ପସନ୍ଦ ହେଲେନି ଦଳୀୟ ପୌରାଧ୍ୟକ୍ଷ ପ୍ରାର୍ଥୀ

ସୁନ୍ଦରଗଡ଼ ଓ ବିରମିତ୍ରପୁରରେ ସ୍ଥିତି ବିଗାଡ଼ିଲେ ଭୋଟର, ରାଜଗାଙ୍ଗପୁରରେ ବ୍ୟତିକ୍ରମ

ରାଉରକେଲା: ସଦ୍ୟ ଅନୁଷ୍ଠିତ ପୌର ନିର୍ବାଚନରେ ସୁନ୍ଦରଗଡ଼ ଜିଲ୍ଲାରେ ଅଜବ ଗଣିତ ଦେଖିବାକୁ ମିଳିଛି। ପୌରାଧ୍ୟକ୍ଷ ପ୍ରାର୍ଥୀମାନେ ନିଜ ଦଳୀୟ କାଉନସିଲରଙ୍କୁ ମିଳିଥିବା ଭୋଟ୍‌ଠାରୁ କମ୍‌ ପାଇଛନ୍ତି; ଅର୍ଥାତ୍‌ ଭୋଟର୍‌ମାନେ ନିଜ ଦଳୀୟ ପୌରାଧ୍ୟକ୍ଷ ପ୍ରାର୍ଥୀଙ୍କୁ ଭୋଟ ନ ଦେଇ ସମ୍ଭବତଃ ଯୋଗ୍ୟତା ଆଧାରରେ ମତଦାନ କରିଛନ୍ତି। ସୁନ୍ଦରଗଡ଼ ଓ ବୀରମିତ୍ରପୁର ପୌରପାଳିକାରେ ଦଳୀୟ ପୌରାଧ୍ୟକ୍ଷ ପ୍ରାର୍ଥୀ ତାଙ୍କ ଦଳର କାଉସିଲରମାନଙ୍କୁ ମିଳିଥିବା ଭୋଟ୍‌ରୁ କମ୍‌ ପାଇଥିବାବେଳେ ରାଜଗାଙ୍ଗପୁର ପୌରପାଳିକା କିନ୍ତୁ ଏହାର ବ୍ୟତିକ୍ରମ ପାଲଟିଛି।

ଦଳୀୟ କାଉନସିଲର ପ୍ରାର୍ଥୀଙ୍କ ମିଳିତ ଭୋଟ୍‌ ସଂଖ୍ୟାଠାରୁ କମ୍‌

ବୀରମିତ୍ରପୁର ପୌରପାଳିକାରେ ବିଜେଡି ପୌରାଧ୍ୟକ୍ଷ ପ୍ରାର୍ଥୀ ସନ୍ଦୀପ ମିଶ୍ର ମୋଟ୍‌ ୮୨୩୦ଟି ଭୋଟ୍‌ ପାଇଥିବାବେଳେ ଦଳର ଅନ୍ୟ ୧୧ ଜଣ ଦଳୀୟ କାଉନସିଲର ୮୩୭୫ ଭୋଟ୍‌ ପାଇଛନ୍ତି, ଅର୍ଥାତ୍‌ ପୌରାଧ୍ୟକ୍ଷ ଶ୍ରୀ ମିଶ୍ର ଦଳୀୟ କାଉନସିଲରଙ୍କୁ ମିଳିଥିବା ଭୋଟ୍‌ଠାରୁ ୧୪୫ଟି କମ୍‌ ଭୋଟ୍‌ ପାଇଛନ୍ତି। ସେହିଭଳି ବିଜେପି ପୌରାଧ୍ୟକ୍ଷ ପ୍ରାର୍ଥୀ ସୁନୀନ ତିୱାରୀ ଦଳୀୟ କାଉନସିଲରଙ୍କୁ ମିଳିଥିବା ଭୋଟ୍‌ ଅପେକ୍ଷା ୨୪୯ ଖଣ୍ଡ କମ୍‌ ଭୋଟ ପାଇଛନ୍ତି। ତେବେ ଏଠାରେ କଂଗ୍ରେସ ପ‌ୌରାଧ୍ୟକ୍ଷ ପ୍ରାର୍ଥୀ ଶଶୀ ସାଗର ଅଧିକ ୨୦୨ଟି ଭୋଟ୍‌ ପାଇଛନ୍ତି।

