ବାରଙ୍ଗ: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଜି ଖୋର୍ଦ୍ଧା ଜିଲ୍ଲା ପରିଷଦ ଜୋନ୍‌-୩୦ରେ ପ୍ରଚାରର ଅନ୍ତିମ ଦିବସ ଥିଲା। ଏଠାରେ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ବିଜେଡି ପ୍ରାର୍ଥୀ ବବିତା ରାଉତଙ୍କ ସହ ଭୁବନେଶ୍ବର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ପ୍ରଚାର କରିଥିଲେ। ରଘୁନାଥପୁର ପଞ୍ଚାୟତର ୧୧ଟି ୱାର୍ଡ‌‌ରେ ଶୋଭାଯାତ୍ରା କରି ଭୋଟ୍‌ ଭିକ୍ଷା କରିଥିଲେ।

Advertisment

ବିଧାୟକଙ୍କ ସହ ବିଜେଡି ରାଜ୍ୟ ସମ୍ପାଦକ ସୁବାସ ଚନ୍ଦ୍ର ପାତ୍ର, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ କୁନାଲ ରାଉତ, ଛାତ୍ର ବିଜେଡି ଭୁବନେଶ୍ବର ସଭାପତି ସୁବାସ ସାହୁ, ନବଘନ ପାତ୍ର, ଟୁକୁନା ଜେନା, ସୁରେନ୍ଦ୍ର ରାଉତ, ସୁରେଶ ଚନ୍ଦ୍ର ରାଉତ, ଅଶୋକ କୁମାର ରାଉତ ଉପସ୍ଥିତ ରହି ପ୍ରଚାର କରିଥିଲେ। ସେହିଭଳି ବିଜେପିର ସସ୍ମିତା ପତି ଓ କଂଗ୍ରେସର ପ୍ରତିମା ମହାନ୍ତି ସେମାନଙ୍କ ସମର୍ଥକଙ୍କ ସହ ପ୍ରଚାର ଶେଷ କରିଛନ୍ତି। ଆଇନଶୃଙ୍ଖଳା ରକ୍ଷା ଦିଗରେ ପୁଲିସ ପ୍ରଶାସନ ପକ୍ଷରୁ ତୀକ୍ଷ୍ଣ ନଜର ରଖାଯାଇଛି। ରାତି ଅଧିଆ ଟଙ୍କା ବଣ୍ଟା, ଭୋଜିଭାତ ଆସରରେ ଭୋଟ୍‌ କିଣାବିକା ପାଇଁ ଯେପରି ଉଦ୍ୟମ ନ ଚାଲେ, ସେଥିପ୍ରତି ପୁଲିସ କଡ଼ା‌ ନଜର ରଖିବା ସହ ପାଟ୍ରୋଲିଂ କଡ଼ାକଡ଼ି କରିଛି। ରାତି ପାହିଲେ ସବୁ ସର୍ବସାଧାରଣ ସ୍ଥାନରେ ମରାଯାଇଥିବା ପ୍ରାର୍ଥୀଙ୍କ ପୋଷ୍ଟର୍‌ ଓ ବ୍ୟାନର୍‌କୁ ପ୍ରଶାସନ ପକ୍ଷରୁ ହଟାଇବାକୁ ଯୋଜନା କରାଯାଇଛି। ମଙ୍ଗଳବାର ମତଦାନ ହେବ। ରଘୁନାଥପୁର, ଦାଢ଼ା, କଲ୍ୟାଣପୁର, ବରିମୁଣ୍ଡ ଓ ଇଞ୍ଜଣା ପଞ୍ଚାୟତକୁ ନେଇ ଗଠିତ ୩୦ ନଂ ଜୋନ୍‌ରେ ୨୧,୨୪୩ ଜଣ ଭୋଟର୍‌ ରହିଛନ୍ତି।

