ବ୍ରଜରାଜନଗର ଉପନିର୍ବାଚନ ପାଇଁ ବାଜିଲା ବିଗୁଲ: ମେ ୩୧ରେ ହେବ ଭୋଟଗ୍ରହଣ

ବ୍ରଜରାଜନଗର: ବହୁ ପ୍ରତୀକ୍ଷିତ ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା ହୋଇଛି | ଆସନ୍ତା ମାସ ଶେଷ ଆଡକୁ ଅର୍ଥାତ ମେ ୩୧ ତାରିଖରେ ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯିବ | ନିର୍ବାଚନ କମିଶନଙ୍କ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଆସନ୍ତା ୪ ତାରିଖରେ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇବାକୁ ଥିବାବେଳେ ମେ ୧୧ ମଧ୍ୟରେ ପ୍ରାର୍ଥୀପତ୍ର ଦାଖଲ କରିବାକୁ ପଡିବ | ମେ ୧୭ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ଥିବାବେଳେ ମେ ୩୧ ତାରିଖରେ ଭୋଟଗ୍ରହଣ ହେବ | ସେହିପରି ଜୁନ ୩ରେ ଭୋଟ ଗଣତି ହେବ | ଗତ ଡିସେମ୍ବର ୩୦ ତାରିଖ ଦିନ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତିଙ୍କ ଆକସ୍ମିକ ବିୟୋଗ ପରେ ଏହି ଆସନ ଖାଲି ପଡ଼ିଛି।

ସେପଟେ ୬ ମାସ ମଧ୍ୟରେ ଉପନିର୍ବାଚନ ହେବାର ନିୟମ ଥିବା ବେଳେ ଆସନ୍ତା ଜୁନ ମାସରେ ଏହାର ଅବଧି ପୂରଣ ହେଉଥିବାରୁ ମେ ୩୧ରେ ଉପନିର୍ବାଚନ ହେବା ନେଇ ଘୋଷଣା କରାଯାଇଛି | ସୂଚନା ଥାଉ କି ଗତ ୨୦୧୯ ସାଧାରଣ ନିର୍ବାଚନରେ ପ୍ରଥମ ଥର ପାଇଁ ବିଜେଡି ସେଠାରେ ଖାତା ଖୋଲିଥିବା ବେଳେ କିଶୋର ମହାନ୍ତି ଏଠାରୁ ନିର୍ବାଚିତ ହୋଇଥିଲେ। ସ୍ବର୍ଗତ ମହାନ୍ତି  ୮୦୧୫୨ ଭୋଟ ପାଇଥିବା ବେଳେ ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପିର ରାଧାରାଣୀ ପଣ୍ଡା ୬୮୧୫୨ ଖଣ୍ଡ ଭୋଟ ପାଇଥିଲେ। କଂଗ୍ରେସ ସମର୍ଥିତ ସିପିଆଇ ପ୍ରାର୍ଥୀ ରମେଶ ତ୍ରିପାଠୀ ମାତ୍ର ୯୩୫୦ ଭୋଟ ପାଇଥିଲେ।

୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ଏହି ନିର୍ବାଚନମଣ୍ଡଳୀରୁ ତିନି ଥର ବିଜୟୀ ହୋଇଥିବା କଂଗ୍ରେସ ବିଧାୟକ ଅନୁପ ସାଏ ବିଜେଡିରେ ଯୋଗଦାନ କରି ବିଜେଡି ଟିକେଟରେ ପ୍ରତିଦ୍ବନ୍ଦ୍ବିତା କରି ବିଜେପି ପ୍ରାର୍ଥିନୀ ରାଧାରାଣୀ ପଣ୍ଡାଙ୍କଠାରୁ ପରାଜିତ ହୋଇଥିଲେ। ସେବେ ଶ୍ରୀମତୀ ପଣ୍ଡା ୫୦୭୩୬ ଖଣ୍ଡ ଭୋଟ ପାଇଥିବା ବେଳେ ଶ୍ରୀ ସାଏ ୪୩୯୪୬ ଭୋଟ ପାଇଥିଲେ। ସେତେବେଳେ କଂଗ୍ରେସ ପ୍ରାର୍ଥୀ କିଶୋର ଚନ୍ଦ୍ର ପଟେଲ ୩୮୧୭୫ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ।

ସମ୍ବନ୍ଧିତ ଖବର