ତମେ ମତେ ଦିଅ ଭୋଟ୍‌, ମୁଁ ତମକୁ ଦେବି ଭୋଟ୍‌

‌ଭୋଟ ପେଡ଼ିର ପୁରୁଣା କଥା / ସ୍ବରାଜ ମିଶ୍ର

ଓଡ଼ିଶାର ଚିରସବୁଜ ଗାୟକ ଅକ୍ଷୟ ମହାନ୍ତିଙ୍କର ‘‘ସାଇର ପିଲେ ସକାଳୁ କଲେ କବାଟ ଖଟଖଟ୍‌’’ ଗୀତଟି ଓଡ଼ିଶାର ଘରେ ଘରେ ପରିଚିତ। ନିର୍ବାଚନ ପ୍ରଚାରର ପରିବେଶକୁ ନେଇ ରଚିତ ଏହି ସୁନ୍ଦର ଗୀତଟିରେ ସାହିର ପିଲାମାନେ ଅଜା ଓ ଆଈଙ୍କୁ ସେମାନେ କାହାକୁ ଭୋଟ୍‌ ଦେବେ ବୋଲି ପଚାରିବାରେ ବୁଢ଼ାବୁଢ଼ୀ ହଠାତ୍‌ ଉତ୍ତର ଦେଇପାରୁନାହାନ୍ତି। ଗୀତ ଶେଷରେ ଆଈ ହସିହସି ଅଜାଙ୍କୁ କହୁଛି, ‘‘ତମେ ମୋତେ ଦିଅ ଭୋଟ୍‌, ମୁଁ ତମକୁ ଦେବି ଭୋଟ୍‌’’। ସମକାଳୀନ ଜନଜୀବନକୁ ନେଇ ଚଟୁଳ ବ୍ୟଙ୍ଗ ଓ ମଧୁର ବକ୍ରୋକ୍ତିଭରା ଏମିତି ଅନେକ ଗୀତ ଗାଇଛନ୍ତି ଅକ୍ଷୟ ମହାନ୍ତି। କିନ୍ତୁ ସେ ଯେ ନିଜେ କେବେ ନିର୍ବାଚନ ରାଜନୀତିକୁ ଓହ୍ଲାଇଥିବେ, ଏ କଥା ହୁଏତ ଅନେକେ ବିଶ୍ବାସ କରିପାରିବେ ନାହିଁ।

କିନ୍ତୁ କଥାଟି ସତ। ସେ ନିର୍ବାଚନ ଲଢ଼ିଥିଲେ ୧୯୭୧ରେ। ପୁଣି ଠିକ୍‌ ସେହି ସମୟରେ ନିର୍ବାଚନକୁ ଓହ୍ଲାଇଥିଲେ ଓଡ଼ିଶାର ଖ୍ୟାତନାମା ଅଭିନେତା ଓ ଚଳଚ୍ଚିତ୍ର ପ୍ରଯୋଜକ ଧୀର ବିଶ୍ବାଳ। ଉଭୟେ ଲଢ଼ୁଥିଲେ କଟକରୁଏବଂ ଉଭୟେ ଥିଲେ ନିର୍ଦ୍ଦଳୀୟ ପ୍ରାର୍ଥୀ। କିନ୍ତୁ ସେମାନେ ପରସ୍ପର ବିରୋଧରେ ଲଢ଼ୁନଥିଲେ। ଅକ୍ଷୟ ମହାନ୍ତି କଟକ ଲୋକସଭା ଆସନରୁ ପ୍ରତିଦ୍ବନ୍ଦିତା କରୁଥିଲାବେଳେ ଧୀର ବିଶ୍ବାଳ ଲଢ଼ୁଥିଲେ କଟକ ସହର ବିଧାନସଭା ଆସନପାଇଁ।

ପ୍ରଯୋଜକ ଓ ଅଭିନେତା ଧୀର ବିଶ୍ବାଳଙ୍କର ଜନ୍ମ ୧୯୨୧ ମସିହାରେ ହୋଇଥିଲାବେଳେ ଅକ୍ଷୟ ମହାନ୍ତିଙ୍କର ଜନ୍ମ ୧୯୩୬ରେ। ଅର୍ଥାତ୍‌ ଧୀର ବିଶ୍ବାଳ ଅକ୍ଷୟଙ୍କଠାରୁ ୧୫ ବର୍ଷ ବଡ଼। ମାତ୍ର ଉଭୟଙ୍କ ଭିତରେ ଥିଲା ଅତି ଘନିଷ୍ଠ ସମ୍ପର୍କ ଏବଂ ଉଭୟଙ୍କର କର୍ମଭୂମି ଥିଲା କଟକ। ଅକ୍ଷୟ ଥିଲେ ବହୁବିଧ ପ୍ରତିଭାର ଅଧିକାରୀ। ଗାୟକ, ଗୀତିକାର ଓ ସଂଗୀତକାର ରୂପେ ସେତେବେଳକୁ ସେ ଓଡ଼ିଶାରେ ଜନପ୍ରିୟତାର ଶୀର୍ଷରେ ଥାଆନ୍ତି। ଠିକ୍‌ ସେହିପରି ଧୀର ବିଶ୍ବାଳ ମଧ୍ୟ ‘ପଞ୍ଚସଖା ପିକ୍‌ଚର୍ସ’ ବ୍ୟାନରରେ ଅନେକଗୁଡ଼ିଏ ହିଟ୍‌ ଚଳଚ୍ଚିତ୍ର ଭେଟି ଦେଇ ସାରିଥାନ୍ତି ସେତେବେଳକୁ। ଜଣେ ଜନପ୍ରିୟ ଅଭିନେତା ହିସାବରେ ଘରେ ଘରେ ତାଙ୍କର ବହୁତ ଆଦର।

