ସୁନ୍ଦରଗଡ଼ରେ ବି‌ଜେଡି ସପକ୍ଷରେ ଜନାଦେଶ

ଗଣନା ଚାଲିଥିବା ୧୭ ଜିଲ୍ଲା ପରିଷଦ ଆସନରୁ ୧୫ରେ ଆଗୁଆ
ବିଜେପି ଓ ସିପିଆଇ(ଏମ୍‌) ଗୋଟିଏ ଲେଖାଁରେ ଆଗରେ, କଂଗ୍ରେସ ଖାତା ଖୋଲି ନପାରିବାର ଆଶଙ୍କା

ସୁନ୍ଦରଗଡ଼ : ଏ ଖବର ଲେଖା ହେବାବେଳକୁ ସୁନ୍ଦରଗଡ଼ରେ ଜିଲ୍ଲା ପରିଷଦ ନିର୍ବାଚନରେ ବିଜୁ ଜନତା ଦଳକୁ ଆଶାତୀତ ସଫଳତା ମିଳିବା ପ୍ରାୟତଃ ସ୍ପଷ୍ଟ ହୋଇ ଯାଇଛି। ପ୍ରଥମ ଦିନରେ ୧୭ଟି ବ୍ଲକର ‘କ ଜୋନ୍‌ରେ ଚାଲିଥିବା ଗଣତିରେ ଫଳାଫଳକୁ ଦେଖିଲେ ବିଜେଡି ବାଜିମାତ କରିବ ବୋଲି କୁହାଯାଉଛି। ପୂର୍ବରୁ ଗଣମାଧ୍ୟମ ଓ ଦଳୀୟ ସର୍ଭେର ଆକଳନ ଅନୁସାରେ ଜିଲ୍ଲାର ୩୫ଟି ଜୋନ୍‌ରୁ ବିଜେଡି ୧୮-୨୦ଟି ଜିତିବା ଆଶା କରାଯାଉଥିଲା। ମାତ୍ର ପ୍ରଥମ ଦିନରେ ହିଁ ବିଜେଡି ୧୫ଟି ଜିଲ୍ଲା ପରିଷଦ ଆସନ ହାତେଇ ନେବାର ସମ୍ଭାବନା ଦେଖା ଯାଉଛି। ସେଗୁଡ଼ିକ ହେଲା କୁଆରମୁଣ୍ଡା, କୁତ୍ରା, ଟାଙ୍ଗରପାଲି, ନୂଆଗାଁ, ବଣାଇଗଡ଼, ବାଲିଶଙ୍କରା, ବିଶ୍ରା, ରାଜଗାଙ୍ଗପୁର, ସବଡେଗା, ସୁନ୍ଦରଗଡ଼, ହେମଗିର, ଲହୁଣିପଡ଼ା, ଲାଠିକଟା, ଲେଫ୍ରିପଡ଼ା ଓ ବଡ଼ଗାଁ। ଗୋଟିଏ ଲେଖାଏଁ ଆସନ ବିଜେପି ଓ ସିପିଆଇ(ଏମ୍‌) ଖାତାରେ ପଡ଼ିବା ଭଳି ମନେ ହେଉଛି। କାରଣ ଏ ଖବର ଲେଖା ହେବାବେଳକୁ ଏହି ଦୁଇଟି ଆସନରେ ସଂପୃକ୍ତ ଦଳର ପ୍ରାର୍ଥୀ ଆଗରେ ଅଛନ୍ତି।

ଆଗକୁ ଆହୁରି ୧୮ଟି ଆସନ ରହିଛି। ଚାଲୁ ଟ୍ରେଣ୍ଡକୁ ଦେଖିଲେ ବିଜେଡି ପାଖାପାଖି ୨୫ ଆସନ ହାସଲ କରିପାରେ ବୋଲି କୁହାଯାଉଛି।

ଉଲ୍ଲେଖନୀୟ କଥା ହେଉଛି, ୨୦୧୭ ପଞ୍ଚାୟତ ନିର୍ବାଚନରେ ସାରା ରାଜ୍ୟରେ ଦବଦବା ଥିଲେ ହେଁ ସୁନ୍ଦରଗଡ଼ ଜିଲ୍ଲାରେ ବିଜେଡ଼ି ମାତ୍ର ୫ଟି ଜିଲ୍ଲା ପରିଷଦ ଆସନର ବିଜୟକୁ ନେଇ ସନ୍ତୁଷ୍ଟ ହେବାକୁ ବାଧ୍ୟ ହୋଇଥିଲା। ବିଜେପି ପାଇଥିଲା ୭ଟି ଆସନ। କିନ୍ତୁ ଏଥର ଏହି ୭ଟି ଆସନ ଭିତରୁ ୬ଟିକୁ ହରାଇବାର ଆଶଙ୍କା ସୃଷ୍ଟି ହୋଇଛି। ଯଦିଓ ସୁନ୍ଦରଗଡ଼ ଲୋକସଭା ଆସନର ସାଂସଦ ହେଉଛନ୍ତି ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ। ଅନ୍ୟପକ୍ଷରେ କଂଗ୍ରେସ ଏଥର ଆଦୌ ଖାତା ଖୋଲି ନପାରିବାର ସ୍ଥିତି ସୃଷ୍ଟି ହୋଇଛି।

ଭୋଟ ଗଣନାରେ ଏବେଯାଏ ଦେଖା ଯାଇଥିବା ଟ୍ରେଣ୍ଡକୁ ଦେଖି ଜିଲ୍ଲା ବିଜେଡ଼ି ବିପୁଳ ବିଜୟ ସମ୍ଭାବନାରେ ବେଶ୍‌ ଉତ୍ସାହିତ ଜଣା ପଡୁଛି। ଫଳାଫଳ ଘୋଷଣା କରା ଯାଇ ନଥିଲେ ହେଁ ଦଳ ଆଜି ସୁନ୍ଦରଗଡ଼ର ଡିଆରଡିଏ ଛକରେ ବିଜୟ ଉତ୍ସବ ମନାଇଛି। ଦଳର ଯୁବଛାତ୍ର କର୍ମକର୍ତ୍ତା ଓ କର୍ମୀମାନେ ଏକ ଶୋଭାଯାତ୍ରାରେ ଆସି ଛକରେ ବାଣ ଫୁଟାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜିନ୍ଦାବାଦ କରିଛନ୍ତି।

ସମ୍ବନ୍ଧିତ ଖବର