ଚିତ୍ରକୋଣ୍ଡା : ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ଏବଂ ଆଖପାଖ ଅଂଚଳ ନକ୍ସଲଙ୍କ ଗଡ଼ ରୂପେ ଜଣାଶୁଣା। ତେଣୁ ଏହି ଗଡ଼କୁ ହାତରୁ ଛାଡ଼ିବା ପାଇଁ ପ୍ରସ୍ତୁତ ନଥିବା ନକ୍ସଲ ଏଥର ନିର୍ବାଚନକୁ ବର୍ଜନ ପାଇଁ ଆହ୍ବାନ ଦେଇ ପରୋକ୍ଷରେ ଭୋଟରଙ୍କୁ ଧମକ ଦେଇଥିଲେ। କାଁଭାଁ ଅଞ୍ଚଳକୁ ଛାଡ଼ିଥିଲେ ନକ୍ସଲଙ୍କ ଏହି ଧମକ ଚିତ୍ରକୋଣ୍ଡା ସହ ଆଖପାଖ ଅଞ୍ଚଳରେ ବିଶେଷ ପ୍ରଭାବ ପକାଇ ନଥିବା ସୂଚନା ମିଳିଛି।
ସୂଚନା ଅନୁସାରେ, ମୁଖ୍ୟତଃ ବିଚ୍ଛିନ୍ନାଞ୍ଚଳରେ ଥିବା ବଦଳୀବନ୍ଧା, ଦୁଧପାଲୀ, ବିଡାଇପାକନା, ଯନ୍ତାପାଇ, ଡଲିଆମ୍ବ, ଭୀମାରାମ, ବଡପା ଭଳି ମାଓପ୍ରବଣ ଅଂଚଳରେ ଭୋଟ ଗ୍ରହଣ ହୋଇଥିବା ଦେଖିବାକୁ ମିଳିଥିଲା। ଯନ୍ତାପାଇ ଠାରେ ୧୭ଟି ଗ୍ରାମର ଭୋଟରଙ୍କ ପାଇଁ ୬ଟି ବୁଥ୍ କରାଯାଇଥିଲା। ଏହି ବୁଥ ଗୁଡିକରେ ଲୋକେ ଅତି ଉତ୍ସାହର ସହ ନିଜ ଅଧିକାରକୁ ସାବ୍ୟସ୍ତ କରିଥିଲେ। ସେହିପରି ବଡ଼ପଡ଼ା ଠାରେ ମଧ୍ୟ କରାଯାଇଥିବା ତିନୋଟି ବୁଥରେ ଲୋକଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଥିଲା। ପ୍ରଥମଥର ପାଇଁ ବିନା ଭୟରେ ଭୋଟ ଦେବାକୁ ଆସିଥିଲେ। ତେବେ ମାଓବାଦୀଙ୍କ ସର୍ବାଧିକ ପ୍ରଭାବ ଥିବା ଯଡାମ୍ବ, ପଣସପୁଟ, ସନ୍ନ୍ୟାସୀଗୁଡା, ଯନ୍ତ୍ରୀ, ଅଣ୍ଡ୍ରାପାଲୀ, କୁନ୍ତରପଦର ବୁଥରେ ଲୋକେ ଭୋଟ ଦେବାକୁ ଆସିନଥିବା ଦେଖିବାକୁ ମିଳିଥିଲା। ଅପରପକ୍ଷରେ ଚିତ୍ରକୋଣ୍ଡାରେ ଇଭିଏମ ମେସିନ ବାରମ୍ବାର ଖରାପ ହେବା ଯୋଗୁଁ ଉତ୍ତେଜନା ସୃଷ୍ଟି ହୋଇଥିଲା। ଚିତ୍ରକୋଣ୍ଡାର ୨୧୧, ୨୧୨ ଓ ୨୧୩ ବୁଥରେ ବାରମ୍ବାର ଇଭିଏମ ମେସିନ ଖରାପ ହେବାରୁ ଗଣ୍ଡଗୋଳ ହୋଇଥିବା ବେଳେ ଲୋକେ ଭୋଟ ନଦେଇ ଘରକୁ ଫେରିଯାଇଥିଲେ। ତେବେ ପ୍ରଥମ ଥର ପାଇଁ ଚଳିତ ନିର୍ବାଚନରେ ଚିତ୍ରକୋଣ୍ଡାର ଅଧିକାଂଶ ଅଞ୍ଚଳରେ ଶାନ୍ତିଶୃଙ୍ଖଳାର ସହ ମତଦାନ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/04/jpr-voter-2.jpg)