୧୯୭୧ ମସିହା ମାର୍ଚ୍ଚ ୫ ତାରିଖରେ ଓଡ଼ିଶାରେ ଏକକାଳୀନ ୧୪୦ଟି ବିଧାନସଭା ଓ ୨୦ଟି ଲୋକସଭା ଆସନ ପାଇଁ ନିର୍ବାଚନ ହେଉଥାଏ। ବିଜୁ ପଟ୍ଟନାୟକଙ୍କର ନବଗଠିତ ‘ଉତ୍କଳ କଂଗ୍ରେସ’ ଦଳ ତରଫରୁ ଉଭୟ କଟକ ବିଧାନସଭା ଓ ଲୋକସଭା ଆସନ ପାଇଁ ପ୍ରତିଦ୍ବନ୍ଦ୍ବିତା କରୁଥାନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରେନ୍‌ ମିତ୍ର। ବିଧାନସଭା କ୍ଷେତ୍ରରେ ବୀରେନ୍‌ଙ୍କର ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ ଥାଆନ୍ତି, କଂଗ୍ରେସ ପ୍ରାର୍ଥୀ ଭୈରବ ଚନ୍ଦ୍ର ମହାନ୍ତିଏବଂ ଲୋକସଭା କ୍ଷେତ୍ରରେ ତାଙ୍କୁ ଟକ୍କର ଦେଉଥାନ୍ତି କଂଗ୍ରେସ ନେତା ଜାନକୀ ବଲ୍ଲଭ ପଟ୍ଟନାୟକ। ବିଧାନସଭା ଆସନ ପାଇଁ ଅନ୍ୟମାନଙ୍କ ମଧ୍ୟରେ ସି.ପି.ଆଇ.ର ପ୍ରବୀର ପାଲିତ୍‌ ଓ ପି.ଏସ୍‌.ପି.ର ଶ୍ରୀକାନ୍ତ ପଣ୍ଡା ପ୍ରମୁଖ ନିର୍ବାଚନ ରଣାଙ୍ଗନରେ ଥିବାବେଳେ ଲୋକସଭା ଆସନପାଇଁ ଲଢ଼େଇରେ ଥାଆନ୍ତି ପି.ଏସ୍‌.ପି.ର ଟାଣୁଆ ନେତା ବିଶ୍ବନାଥ ପଣ୍ଡିତ। ଏଭଳି ସଂଘର୍ଷପୂର୍ଣ୍ଣ ଲଢ଼େଇରେ ରାଜନୀତିକୁ ନୂଆକରି ଓହ୍ଲାଇଥିବା ଅକ୍ଷୟ ଓ ଧୀର ବିଶ୍ବାଳଙ୍କ ପାଇଁ ପରିସ୍ଥିତି ଆଦୌ ସହଜ ନଥିଲା। ନିଜ ନିଜ କ୍ଷେତ୍ରରେ ବିପୁଳ ଜନପ୍ରିୟତା ହାସଲ କରିଥିଲେ ମଧ୍ୟ ଉଭୟେ ପରାଜିତ ହୋଇଥିଲେ।

କଟକ ସହର ବିଧାନସଭା ଆସନରେ ଲଢ଼ୁଥିବା ୧୧ଜଣ ପ୍ରତିଦ୍ବନ୍ଦ୍ବୀଙ୍କ ମଧ୍ୟରେ ଧୀର ବିଶ୍ବାଳ ରହିଲେ ଷଷ୍ଠ ସ୍ଥାନରେ। ଏଥିରେ କଂଗ୍ରେସର ଭୈରବ ଚନ୍ଦ୍ର ମହାନ୍ତି ବିଜୟୀ ହୋଇଥିଲେ। ସେହିପରି କଟକ ଲୋକସଭା ଆସନରେ ଅକ୍ଷୟ ମହାନ୍ତି ୮୨୨୭ଟି ଭୋଟ ପାଇ ରହିଲେ ପଞ୍ଚମ ସ୍ଥାନରେ। ଏଥିରେ କଂଗ୍ରେସ ପ୍ରାର୍ଥୀ ଜାନକୀ ବଲ୍ଲଭ ପଟ୍ଟନାୟକ ବିଜୟୀ ହୋଇଥିଲେ। ତେବେ ଏହି ନିର୍ବାଚନ ଲଢ଼େଇ ମତଦାତାମାନଙ୍କ ପାଇଁ ଥିଲା ଅତ୍ୟନ୍ତ ରୋମାଞ୍ଚକର। ସେମାନେ ଦୁଇ ଦୁଇ ଜଣ ଜନପ୍ରିୟ କଳାକାରଙ୍କୁ ଭେଟିଥିଲେ ରାଜନୀତିର ରଙ୍ଗମଞ୍ଚରେ।

ଉଭୟ ଧୀର ବିଶ୍ବାଳ ଓ ଅକ୍ଷୟ ମହାନ୍ତି ବିଧାନସଭା ଓ ଲୋକସଭା ପାଇଁ ଅଲଗା ଅଲଗା ଲଢ଼ୁଥିବାରୁ ପରସ୍ପରକୁ ଭୋଟ ଦେଇଥିବେ ବୋଲି ଆଶା କରାଯାଇପାରେ। ‘ତମେ ମୋତେ ଦିଅ ଭୋଟ୍‌, ମୁଁ ତମକୁ ଦେବି ଭୋଟ୍‌’ କଥାଟା ହୁଏତ ସତ ହୋଇଯାଇଥାଇପାରେ ସେତେବେଳେ।

ସମ୍ବନ୍ଧିତ ଖବର