ଦୁଇଦିନ ପରେ ଭୋଟ : କୋଟିଆ ଉପରେ ରହିବ ନଜର

କୋରାପୁଟ : ଆସନ୍ତା ଗୁରୁବାର ଦିନ କୋରାପୁଟ ଜିଲ୍ଲାରେ ଭୋଟ ଗ୍ରହଣ ହେବ। ଏକା ସାଙ୍ଗରେ ଲୋକସଭା ଓ ବିଧାନସଭା ନିର୍ବାଚନ ହେଉଛି। ତେବେ ଏହି ଭୋଟ ଗ୍ରହଣରେ କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକ କୋଟିଆ ପଞ୍ଚାୟତର ଲୋକମାନଙ୍କ ଭୂମିକା କ’ଣ ରହିବ ତାହା ଉପରେ ସମସ୍ତଙ୍କ ନଜର ରହିଛି।

କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକ କୋଟିଆ ପଞ୍ଚାୟତର ୨୧ଟି ଗାଁ ଓ ୭ଟି ପଡାକୁ ନେଇ ଓଡ଼ିଶା-ଆନ୍ଧ୍ର ମଧ୍ୟରେ ଦୀର୍ଘ ଦିନ ହେଲା ବିବାଦ ଲାଗି ରହିଛି। ଏହି ଗାଁ ଗୁଡିକ ନିଜର ବୋଲି ଦୁଇ ପଡୋଶୀ ରାଜ୍ୟ ଦାବି କରୁଥିଲା ବେଳେ ସମାଧାନର କୌଣସି ସୂତ୍ର ବାହାରି ପାରିନି। ଲୋକଙ୍କ ପାଖ‌ରେ ରହିଛି ଉଭୟ ରାଜ୍ୟର ଭୋଟର କାର୍ଡ। ଗୋଟିଏ ଦିନରେ ଦୁଇ ରାଜ୍ୟରେ ଭୋଟ ଗ୍ରହଣ ହେଉଥିବାରୁ ଲୋକମାନେ କେଉଁ ରାଜ୍ୟ ପାଇଁ ଭୋଟ ଦେଉଛନ୍ତି ତାହା ଏବେ ବଡ଼ ପ୍ରଶ୍ନ ହୋଇଛି। ଭୋଟଦାନକୁ ସୁରୁଖୁରୁରେ ସାରିବା ପାଇଁ ଓଡ଼ିଶା ପକ୍ଷରୁ ବିବାଦୀୟ ଗାଁ ଗୁଡିକରେ ୫ଟି ବୁଥ କରାଯାଇଥିଲା ବେଳେ ଆନ୍ଧ୍ର ପକ୍ଷରୁ ଗୋଟିଏ ବୁଥ କରାଯାଇଛି। କୋଟିଆ ପଞ୍ଚାୟତର ଲୋକସଂଖ୍ୟା ୭ ହଜାରରୁ ଅଧିକ ହୋଇଥି‌ଲା ବେଳେ ବିବାଦୀୟ ଗ୍ରାମ ଗୁଡିକରେ ପାଖାପାଖି ୫ ହଜାର ଲୋକ ରହୁଛନ୍ତି। ବିବାଦୀୟ ଗ୍ରାମର ଭୋଟର ସଂଖ୍ୟା ୩ ହଜାରରୁ ଅଧିକ ହେବ। ଭୋଟ ଗ୍ରହଣ ନେଇ କୋରାପୁଟ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଓଡ଼ିଶାର ପଟାଙ୍ଗୀ ନିର୍ବାଚନ ମଣ୍ଡଳୀରେ ଥିବା ଏହି ଗ୍ରାମ ଗୁଡିକ ପାଇଁ କୋରାପୁଟ ଜିଲ୍ଲା ପ୍ରଶାସନ ୫ଟି ବୁଥ କରିଛି। ବିବାଦୀୟ ଅଂଚଳର ଭୋଟରଙ୍କ ନିମନ୍ତେ କୋଟିଆ, ଫଗୁଣ ସିନେରୀ, ମାଡକାର, ରଣାସିଂହ, ଗଂଜେଇ ପଦରରେ ଗୋଟିଏ ଲେଖାଏଁ ବୁଥ କରାଯାଇଛି। ସମସ୍ତ ବୁଥ ଗୁଡିକୁ ଅତି ସମ୍ବେଦନଶୀଳ ବୋଲି କହିଛି ପ୍ରଶାସନ। ମାଓ ପ୍ରଭାବ ଥିବାରୁ ସେଥିପାଇଁ ମଧ୍ୟ ସ୍ବତନ୍ତ୍ର ଧ୍ୟାନ ଦିଆଯାଇଛି। ଏପଟେ ବୁଥ ପ୍ରସ୍ତୁତ କରାଯିବା ସହ ପୋଲିଂ ପାର୍ଟି ମଧ୍ୟ ଯିବା ପାଇଁ ପ୍ରସ୍ତୁତ ହେଲେଣି। କାଁ ଭାଁ ନେତା ଯାଇ ସେଠାରେ ପ୍ରଚାର ବି କରୁଛନ୍ତି। ନିଜ ଦଳ ପାଇଁ ଭୋଟ ମାଗୁଛନ୍ତି।

