ପହିଲାରେ ଆସିବ ଚିଠା ଭୋଟର ତାଲିକା : ସଂଶୋଧନ ଦାବି, ଆପତ୍ତି ପାଇଁ ୨ ମାସ ମହଲତ

ବୁଥ୍‌ ପୁନର୍ଗଠନରେ ଅନିୟମିତତା ଅଭିଯୋଗକୁ ସିଇଓଙ୍କ ଖଣ୍ଡନ, ଅନ୍‌ଲାଇନରେ ବି ଭୋଟର ପାଇଁ ଆବେଦନ କରିହେବ

ଭୁବନେଶ୍ୱର : ସେପ୍ଟେମ୍ବର ୧ ତାରିଖରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ)ଙ୍କ କାର୍ଯ୍ୟାଳୟରେ ଚିଠା ଭୋଟର ତାଲିକା ପ୍ରକାଶ ପାଇବ। ସେହି ତାଲିକାରେ ସମ୍ଭାବ୍ୟ ତ୍ରୁଟିବିଚ୍ୟୁତିର ସଂଶୋଧନ ନେଇ ଜନସାଧାରଣଙ୍କଠାରୁ ଦାବି, ଆପତ୍ତି ଗ୍ରହଣ କରାଯିବ। ଏଥିପାଇଁ ଆସନ୍ତା ପହିଲାରୁ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ଦୁଇମାସର ସମୟ ଦିଆଯାଇଛି। ଅକ୍ଟୋବର ୩୦ ତାରିଖରେ ଦାବି ଓ ଆପତ୍ତିର ଫଇସଲା କରାଯିବ। ୨୦୧୯ ଜାନୁଆରି ୪ ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ।

ଆଜି ସିଇଓ ସୁରେନ୍ଦ୍ର କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ଉପରୋକ୍ତ ନିଷ୍ପତ୍ତିମାନ ନିଆଯାଇଛି। ପରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ସେ କହିଲେ ଯେ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ତାରିଖ ଧାର୍ଯ୍ୟ ହୋଇଛି। ବୈଠକରେ ସେ ବିଭିନ୍ନ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳଗୁଡ଼ିକର ପ୍ରତିନିଧିମାନଙ୍କ ସହଯୋଗ କାମନା କରିଥିଲେ। ସମସ୍ତ ଯୋଗ୍ୟ ବ୍ୟକ୍ତି ବିଶେଷ କରି ୨୦୧୯ ଜାନୁଆରି ୧ ତାରିଖ ସୁଦ୍ଧା ୧୮-୧୯ ବର୍ଷ ବର୍ଗର ଯୁବକ ଯୁବତୀଙ୍କୁ ଏବଂ ମହିଳା, ଭିନ୍ନକ୍ଷମ, ଅନୁସୂଚିତ ଜାତି ଓ ଜନଜାତି ବର୍ଗର ସମସ୍ତ ଯୋଗ୍ୟ ବ୍ୟକ୍ତିଙ୍କୁ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଏହା ସହିତ ମୃତ, ସ୍ଥାନାନ୍ତରିତ ଓ ଦୋହରା ଭୋଟରଙ୍କୁ ଚିହ୍ନଟ କରି ତାଲିକାରୁ ବାଦ୍‌ ଦେବା ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯିବ ବୋଲି ସେ କହିଥିଲେ।

ଭୋଟର ତାଲିକାରେ ଶତ ପ୍ରତିଶତ ଭୋଟରଙ୍କ ଫଟୋ ସ୍ଥାନିତ କରିବା ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି ସିଇଓ ଶ୍ରୀ କୁମାର କହିଥିଲେ। ଭୋଟର ତାଲିକାରେ ନାମ ପଞ୍ଜୀକରଣ ନିମନ୍ତେ ଜଣେ ଯୋଗ୍ୟ ଭୋଟର ଫର୍ମ ନଂ-୬ରେ ନିଜର ରଙ୍ଗିନ ପାସ୍‌ପୋର୍ଟ ଫଟୋ, ଜନ୍ମ ତାରିଖ ଏବଂ ବାସସ୍ଥାନ ପ୍ରମାଣପତ୍ର ଦେବାକୁ ହେବ। ନୂଆ ଭୋଟର ହେବାକୁ ଯୋଗ୍ୟ ବ୍ୟକ୍ତିମାନେ ଅନ୍‌ଲାଇନରେ www.ceoorissa.nic.in/www.nvsp.inରେ ମଧ୍ୟ ଆବେଦନ କରିପାରିବେ। ଏକାଧିକ ବିଧାନସଭା ନିର୍ବାଚନମଣ୍ଡଳୀର ଭୋଟର ତାଲିକାରେ ନାମ ପଞ୍ଜୀକରଣ କଲେ ସଂପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଦଣ୍ଡବିଧାନ କରାଯିବ। ଆସନ୍ତା ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ପ୍ରତି ଭୋଟଦାନ କେନ୍ଦ୍ରରେ ବୁଥ୍‌ସ୍ତରୀୟ ଏଜେଣ୍ଟ ନିଯୁକ୍ତି କରିବାକୁ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧମାନଙ୍କୁ କୁହାଯାଇଛି।

ବିଜେପି ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ ବୁଥ୍‌ ପୁନର୍ଗଠନ କାର୍ଯ୍ୟକ୍ରମରେ ଅନିୟମିତତା ହୋଇଥିବା ଦର୍ଶାଇ ଶାସକ ଦଳ ବିରୁଦ୍ଧରେ ଅଭିଯୋଗ କରିଥିଲେ। ବିଜେଡି ନେତା ତଥା ମନ୍ତ୍ରୀ ଶଶିଭୂଷଣ ବେହେରା ଏହାକୁ ଅସ୍ୱୀକାର କରି ତାଙ୍କ ଦଳ ଏଭଳି ଅନିୟମିତତା କାର୍ଯ୍ୟରେ ବିଶ୍ୱାସ କରେନାହିଁ ବୋଲି କହିଥିଲେ। ଭୋଟର ତାଲିକାରେ ଅନେକ ତ୍ରୁଟିବିଚ୍ୟୁତି ରହିଥିବା କହିଥିଲେ କଂଗ୍ରେସ ଉପ ସଭାପତି ଶିବାନନ୍ଦ ରାୟ। ଏଭଳି ଅଭିଯୋଗକୁ ଖଣ୍ଡନ କରି ସିଇଓ କହିଲେ ଯେ ବୁଥ୍‌ ପୁନର୍ଗଠନ କାର୍ଯ୍ୟକ୍ରମ ଜିଲ୍ଲାସ୍ତରରେ ସବୁ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳଙ୍କ ସହଯୋଗରେ ହୋଇଥାଏ। ଏ ନେଇ କୌଣସି ଦଳ ଅଭିଯୋଗ କରିନଥିବା ଶ୍ରୀ କୁମାର କହିଥିଲେ।

ସମ୍ବନ୍ଧିତ ଖବର