ଏକାମ୍ରରେ ବାବୁ ସିଂହଙ୍କ ମାରାଥନ୍‌ ପ୍ରଚାର

publive-image

ପୁରୁଣାଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ଏକାମ୍ର ନିର୍ବାଚନମଣ୍ଡଳୀର ୬ଟି ପଞ୍ଚାୟତ ଟିକରପଡ଼ା, ଧଉଳି, ଇଟିପୁର, ଶିଶୁପାଳଗଡ଼, ଲିଙ୍ଗିପୁର, ବାସୁଆଘାଇର ବିଭିନ୍ନ ଗ୍ରାମରେ ଆଜି ଶେଷ ଦିନରେ ବିଜେପି ପକ୍ଷରୁ ଜୋରଦାର ପ୍ରଚାର କରାଯାଇଥିଲା। ୨୯ନମ୍ବର ଜୋନ୍‌ ଜିଲ୍ଲା ପରିଷଦ ପାଇଁ ଲଢ଼ୁଥିବା ବିଜେପି ପ୍ରାର୍ଥୀ ସୁଜିତ କୁମାର ବଳବନ୍ତରାୟ ଓ ବିଜେପି ସମର୍ଥିତ ସରପଞ୍ଚ, ସମିତି ସଭ୍ୟ, ୱାର୍ଡ ମେମ୍ବର ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ। ପ୍ରଚାର ମଙ୍ଗ ଧରିଥିଲେ ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ସଭାପତି ତଥା ଏକାମ୍ର ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ବାବୁ ସିଂ। ରୋଡ୍‌ ସୋ’ ଓ ଘରକୁ ଘର ବୁଲି ସୁଜିତ କୁମାର ବଳବନ୍ତରାୟ ଓ ବିଜେପି ସମର୍ଥିତ ସରପଞ୍ଚ, ସମିତି ସଭ୍ୟ, ୱାର୍ଡ ମେମ୍ବର ପ୍ରାର୍ଥୀମାନଙ୍କ ପାଇଁ ଶ୍ରୀ ସିଂ ଭୋଟ୍‌ ଭିକ୍ଷା କରିଥିଲେ। ଶ୍ରୀ ସିଂ କହିଥିଲେ ଯେ ଭୁବନେଶ୍ୱର ଉପକଣ୍ଠରେ ରହିଲେ ମଧ୍ୟ ଏକାମ୍ର ନିର୍ବାଚନ ମଣ୍ଡଳୀର ସମସ୍ତ ପଞ୍ଚାୟତ ଆଜି ବି ମୌଳିକ ସୁବିଧା ପାଇବାରୁ ବଞ୍ଚିତ ହୋଇ ରହିଛି। ତେଣୁ ଆଗାମୀ ନିର୍ବାଚନରେ ଶାସକ ଦଳକୁ ଏହାର ଦୃଢ଼ ଜବାବ ଦେବାକୁ ପଞ୍ଚାୟତବାସୀଙ୍କୁ ଶ୍ରୀ ସିଂ ଅନୁରୋଧ କରିଥିଲେ। ଏହି ପ୍ରଚାରରେ ଗ୍ରାମୀଣ ମଣ୍ଡଳ ସଭାପତି ଅରୁଣ ପୁରୋହିତଙ୍କ ସହ ସ୍ଥାନୀୟ ନେତୃତ୍ୱ, ଯୁବମୋର୍ଚ୍ଚା, ମହିଳା ମୋର୍ଚ୍ଚାର କର୍ମୀ ଉପସ୍ଥିତ ରହି ପ୍ରାର୍ଥୀଙ୍କ ମନୋବଳ ବଢ଼ାଇବା ସହ ଭୋଟ୍‌ ଭିକ୍ଷା କରିଥିଲେ।

୭ ନମ୍ବର ଜୋନ୍‌ ହାତେଇବାକୁ ଜୋର୍‌ଦାର ପ୍ରୟାସ

publive-image

ମେଣ୍ଢାଶାଳ: ଖୋର୍ଦ୍ଧା ଜିଲ୍ଲା ପରିଷଦ ୭ ନମ୍ବର ଜୋନ୍‌କୁ ହାତେଇବା ପାଇଁ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି। ଏହି ତିନି ଦଳ ପକ୍ଷରୁ ଟାଣୁଆ ପ୍ରାର୍ଥୀ ଦିଆଯାଇଥିବା ବେଳେ ସେମାନଙ୍କୁ ଜିତାଇବା ପାଇଁ ଦଳୀୟ ନେତୃବୃନ୍ଦ ଅଣ୍ଟା ଭିଡିଛନ୍ତି। ମହିଳାଙ୍କ ପାଇଁ ସଂରକ୍ଷିତ ଥିବା ଏହି ଆସନରୁ ଏଥର ବିଜେଡିରୁ ମୋହିନୀ ନାୟକ, କଂଗ୍ରେସରୁ ସସ୍ମିତା ଗୁମାନସିଂହ, ବିଜେପିରୁ ସଙ୍ଗୀତା ଜେନା ପ୍ରାର୍ଥୀ ହୋଇଛନ୍ତି। ତେବେ ଏଠାରେ ଆପ୍‌ ମଧ୍ୟ ଯଶୋଦା ଜେନାଙ୍କୁ ମଇଦାନକୁ ଛାଡ଼ିଛି। ସଂଗଠନ ଦୃଷ୍ଟିରୁ ବିଜେଡି, ବିଜେପି ଓ କଂଗ୍ରେସ ଭଲ ସ୍ଥିତିରେ ଥିବାରୁ ଲଢ଼େଇ ଜୋର୍‌ଦାର୍‌ ହେଉଛି।