ସୁନ୍ଦରଗଡ଼ ପୌରପାଳିକାରେ କିନ୍ତୁ ଏହି ଧାରା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି। ଏଠାରେ ବିଜେଡିର ମୋଟ୍‌ ୧୯ ଜଣ କାଉନସିଲର ପ୍ରାର୍ଥୀଙ୍କୁ ୯୭୧୨ଟି ଭୋଟ୍‌ ମିଳିଥିବାବେଳେ ବିଜେଡି ପୌରାଧ୍ୟକ୍ଷ ପ୍ରାର୍ଥୀ ରଞ୍ଜନା ପଣ୍ଡାଙ୍କୁ କିନ୍ତୁ ମାତ୍ର ୬୫୭୭ ଭୋଟ୍‌ ମିଳିଥିଲା, ଅର୍ଥାତ୍‌ ଦଳୀୟ ଭୋଟ୍‌ଠାରୁ ୩୧୩୫ ଖଣ୍ଡ କମ୍‌ ଭୋଟ୍‌ ପାଇଥିଲେ। ସେହିଭଳି ବିଜେପି ପୌରାଧ୍ୟକ୍ଷ ପ୍ରାର୍ଥୀ ତନୟା ମିଶ୍ର ଦଳର କାଉନସିଲରଙ୍କୁ ମିଳିଥିବା ଭୋଟ୍‌ଠାରୁ ୩୫୬ଟି କମ୍‌ ଭୋଟ୍‌ ପାଇଥିବାବେଳେ କଂଗ୍ରେସ ପୌରାଧ୍ୟକ୍ଷ ପ୍ରାର୍ଥୀ ସସ୍ମିତା ଯୋଶୀ ୮୦୫ଟି କମ୍‌ ଭୋଟ୍‌ ପାଇଥିଲେ। ଅପରପକ୍ଷରେ ରାଜଗାଙ୍ଗପୁର ପୌରପାଳିକାରେ କିନ୍ତୁ ପୌରାଧ୍ୟକ୍ଷ ପ୍ରାର୍ଥୀ ଦଳର କାଉନସିଲରମାନଙ୍କୁ ମିଳିଥିବା ଭୋଟଠାରୁ ଅଧିକ ପାଇଛନ୍ତି। ବିଜେଡି ପୌରାଧ୍ୟକ୍ଷ ପ୍ରାର୍ଥୀ ମାଧୁରୀ ଲୁଗୁନ ଦଳର କାଉନସିଲରଙ୍କୁ ମିଳିଥିବା ଭୋଟ୍‌ଠାରୁ ୮୦୧ଟି ଅଧିକ ଭୋଟ୍‌ ପାଇଛନ୍ତି। ସେହିଭଳି ବିଜେପି ପ୍ରାର୍ଥୀ କୁଳଦୀପ ସିଂହ ଦଳର କାଉନସିଲରଙ୍କୁ ମିଳିଥିବା ଭୋଟ୍‌ଠାରୁ ଅଧିକ ୧୯୦୨ଟି ଭୋଟ୍‌ ପାଇଛନ୍ତି। ତେବେ କଂଗ୍ରେସ ପ୍ରାର୍ଥୀ ଜୟଦେବ ଦାଶ ୫୮୩ଟି କମ୍‌ ଭୋଟ୍‌ ପାଇଥିଲେ।

ସମ୍ବନ୍ଧିତ ଖବର