ଭୋଟ୍‌ ଡ୍ୟୁଟିରେ ରହିଲେ ଦିନକୁ ୨୦୦ରୁ ୩୫୦ଟଙ୍କା, ଅସ୍ଥାୟୀ ବୁଥ୍‌ ପାଇଁ ୩ହଜାର ଟଙ୍କା

ଭୁବନେଶ୍ବର: ନିର୍ବାଚନ ଡ୍ୟୁଟିରେ ଯେଉଁ କର୍ମଚାରୀମାନେ ରହିବେ ସେମାନଙ୍କ ପାଇଁ ରାଜ୍ୟ ନିର୍ବାଚନ କମିସନ ଦୈନିକ ଭତ୍ତା ଘୋଷଣା କରିଛନ୍ତି। ଏଥିରେ ପ୍ରିଜାଇଡିଂ ଅଫିସରଙ୍କୁ ଭୋଟ୍ ଦିନ ୩୫୦ଟଙ୍କା, ପୁଲିଂ ଅଫିସରଙ୍କୁ ୨୭୫ଟଙ୍କା, ଗ୍ରୁପ୍‌ ଡି ପୁଲିଂ ଅଫିସରଙ୍କୁ ୨୦୦ଟଙ୍କା ଲେଖାଏଁ ମିଳିବ। ସେହିପରି ଅନ୍ୟ ଦିନଗୁଡ଼ିକରେ ଯଥାକ୍ରମେ ୨୫୦ଟଙ୍କା, ୨୦୦ଟଙ୍କା ଏବଂ ୧୫୦ଟଙ୍କା ଲେଖାଏଁ ମିଳିବ। ଗଣତି ଦିନ କାଉଣ୍ଟିଂ ସୁପରଭାଇଜର୍‌ଙ୍କୁ ୩୫୦ଟଙ୍କା, କାଉଣ୍ଟିଂ ଆସିଷ୍ଟାଣ୍ଟଙ୍କୁ ୨୭୫ଟଙ୍କା, ଗ୍ରୁପ୍‌ ଡି କ୍ୟାଟେଗୋରିର କାଉଣ୍ଟିଂ ଅଫିସରଙ୍କୁ ଦିନକୁ ୨୦୦ଟଙ୍କା ହିସାବରେ ଭତ୍ତା ମିଳିବ। ଭୋଟ୍‌ ଓ ଗଣତି ଦିନ ଏହି କର୍ମଚାରୀମାନଙ୍କୁ ଖାଇବା ପାଇଁ ୧୫୦ଟଙ୍କା ଲେଖାଏଁ ମିଳିବ।

ମହାନଗର ନିଗମ ଅଞ୍ଚଳରେ ଗଣତି ଦିନ ସମସ୍ତ କର୍ମଚାରୀଙ୍କ ରିଫ୍ରେସମେଣ୍ଟ ପାଇଁ ୧୦ହଜାର ଟଙ୍କା, ପୁରୀ, ବାଲେଶ୍ବର ଭଳି ମ୍ୟୁନିସପାଲଟି ପାଇଁ ୮ହଜାର, ଅନ୍ୟ ମ୍ୟୁନିସପାଲଟି/ଏନ୍‌ଏସି ପାଇଁ ୪ହଜାର ଟଙ୍କା ଲେଖାଏଁ ଦିଆଯିବ। ଏକଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍/ସେକ୍ଟର ଅଫିସର, ନିର୍ବାଚନ ତଦାରଖ ଦା‌ୟିତ୍ବରେ ଥିବା ଅଧିକାରୀ ଏବଂ ଅନ୍ୟ କର୍ମଚାରୀମାନଙ୍କୁ ଦିନକୁ ୩୦୦ଟଙ୍କା ଲେଖାଏଁ ଭତ୍ତା ମିଳିବ। ଡେପୁଟି ମେୟର/ଉପାଧ୍ୟକ୍ଷ ନିର୍ବାଚନ ସମୟରେ ଆନୁଷଙ୍ଗିକ ଖର୍ଚ୍ଚ ପାଇଁ ହଜାରେ ଟଙ୍କା, ସରକାରୀ ଗାଡ଼ି ପାଇଁ ନିୟୋଜିତ ହୋଇଥିବା ଡ୍ରାଇଭରଙ୍କୁ ଦିନକୁ ୧୩୦ଟଙ୍କା ଲେଖାଏଁ ମିଳିବ। ସେହିପରି ଅସ୍ଥାୟୀ ବୁଥ୍‌ ନିର୍ମାଣ କରିବାକୁ ୩ହଜାର ଟଙ୍କା, ପିଇବା ପାଣି ବ୍ୟବସ୍ଥା କରିବା ପାଇଁ ବୁଥ୍‌ ପିଛା ୭୫ଟଙ୍କା, ବୁଥ୍‌ର ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ୭୫ଟଙ୍କା ଲେଖାଏଁ ମିଳିବ। ନିର୍ବାଚନ ଦାୟିତ୍ବରେ ଥିବା କର୍ମଚାରୀମାନଙ୍କୁ ସେମାନଙ୍କ ଭତ୍ତା ରିଲିଭ୍ ହେବା ସମୟରେ ହିଁ ପ୍ରଦାନ କରାଯିବ ବୋଲି ରାଜ୍ୟ ନିର୍ବାଚନ କମିସନ ସମସ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର