ଭୁବନେଶ୍ୱର: ସପ୍ତଦଶ ଲୋକସଭା ନିର୍ବାଚନ ପାଇଁ ହୋଇଥିବା ମତଦାନର ଫଳାଫଳ ଚଳିତ ମାସ ୨୩ ତାରିଖରେ ଘୋଷଣା କରାଯିବ। ଏହା ପୂର୍ବରୁ ରାଜ୍ୟର ୬୨ଟି ସ୍ଥାନରେ କଡ଼ା ସୁରକ୍ଷା ମଧ୍ୟରେ ଭୋଟ ଗଣତି ହେବ ବୋଲି ପୁଲିସ ମହାନିର୍ଦ୍ଦେଶକ ଡ. ରାଜେନ୍ଦ୍ର ପ୍ରସାଦ ଶର୍ମା ଶନିବାର ଏହି ସୂଚନା ଦେଇଛନ୍ତି। ଭୋଟ ଗଣତି ବେଳେ କେନ୍ଦ୍ରରେ ପୂର୍ଣ୍ଣ ସୁରକ୍ଷା ବ୍ୟବସ୍ଥା ସହ ପୁଲିସ, ଓଏସଏପି ସଜାଗ ରହିବେ।

Advertisment

ଏପିଆର, ଓଏପିଏଫ ଓ ଅନ୍ୟାନ୍ୟ କେନ୍ଦ୍ରୀୟ ଫୋର୍ସ ମୁତୟନ ରହିବେ। ଭୋଟ ଗଣତି ବେଳେ ଯେପରି ଅପ୍ରୀତିକର ସ୍ଥିତି ସୃଷ୍ଟି ନହେବ, ସେଥିପାଇଁ ସତର୍କତା ଅବଲମ୍ବନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବରିଷ୍ଠ ପୁଲିସ ଅଧିକାରୀ ଶର୍ମା କହିଛନ୍ତି, ଏସ୍‌ପି, ଡିଏସ୍‌ପି, ଡିଆଇଜି, ଡିସିପିଙ୍କ ସହ କମିସନରେଟ ପୁଲିସକୁ ନିର୍ଦ୍ଦେଶ ଦିଆଯାଇଛି।

ନିର୍ବାଚନ ଆୟୋଗଙ୍କ ଗାଇଡଲାଇନ୍‌ ଅନୁସାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହେବ। ନକ୍ସଲ ପ୍ରବଣ ଅଂଚଳରେ ଥିବା ଗଣତି କେନ୍ଦ୍ରରେ ଏସ୍‌ଓଜି ଯବାନ ସଜାଗ ରହିବେ। ଗଣତି କେନ୍ଦ୍ର ବାହାରେ ଓ ଭିତରେ ସିସିଟିଭି ବ୍ୟବସ୍ଥା କରାଯିବା ବୋଲି ଶର୍ମା ସୂଚନା ଦେଇଛନ୍ତି। ବର୍ତ୍ତମାନ ଷ୍ଟ୍ରଙ୍ଗ ରୁମରେ ୬୯ କମ୍ପାନି ସିଏପିଏଫ ମୁତୟନ କରାଯାଇଛି। ଅତିରିକ୍ତ ୧୨ ସିଏପିଏଫ କମ୍ପାନି ମୁତୟନ ହେବେ।