ଏପଟେ ଆନ୍ଧ୍ର ବି ପ୍ରସ୍ତୁତି ଚଳାଇଛି। ଆନ୍ଧ୍ରର ସାଲୁର ବିଧାନସଭା ନିର୍ବ‌ାଚନ ମଣ୍ଡଳୀରେ ଏହି ବିବାଦୀୟ ଗାଁ ଗୁଡିକ ରହିଛି। ଏଠାରେ ଆଗରୁ ଆନ୍ଧ୍ର ପ୍ରଶାସନ ଛକ ସ୍ଥାନରେ ଭୋଟ ଗ୍ରହଣ କରୁଥିଲେ। ଭୋଟ ଗ୍ରହଣ କରାଇବା ପାଇଁ ସେମାନଙ୍କର କୌଣସି ଭିତ୍ତିଭୂମି ନ ଥିଲା। ତେବେ ଚଳିତବର୍ଷ ନେରେଡିବାଲସାରେ ଏକ ବୁଥ କରିଛି ଆନ୍ଧ୍ର ପ୍ରଶାସନ। ସମସ୍ତ ବିବାଦୀୟ ଗାଁ ପାଇଁ ଏହି ଗୋଟିଏ ବୁଥ ରହିଛି। ଆନ୍ଧ୍ରର କିଛି ଦଳ ପ୍ରଚାର ପାଇଁ ଏହି ବିବାଦୀୟ ଗାଁ ଗୁଡିକୁ ଆସିଛନ୍ତି। କିନ୍ତୁ ପ୍ରଚାରର ହାଉଯାଉ ନାହିଁ। ଏଭଳି ସ୍ଥିତିରେ ଲୋକମାନେ କାହାକୁ ଭୋଟ ଦେବେ ତାକୁ ନେଇ ଏବେ ଅବଗଣନା ଆରମ୍ଭ ହୋଇଗଲାଣି। ଅଧିକ ବୁଥ ଥିବାରୁ ଓଡ଼ିଶା ଭାଗରେ ବେଶୀ ଭୋଟ ପଡ଼ିବ ବୋଲି ଜିଲ୍ଲା ପ୍ରଶାସନ ଆଶା ରଖିଛି। ଭୋଟଦାନ ହାର ବଢାଇବା ପାଇଁ ପ୍ରଶାସନ ପକ୍ଷରୁ ଲୋକଙ୍କୁ ସଚେତନ ମଧ୍ୟ କରାଯାଉଛି। ଆନ୍ଧ୍ର ପ୍ରଶାସନ ମଧ୍ୟ ବିଭିନ୍ନ ଲୋଭ ଦେଖାଇ ଭୋଟରଙ୍କୁ ଟାଣିବା ପାଇଁ ଉଦ୍ୟମ କରୁଛି। ଯେହେତୁ ସେମାନେ ଅଧିକ ସହାୟତା ପ୍ରଦାନ କରୁଛନ୍ତି, ତେଣୁ ଅଧିକ ଭୋଟ ପାଇବେ ବୋଲି ଆଶା ରଖିଛନ୍ତି।

ସମ୍ବନ୍ଧିତ ଖବର