡିର ପଇସା ଖାଅ, କଂଗ୍ରେସକୁ ଭୋଟ ଦିଅ! ହାଟ ମଝିରେ ମୋହନା ବିଧାୟକ ଦାଶରଥି ଗମାଙ୍କ ଏହିଭଳି ନାରା ଏଠାରେ ଚର୍ଚ୍ଚାର ବିଷୟ ପାଲଟିଛି। ଅନ୍ୟପକ୍ଷରେ, ହାଟପାଳି ଥିବାରୁ ତିନି ପ୍ରମୁଖ ଦଳର ନେତାମାନେ ସେଠାରେ ପହଞ୍ଚି ପ୍ରଚାରକୁ ଜୋର୍‌ଦାର୍‌ କରିଥିବା ଦେଖିବାକୁ ମିଳିଛି।

ସୋମବାର ଥିଲା ସୋମବାର ହାଟ ପାଳି। ହାଟରେ ଏକାଠି ହୋଇଥିଲେ ସବୁ ବାଟୁଆ ହାଟୁଆ। ତେଣୁ ଏହାକୁ ପ୍ରଚାରର ଉଚିତ ମଉକା ଭାବି ଭୋଟରଙ୍କ ମନ ଜିଣିବାକୁ ତିନି ପ୍ରମୁଖ ଦଳ ଏକ ପ୍ରକାର ଦମ୍‌ ଲଗାଇଥିଲେ। ଗଜପତି ଜିଲ୍ଲା ରା.ଉଦୟଗିରି ଓ ନୂଆଗଡ଼ ବ୍ଲକ୍‌ରେ ଆସନ୍ତା ୧୮ତାରିଖ ଦ୍ବିତୀୟ ପର୍ଯ୍ୟାୟ ମତଦାନ ହେବାକୁ ଥିବା ବେଳେ ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପାରୁ ପର୍ଯ୍ୟନ୍ତ ପ୍ରଚାର ମାଧ୍ୟମରେ ଭୋଟରଙ୍କ ନିକଟତର ହେବାପାଇଁ ଚେଷ୍ଟା କରିଥିଲେ। କଂଗ୍ରେସ ପକ୍ଷରୁ ଜିଲ୍ଲା ସଭାପତି ଥିବା ମୋହନା ବିଧାୟକ ଦାଶରଥି ଗମାଙ୍ଗ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିବା ବେଳେ ବିଜେଡି ପକ୍ଷରୁ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ପ୍ରଚାର କରୁଥିଲେ। ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଥିଲେ ଭୃଗୁ ବକ୍ସିପାତ୍ର ଓ ସିନେ ତାରକା ଅନୁ ଚୌଧୁରୀ। ବିଜେଡି ପ୍ରଚାରରେ ଶତାଧିକ ମହିଳା ଆଦିବାସୀ ନୃତ୍ୟର ତାଳେ ତାଳେ ନାଚି ପ୍ରଚାର କରୁଥିଲେ। ଆଗପଛ ହୋଇ ୩ ଦଳ ପ୍ରଚାର କରିବା ସମୟରେ ପ୍ରାୟ ଏକ କିମି. ପର୍ଯ୍ୟନ୍ତ ଜନସମୁଦ୍ର ସହ ସମସ୍ତ ଟ୍ରାଫିକ୍‌ ଜାମ୍‌ ହୋଇ ଯାଇଥିଲା। ବିଜେଡି ଓ ବିଜେପି ପକ୍ଷରୁ ଡାକବାଜିରେ ନିର୍ବାଚନୀ ସଂଗୀତ ମାଧ୍ୟମରେ ଭୋଟ ଭିକ୍ଷା କରାଯାଉଥିଲା।

ତେବେ କଂଗ୍ରେସ ପକ୍ଷରୁ ନା ନିର୍ବାଚନୀ ସଙ୍ଗୀତ ଶୁଭୁଥିଲା, ନା ନାଚଗୀତ। ଷ୍ଟାର୍‌ କ୍ୟାମ୍ପେନର୍‌ ସାଜିଥିଲେ ନିଜେ ମୋହନା ବିଧାୟକ ଦାଶରଥି ଗମାଙ୍ଗ। ଜିପ୍‌ ଛାତ ଉପରେ ବସି ମାଇକ୍‌ ଧରି ସେ ଭାଷଣ ଦେଇ ଭୋଟ ଭିକ୍ଷା କରୁଥିଲେ। ହାଟ ମଝିରେ ଚାଲିଥିବା ପ୍ରଚାରରେ ସେ ଅଭିନବ ନାରା ଲଗାଉଥିଲେ- ‘ ବିଜେଡିର ପଇସା ଖାଅ, କଂଗ୍ରେସକୁ ଭୋଟ ଦିଅ। ’ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ସମୟରେ ସ୍ଥିତି ଏମିତି ଲାଗୁଥିଲା ଯେମିତି ଏହି ୧୧ନଂ ଗଡ଼ ହାତରୁ ଚାଲିଗଲେ କେହି ଆଉ ଭୋଟର୍‌ଙ୍କୁ ମୁହଁ ଦେଖାଇ ପାରିବେନି। ତିନି ଦଳ ପ୍ରଚାର କରିବା ସମୟରେ ମୁହାଁମୁହିଁ ମଧ୍ୟ ହୋଇଥିଲେ। ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା, ଖୁବ୍‌ କମ୍‌ ସୁରକ୍ଷା ବଳଙ୍କ ଉପସ୍ଥିତିରେ ତିନି ଦଳଙ୍କ ପ୍ରଚାର ଶାନ୍ତିପୂର୍ଣ୍ଣ ଭାବେ ସରିଥିଲା। ବର୍ତ୍ତମାନ ସୁଦ୍ଧା ଯାହା ଆକଳନ କରାଯାଉଛି, ବିଜେଡି ଓ କଂଗ୍ରେସ ମଧ୍ୟରେ କାଣ୍ଟେ କା ଟକ୍କର୍‌ ଚାଲିଥିବା ବେଳେ ବିଜେପି ନିଜର ପ୍ରଚାର ରଣନୀତିରେ ଉଭୟ ପ୍ରତିଦ୍ୱନ୍ଦ୍ୱୀଙ୍କୁ କଡ଼ା ମୁକାବିଲା କରିବାକୁ ପ୍ରୟାସ କରୁଛି।

ସମ୍ବନ୍ଧିତ ଖବର