ପାରାଦୀପ/ପଟ୍ଟାମୁଣ୍ଡାଇ: ପାରାଦୀପ ପୌରପାଳିକାର ୬ ନମ୍ବର ଓ୍ଵାର୍ଡ ଓ ପଟ୍ଟାମୁଣ୍ଡାଇର ୧୭ ନମ୍ବର ଓ୍ଵାର୍ଡରେ ଉପନିର୍ବାଚନ ପାଇଁ ଭୋଟଗ୍ରହଣ କରାଯାଇଛି। ପାରାଦୀପରେ ୭୯.୪୨ ପ୍ରତିଶତ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଥିବାବେଳେ ପଟ୍ଟାମୁଣ୍ଡାଇରେ ରେକର୍ଡ ୯୦ ପ୍ରତିଶତ ଭୋଟର ଭୋଟ ଦେଇଛନ୍ତି। ଆସନ୍ତାକାଲି ଭୋଟଗଣତି କରାଯିବ ଏବଂ ଏହାର ଫଳାଫଳ ଉପରେ ସମସ୍ତଙ୍କ ନଜର ରହିଛି। ପାରାଦୀପର ୬ ନମ୍ବର ଓ୍ଵାର୍ଡରେ ଖାଲି ପଡ଼ିଥିବା ପଦବୀ ନିମନ୍ତେ ଆଜି ଭୋଟଗ୍ରହଣ କରାଯାଇଥିଲା। ଏଠାରେ କାଉନ୍ସିଲର୍ ଥିବା ମଞ୍ଜୁଲତା ଜେନାଙ୍କ ଦେହାନ୍ତ ପରେ ଏହି ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା। ବିଜେଡିରୁ ରଶ୍ମିତା ଦାସ ପ୍ରାର୍ଥୀ ହୋଇଥିବାବେଳେ ବିଜେପିରୁ ଗାୟତ୍ରୀ ନାୟକ ଓ କଂଗ୍ରେସରୁ କଳ୍ପନା ବେହେରା ପ୍ରାର୍ଥୀ ହୋଇଛନ୍ତି। ରାଜନୈତିକ ଦୃଷ୍ଟିକୋଣରୁ ଏହି ଓ୍ଵାର୍ଡର ଉପନିର୍ବାଚନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଡା. ଦାମୋଦର ରାଉତ ମନ୍ତ୍ରୀ ପଦରୁ ଯିବା ପରେ ଏହାର ଫଳାଫଳ ଉପରେ ସମସ୍ତଙ୍କ ନଜର ରହିଛି। ଅନ୍ୟ ଦୁଇ ଦଳ ବିଜେପି ଓ କଂଗ୍ରେସ ଏଠାରେ ସକ୍ରିୟ ଥିବାରୁ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେବ ବୋଲି ସ୍ପଷ୍ଟ ହୋଇଛି। ଆଜି ମତଦାନ ପାଇଁ ଭୋଟରମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା। ଆଜି ସକାଳ ୮ଟାରୁ ସ୍ଥାନୀୟ ଅଠରବାଙ୍କୀ ସ୍ଥିତ ମା’ ଅମ୍ବିକା ବିଦ୍ୟାପୀଠରେ ମତଦାନ ଆରମ୍ଭ ହୋଇଥିଲା। ସ୍ଥାନୀୟ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ଅତ୍ୟନ୍ତ କଡ଼ାକଡ଼ି କରାଯାଇଥିଲା। ପାରାଦୀପ ଅତିରିକ୍ତ ଜିଲ୍ଲାପାଳ ବିଶ୍ୱଜିତ ବିଶ୍ୱାଳ, କୁଜଙ୍ଗ ତହସିଲଦାର ବାସୁଦେବ ତ୍ରିପାଠୀ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ବିଷ୍ଣୁ ଚରଣ ମିଶ୍ର