ଏହି ଜୋନ୍‌ରେ ରହିଛି ଛତାବର, ଅଙ୍ଗାରପଡ଼ା, ଗଙ୍ଗପଡ଼ା, ପଦନପୁର, ବେଣାପଞ୍ଜରୀ, ତିରିମଲ, ତରାବୋଇ ଓ ହରିପୁର ପଞ୍ଚାୟତ। ଜଟଣୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଏହି ଜୋନ୍‌ରେ ବର୍ତ୍ତମାନ ବିଧାୟକ ଅଛନ୍ତି କଂଗ୍ରେସ ନେତା ସୁର ରାଉତରାୟ। ତେଣୁ କୌଣସି ପରିସ୍ଥିତିରେ କଂଗ୍ରେସ ଏହି ଆସନ ହାତଛଡ଼ା କରିବାକୁ ଚାହୁନାହିଁ। ସେହିଭଳି ଏହି ଜୋନ୍‌ ଭୁବନେଶ୍ବର ସଂସଦୀୟ କ୍ଷେତ୍ରରେ ଥିବାରୁ ସାଂସଦ ଅପରାଜିତା ଷଡ଼ଙ୍ଗୀ ମଧ୍ୟ ଏହି ଆସନ ଉପରେ ନଜର ରଖିଛନ୍ତି। ସେହିଭଳି ପୂର୍ବତନ ବିଧାୟକ ତଥା ଖୋର୍ଦ୍ଧା ଜିଲ୍ଲା ବିଜେଡି ସଭାପତି ବିଭୂତି ବଳବନ୍ତରାୟ ତାଙ୍କ ସାଂଗଠନିକ ଶକ୍ତି ବଳରେ ଏହି ଆସନକୁ ଅକ୍ତିଆର୍‌ କରିବାକୁ ଲାଗିପଡ଼ିଛନ୍ତି। ତେଣୁ ଏଠାରେ ବିଜେପି ସାଂସଦ, କଂଗ୍ରେସ ବିଧାୟକ ଓ ପୂର୍ବତନ ବିଜେଡି ବିଧା‌ୟକଙ୍କ ମଧ୍ୟରେ ବଳ କଷାକଷି ଚାଲିଛି ବୋଲି ଚର୍ଚ୍ଚା ହେଉଛି। ତେଣୁ ବିଜେଡି ପ୍ରାର୍ଥୀ ମୋହିନୀ ନାୟକ ଏହି ଜୋନ୍‌ରେ ଘନଘନ ପ୍ରଚାର କରି ଭୋଟରଙ୍କ ନିକଟତର ହେଉଥିବା ଦେଖାଯାଉଛି।

