ଭୁବନେଶ୍ବର : ପଞ୍ଚାୟତ ନିର୍ବାଚନରେ ବାଲାଟ୍ ପେପରେ ମତଦାନ ହେବାକୁ ଥିବାବେଳେ ଏନେଇ ଥିବା କିଛି ଦ୍ବନ୍ଦ୍ବକୁ ରାଜ୍ୟ ନିର୍ବାଚନ କମିସନ ଦୂର କରିଛନ୍ତି। ନିର୍ବାଚନ କମିସନଙ୍କ ସଚିବ ରବୀନ୍ଦ୍ରନାଥ ସାହୁ କହିଛନ୍ତି ଯେ, ଗୋଟିଏ ଆସନ ପାଇଁ ଯେତିକି ପ୍ରାର୍ଥୀ ଥିବେ ବାଲାଟ୍ ପେପରରେ ସେମାନଙ୍କ ଚିହ୍ନ ମତଦାତା ଦେଖିଲା ଭଳି ବାଲାଟ୍ ପେପରକୁ ଭଙ୍ଗାଯିବ। ମତଦାତା ନିଜ ପସନ୍ଦର ପ୍ରାର୍ଥୀଙ୍କ ଚିହ୍ନ ପାର୍ଶ୍ବରେ ମୋହର ମାରିଲେ ଭୋଟ୍ ତାଙ୍କୁ ମିଳିବ।
ହେଲେ ମତଦାତା ଯଦି ଏକାଧିକ ପ୍ରାର୍ଥୀଙ୍କ ଚିହ୍ନ ନିକଟରେ ମୋହର ମାରିବେ ତେବେ ତାଙ୍କ ଭୋଟ୍ ନାକଚ ହେବ। ଅପରପକ୍ଷେ ଯଦି ମତଦାତା ଗୋଟିଏ ମୋହର ପ୍ରାର୍ଥୀଙ୍କ ଚିହ୍ନ ପାଖରେ ଏବଂ ଆଉ ଗୋଟିଏ ମୋହର କେହି ପ୍ରାର୍ଥୀ ନଥିବା ଚିହ୍ନ ପାଖରେ ଦେଇଥିବେ ତେବେ ଉକ୍ତ ଭୋଟ୍ ନାକଚ ହେବନି। କାରଣ ଦ୍ବିତୀୟ ମୋହର ବିନା ପ୍ରାର୍ଥୀଙ୍କ ଚିହ୍ନ ନିକଟରେ ମରାଯାଇଥିବାରୁ ତାହା ବୈଧ ଭୋଟ୍ ଭାବେ ଗଣତି ହେବ ବୋଲି ଶ୍ରୀ ସାହୁ କହିଛନ୍ତି।