ଓ ଥାନା ଇନ୍ସପେକ୍ଟର ଶୁଭ୍ରାଂଶୁ ନାୟକ ପ୍ରମୁଖ ଉପସ୍ଥିତ ରହି ନିର୍ବାଚନ ପରିଚାଳନା କରିଥିଲେ। ସେହିଭଳି, ପଟ୍ଟାମୁଣ୍ଡାଇର ୧୭ ନମ୍ବର ଓ୍ଵାର୍ଡ ପାଇଁ ହୋଇଥିବା ଉପନିର୍ବାଚନରେ ୯୦ ପ୍ରତିଶତ ଭୋଟର ମତଦାନ କରିଥିଲେ। ଏହା ଏକ ରେକର୍ଡ ବୋଲି ଅସମର୍ଥିତ ସୂତ୍ରରୁ ଜଣାପଡ଼ିଛି। ଏହି ୱାର୍ଡର କାଉନସିଲର ଚତୁର୍ଭୁଜ ମଳିକଙ୍କ ଦେହାନ୍ତ ପରେ ହୋଇଥିବା ଉପନିର୍ବାଚନରେ ବିଜେଡିରୁ ରଂଜିତ ମଳିକ, କଂଗ୍ରେସରୁ ସୁବାସ ମଳିକ ଓ ବିଜେପିରୁ ବିପିନ ବିହାରୀ ମଳିକ ପ୍ରାର୍ଥୀ ହୋଇଛନ୍ତି। ବିଜୟ ପାଇଁ ସବୁଦଳ ମଧ୍ୟରେ ଛକାପଞ୍ଝା ଲାଗି ରହିଥିବାବେଳେ ଶେଷମୂହୂର୍ତ୍ତରେ ବିଜେପି ଓ କଂଗ୍ରେସ ମଧ୍ୟରେ ମୁଝାମଣା ହୋଇଥିବା ଜଣାପଡ଼ିଛି। ଫଳରେ, ବିଜେଡି ଓ କଂଗ୍ରେସ ପ୍ରାର୍ଥୀଙ୍କ ମଧ୍ୟରେ ଦ୍ୱିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେବ।
ଏହି ବୁଥକୁ ଅତି ଉତ୍ତେଜନା ପ୍ରବଣ ଘୋଷଣା କରାଯାଇଥିବାରୁ ୨ ପ୍ଳାଟୁନ ଫୋର୍ସ ସହ ପଟ୍ଟାମୁଣ୍ଡାଇ ଏସଡିପିଓ ଉମାଶଙ୍କର ମହାରଣା, ଥାନା ଆଇଆଇସି ପ୍ରମୋଦ କୁମାର ମଲ୍ଳ୍ଳିକ ଓ ତହସିଲଦାର ସରୋଜ କୁମାର ସ୍ୱାଇଁ ମତଦାନ ସମୟରେ ଉପସ୍ଥିତ ରହିଥିଲେ। ଆସନ୍ତାକାଲି ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହେବ। ଦିନ ୧୦ଟା ସୁଦ୍ଧା ଫଳାଫଳ ପ୍ରକାଶ ପାଇବ। ଆଜି ଅପରାହ୍ନରେ ମତଦାନ ପରେ ଇଭିଏମ୍ ବାକ୍ସ ଗୁଡ଼ିକୁ ସିଲ୍ କରାଯାଇ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ପଠାଇ ଦିଆଯାଇଛି। ଏହି ଫଳାଫଳ ଉପରେ ସମସ୍ତ ନେତା ଓ ପ୍ରାର୍ଥୀଙ୍କ ନଜର ରହିଛି। ସମସ୍ତଙ୍କ ଭାଗ୍ୟ ଓ ଭବିଷ୍ୟତ ଇଭିଏମ୍ରେ ବନ୍ଦ ହୋଇ ରହିଛି। ବିଜେଡି ନିଜ ଗଡ଼ ବଞ୍ଚାଇବାକୁ ସକ୍ଷମ ହେବ ନା କଂଗ୍ରେସ ଓ ବିଜେପି ଏହି ଦୁଇ ୱାର୍ଡକୁ ନିଜ ଦଖଲରେ ନେବେ, ଆସନ୍ତାକାଲି ସବୁକିଛି ସ୍ପଷ୍ଟ ହୋଇଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/PDP-election-2.jpg)