ରୋଡ୍‌ ସୋ’ରେ ଶକ୍ତିି ଦେଖାଇଲା ବିଜେଡି

publive-image

ବାଲିଅନ୍ତା: ଜିଲ୍ଲା ପରିଷଦ ଜୋନ୍‌-୧୭ରେ ଆଜି ବିଜେଡି ପ୍ରାର୍ଥୀ କୁନମୁନ ଲେଙ୍କା ରୋଡ୍‌ ସୋ’ କରି ବିଭିନ୍ନ ପଞ୍ଚାୟତରେ ପ୍ରଚାର କରିଥିଲେ। ପୂର୍ବାହ୍ନରେ ବରିଷ୍ଠ ବିଜେଡି ନେତା କମଳ ପାତ୍ରଙ୍କ ନେତୃତ୍ବରେ ରାଜ୍ୟସଭା ସାଂସଦ ମୁନା ଖାଁ, ଜିଲ୍ଲା ପର୍ଯ୍ୟବେକ୍ଷକ କୈଳାଶ ଚନ୍ଦ୍ର ପାତ୍ର ଓ ଜୟଦେବ ନିର୍ବାଚନମଣ୍ଡଳୀ ପର୍ଯ୍ୟବେକ୍ଷକ ଅମରେଶ ଜେନା ପ୍ରମୁଖ ଯୋଗଦେଇ କୁନମୁନଙ୍କ ସପକ୍ଷରେ ପ୍ରଚାର କରିଥିଲେ। ଶତାଧିକ ବିଜେଡି କର୍ମୀ ଏବଂ ନେତାମାନେ ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ନିକଟ ପଡ଼ିଆରେ ଏକାଠି ହେବା ପରେ ସେଠାରୁ ବାଇକ୍‌ ଶୋଭାଯାତ୍ରାରେ ବାହାରି ସତ୍ୟଭାମାପୁର, ଉମାଦେଇବ୍ରହ୍ମପୁର, ଝିଣ୍ଟିଶାସନ, ପୁରୋହିତପୁର ଏବଂ ପୂରଣପଧାନ ଆଦି ପଞ୍ଚାୟତ ସମତେ ବାଳକାଟି ବଜାର ଏବଂ ପ୍ରତାପଶାସନ ପଞ୍ଚାୟତରେ ପ୍ରଚାର କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଜେଡି ବ୍ଲକ ସଭାପତି ପ୍ରଦୀପ୍ତ ଜେନାମଣି, ଯୁବନେତା ପ୍ରଦୀପ ସୁନ୍ଦରାୟ, ପୂର୍ବତନ ସରପଞ୍ଚ ମାନସ ନାୟକ ଓ ଝୁନୁବାଳା ସୁନ୍ଦରାୟ ପ୍ରମୁଖଙ୍କ ସମେତ ବହୁ ପୁରୁଖା ନେତା ଏବଂ ନାରୀନେତ୍ରୀ ସାମିଲ ହୋଇଥିଲେ।

ସେହିପରି ବିଜେପି ପ୍ରାର୍ଥୀ ଝିଲ୍ଲୀ ସାମନ୍ତରାୟ ଦଳୀୟ କର୍ମୀଙ୍କ ସହ ଝିଣ୍ଟିଶାସନ ଏବଂ ପୁରୋହିତପୁର ପଞ୍ଚାୟତରେ ଘରକୁ ଘର ବୁଲି ପ୍ରଚାର କରିବା ସହ ଭୋଟ୍‌ ଭିକ୍ଷା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନେତା ବିଜୟ କୁମାର ମହାରଣା, ସୋମନାଥ ଭୋଇ ଏବଂ ସଂଜୀବ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ। ବଡ଼ କଥା ହେଉଛି, ଟିକେଟ୍‌ ବଣ୍ଟାକୁ ନେଇ ଦଳର ଅସନ୍ତୁଷ୍ଟ ଗୋଷ୍ଠୀର ସ୍ଥାନୀୟ ନେତାଙ୍କୁ ଏହି ପ୍ରଚାରରେ ଦେଖିବାକୁ ମିଳି ନଥିଲା। ସେହିପରି କଂଗ୍ରେସ ପ୍ରାର୍ଥୀ ସାନ୍ତ୍ବନା ପ୍ରଧାନ ବିଭିନ୍ନ ପଞ୍ଚାୟତରେ ମହିଳା ମଣ୍ଡଳ ସଦସ୍ୟ ଏବଂ ଯୁବକଙ୍କ ସହ ପ୍ରଚାର କରିଥିଲେ।

ଉଲ୍ଲେଖଯୋଗ୍ୟ, ପୂରଣପଧାନ, ଝିଣ୍ଟିଶାସନ, ପୁରୋହିତପୁର, ପ୍ରତାପଶାସନ, ଉମାଦେଇ ବ୍ରହ୍ମପୁର ଏବଂ ସତ୍ୟଭାମାପୁର ଆଦି ପଞ୍ଚାୟତକୁ ନେଇ ୧୭ ନମ୍ବର ଜିଲ୍ଲା ପରିଷଦ ଜୋନ୍‌ ଗଠିତ।