ଭୁବନେଶ୍ବର/ନୂଆଦିଲ୍ଲୀ: ଓଡ଼ିଶାର ୩ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ, ପ୍ରଶାନ୍ତ ନନ୍ଦ ଓ ଅଶ୍ବିନୀ ବୈଷ୍ଣବଙ୍କ କାର୍ଯ୍ୟକାଳ ଆସନ୍ତା ଏପ୍ରିଲ୍ ୩ରେ ଶେଷ ହେଉଛି। ଏହି ତିନିଟି ଆସନ ପାଇଁ ଫେବ୍ରୁଆରି ୨୭ ତାରିଖରେ ନିର୍ବାଚନ ହେବ। ଫେବ୍ରୁଆରି ୮ ତାରିଖରେ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବ। ନାମାଙ୍କନପତ୍ର ଦାଖଲର ଶେଷ ତାରିଖ ରହିଛି ୧୫। ଯଦି ୩ରୁ ଅଧିକ ପ୍ରାର୍ଥୀ ରୁହନ୍ତି, ତେବେ ୨୭ ତାରିଖ ଦିନ ଭୋଟ୍ ଗ୍ରହଣ ହେବ। ଓଡ଼ିଶାର ଏହି ୩ ଆସନ ସମେତ ୧୫ ରାଜ୍ୟର ୫୬ ରାଜ୍ୟସଭା ଆସନ ପାଇଁ ନିର୍ବାଚନ କମିସନ୍ ଆଜି ଏହି ତାରିଖ ଘୋଷଣା କରିଛନ୍ତି। ମଧ୍ୟପ୍ରଦେଶରୁ ପ୍ରତିନିଧିତ୍ବ କରୁଥିବା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କାର୍ଯ୍ୟକାଳ ମଧ୍ୟ ଏପ୍ରିଲ୍ ୩ ତାରିଖରେ ଶେଷ ହେଉଛି।
ଅମର ପଟ୍ଟନାୟକ ଓ ପ୍ରଶାନ୍ତ ନନ୍ଦ ବିଜେଡିରୁ ଏବଂ ବିଜେଡି ସମର୍ଥନରେ ବିଜେପି ପ୍ରାର୍ଥୀ ଅଶ୍ବିନୀ ବୈଷ୍ଣବ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ବର୍ତ୍ତମାନ ବିଧାନସଭାରେ ସଂଖ୍ୟା ଦୃଷ୍ଟିରୁ ବିଜେଡି ତିନିଟି ଯାକ ଆସନ ଦଖଲ କରିବାରେ ଆପାତତଃ କୌଣସି ସମସ୍ୟା ନାହିଁ। ଏବେ ବିଧାନସଭାରେ ବିଜେଡିର ୧୦୯ ଜଣ ବିଧାୟକ ଥିଲା ବେଳେ ବିଜେପିର ୨୨, କଂଗ୍ରେସର ୯, ସିପିଆଇ(ଏମ୍)ର ଜଣେ ବିଧାୟକ ଅଛନ୍ତି। ଏହା ବାଦ୍ ୫ ଜଣ ସ୍ବାଧୀନ ବିଧାୟକ ଅଛନ୍ତି, ଯେଉଁମାନଙ୍କ ମଧ୍ୟରେ ୪ ଜଣ ବିଜେଡିରୁ ବହିଷ୍କୃତ ହୋଇଛନ୍ତି। ସୂର୍ଯ୍ୟନାରାୟଣ ପାତ୍ରଙ୍କ ପରଲୋକ ପରେ ଗୋଟିଏ ଆସନ ଖାଲି ରହିଛି। ଯେହେତୁ ଆଗକୁ ନିର୍ବାଚନ ଅଛି, ତେଣୁ ବିଜେପି ପ୍ରାର୍ଥୀଙ୍କୁ ବିଜେଡି ସମର୍ଥନ କରିବାର କୌଣସି ସମ୍ଭାବନା ନାହିଁ। ସେହି ଦୃଷ୍ଟିରୁ ଅଶ୍ବିନୀ ବୈଷ୍ଣବ ପୁନର୍ବାର ଓଡ଼ିଶାରୁ ରାଜ୍ୟସଭାକୁ ଯିବାର ସମ୍ଭାବନା ନାହିଁ କହିଲେ ଚଳେ। ସେ ଓଡ଼ିଶାରୁ ଲୋକସଭା ନିର୍ବାଚନ ଲଢ଼ିବେ ବୋଲି ଚର୍ଚ୍ଚା ଜୋର୍ ଧରିଥିଲେ ହେଁ ଶ୍ରୀ ବୈଷ୍ଣବ ତାଙ୍କ ଆଭିମୁଖ୍ୟ ଏ ଯାଏ ସ୍ପଷ୍ଟ କରିନାହାନ୍ତି। ଯଦି ବିଜେପି ହାଇକମାଣ୍ଡ୍ ତାଙ୍କୁ ରାଜ୍ୟସଭାକୁ ପୁନର୍ବାର ନେବାକୁ ଚାହିଁବେ, ତେବେ ସେ ଅନ୍ୟ ରାଜ୍ୟରୁ ପ୍ରତିନିଧିତ୍ବ କରିପାରନ୍ତି।
କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନେଇ ମଧ୍ୟ ଉଭୟ ରାଜ୍ୟ ଓ ଜାତୀୟ ରାଜନୀତିରେ ଚର୍ଚ୍ଚା ଜୋର୍ ଧରିଛି। ଏକମାତ୍ର ଓଡ଼ିଆ ଭାବେ ଶ୍ରୀ ପ୍ରଧାନ ଦୁଇଟି ରାଜ୍ୟ ବିହାର ଓ ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ପ୍ରତିନିଧିତ୍ବ କରିଛନ୍ତି। ଲଗାତର ଭାବେ ୧୨ ବର୍ଷ ସେ ରାଜ୍ୟସଭାର ସଦସ୍ୟ ଅଛନ୍ତି। ୨୦୧୪ ମସିହାରୁ କ୍ରମାଗତ ଭାବେ ନରେନ୍ଦ୍ର ମୋଦୀଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବା ସହ ବିଜେପିର ଜାତୀୟ ରାଜନୀତିରେ ବେଶ୍ ଚର୍ଚ୍ଚାରେ ରହିଛନ୍ତି। ଓଡ଼ିଶାରେ ବିଜେପି ରାଜ୍ୟ ସଭାପତି ଯିଏ ହେଲେ ବି ଶ୍ରୀ ପ୍ରଧାନଙ୍କୁ ହିଁ ବିଜେପିର ଚେହେରା ଭାବେ ଉପସ୍ଥାପନ କରାଯାଉଥିବା ଦେଖିବାକୁ ମିଳୁଛି। ଆସନ୍ତା ଲୋକସଭା ନିର୍ବାଚନରେ ଶ୍ରୀ ପ୍ରଧାନ ପ୍ରାର୍ଥୀ ହେବା ଏକପ୍ରକାର ସ୍ପଷ୍ଟ ହୋଇଛି। ଉଭୟ ଢେଙ୍କାନାଳ ଓ ସମ୍ବଲପୁରରେ ସେ ତାଙ୍କ ସାଂଗଠନିକ କାର୍ଯ୍ୟକ୍ରମ ବ୍ୟାପକ କରିଛନ୍ତି। ଏହି ଦୁଇଟି ମଧ୍ୟରୁ ସେ କେଉଁ ଆସନକୁ ବାଛିବେ, ତାହା ଏ ଯାଏ ଜଣାପଡ଼ିନି। ଯେହେତୁ ଲୋକସଭାରେ ସେ ପ୍ରାର୍ଥୀ ହେବେ, ତେଣୁ ଅନ୍ୟ ରାଜ୍ୟରୁ ଏବେ ରାଜ୍ୟସଭାକୁ ଯିବା ସମ୍ଭାବନା କମ୍ ବୋଲି ରାଜନୈତିକ ମହଲରେ ଆକଳନ କରାଯାଉଛି। ଓଡ଼ିଶାରେ ବିଜେଡିର ୩ ଆସନ ପାଇଁ ଆଶାୟୀଙ୍କ ସଂଖ୍ୟା ଲମ୍ବା ରହିଛି। ପ୍ରାର୍ଥୀ ଚୟନ ଏବେ ବିଜେଡି ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିପାରେ। ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଲୋକସଭା ଓ ବିଧାନସଭା ପାଇଁ ବିଜେଡିରୁ ମାଳ ମାଳ ଟିକେଟ୍ ଆଶାୟୀ ଏବେ ନବୀନ ନିବାସରେ ଚକ୍କର କାଟୁଛନ୍ତି। ତେଣୁ ନିର୍ବାଚନ ଗଣିତକୁ ଆଖି ଆଗରେ ରଖି ବିଜେଡି ସଭାପତି ରାଜ୍ୟସଭା ପ୍ରାର୍ଥୀ ଚୟନ କରିବେ ବୋଲି ଅନୁମାନ କରାଯାଉଛି।