କଙ୍କଡ଼ାହାଡ଼: ପ୍ରଚାର ବେଳେ ବିଭିନ୍ନ ଗାଁରେ ପର୍ଜଙ୍ଗ ବିଧାୟକ ତଥା ବିଜେଡି ବିଧ‌ାୟକ ପ୍ରାର୍ଥୀ ଡା. ନୃସିଂହ ସାହୁଙ୍କୁ ବିରୋଧର ସାମ୍ନା କରିବାକୁ ପଡ଼ୁଛି। ଲୋକ ଗାଡ଼ି ଅଟକାଇ ବିଧାୟକଙ୍କୁ କାମର ହିସାବ ମାଗୁଛନ୍ତି। ରାସ୍ତାରେ ବସିରହି ବିଧାୟକଙ୍କୁ ଗାଁରେ ପୂରାଇ ଦେଉନାହାନ୍ତି। ମତଦାନ ତାରିଖକୁ ୧୦ ଦିନରୁ କମ୍‌ ଥିବାବେଳେ ଶାସକ ଦଳ ପ୍ରାର୍ଥୀ ନିତିଦିନ ହଟହଟା ହେବା ରାଜନୈତିକ ମାହୋଲକୁ ଗରମ କରିଛି। ସୂଚନା ମୁତାବକ, ଆଜି କଙ୍କଡ଼ାହାଡ଼ ବ୍ଲକ୍‌ ବିରିବୋଲେଇ ଗାଁରେ ନୃସିଂହ ସାହୁଙ୍କ ପ୍ରଚାର ଶୋଭାଯାତ୍ରା କାର୍ଯ୍ୟକ୍ରମ ଥିଲା। ନିର୍ଦ୍ଧାରିତ ସମୟରେ ଡା. ସାହୁ ତାଙ୍କ ସମର୍ଥକଙ୍କୁ ଧରି ଗାଁ ନିକଟରେ ପହଞ୍ଚିଥିଲେ। କିନ୍ତୁ ବିଧାୟକ ପହଞ୍ଚିବା କ୍ଷଣି ଗାଁଲୋକେ ବାଟ ଓଗାଳିଥିଲେ। ଗାଁ ପାଇଁ କ’ଣ କାମ କରିଛ ଆଗେ ହିସାବ ଦିଅ, ପରେ ଗାଁକୁ ଯିବ ବୋଲି ଲୋକେ କହିଥିଲେ। ଡାକ୍ତରଖାନାରେ ଡାକ୍ତର ନଥିବାବେଳେ ହାଟ, କଲେଜ ଆଦି ସମସ୍ୟା ନେଇ ଲୋକେ ବିଧାୟକଙ୍କୁ ଘେରିଥିଲେ। ଗାଁ ସମସ୍ୟା ନେଇ ବିଧାୟକଙ୍କ ପାଖକୁ ଗଲେ ସେ ଶୁଣୁ ନଥିବା ବେଳେ କେଉଁ ମୁହଁରେ ଭୋଟ୍‌ ମ‌ାଗିବାକୁ ଆସିଛନ୍ତି ବୋଲି ଲୋକେ ପ୍ରଶ୍ନ କରିଥିଲେ। ଭୋଟରଙ୍କ ପ୍ରଶ୍ନବାଣରେ ଘାଇଲା ହୋଇଥିଲେ ବିଧାୟକ ଡା. ସାହୁ। ଦୀର୍ଘ ବର୍ଷ ଧରି ସ୍ଥାନୀୟ ଅଞ୍ଚଳରେ ହୋଇଥିବା ବିକାଶର ହିସାବ ମାଗି ଲୋକେ ପ୍ରଚାର ଗାଡ଼ି ଓ ବିଧାୟକଙ୍କୁ ଗାଁରେ ପୂରାଇ ଦେଇ ନଥିଲେ। ଯାହାକୁ ନେଇ ନୃସିଂହ ସାହୁ ଦୀର୍ଘ ସମୟ ପର୍ଯ୍ୟନ୍ତ ସେଠାରେ ଛିଡ଼ା ହୋଇ ହଟହଟା ହୋଇଥିବା ଦେଖିବାକୁ ମିଳିଥିଲା।

Advertisment

ଗତକାଲି ଖଜୁରିଆ, ଆଜି ବିରିବୋଲେଇରେ ବିରୋଧ
ବିଜେପି-ବିଜେଡି କର୍ମୀଙ୍କ ହୋ-ହଲ୍ଲା, ଥାନାରେ ମାମଲା

ଏହାକୁ ନେଇ ଘଟଣାସ୍ଥଳରେ ଚାପା ଉତ୍ତେଜନା ସୃଷ୍ଟି ହୋଇଥିଲା। ବିଜେପି ଓ ବିଜେଡି ଦଳର କର୍ମୀମାନେ ହୋ-ହଲ୍ଲା କରିଥିଲେ। ଉକ୍ତ ସମୟର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ବିଜୁଳି ବେଗରେ ଭାଇରାଲ୍‌ ହୋଇଥିଲା। ଖବର ପାଇ ମହାବିରୋଡ଼ ପୁଲିସ ବିରିବୋଲେଇ ଗାଁ ନିକଟରେ ପହଞ୍ଚିଥିଲା। ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ପ୍ରଚାର ଗାଡ଼ି ଓ ବିଧାୟକଙ୍କୁ ଆଗକୁ ଯିବାକୁ ରାସ୍ତା ଦେଇଥିଲା। ପ‌ରେ ବିଧାୟକ ଡା. ସାହୁଙ୍କ ଗାଡ଼ି ଆଗକୁ ଗଡ଼ିଥିଲା। ଗତକାଲି ମଧ୍ୟ ମକୁଆକାଟେଣି ପଞ୍ଚାୟତ ଖଜୁରିଆ ଗାଁରେ ଡା. ସାହୁଙ୍କୁ ଲୋକେ ବିରୋଧ କରିଥିଲେ। ପରେ ବି‌ଜେଡି କର୍ମୀ ଜବରଦସ୍ତ ଗାଁ ଭିତରକୁ ପ୍ରଚାର ଗାଡ଼ି ନେଇ ପ୍ରଚାର କରି ଫେରିଥିଲେ। ଏନେଇ କଙ୍କଡ଼ାହାଡ଼ ଥାନାରେ ଉଭୟ ପକ୍ଷ ଏତଲା ଦେଇଥିଲେ। ସୂଚନାଯୋଗ୍ୟ, ୨୦୦୯ରୁ ଡା. ସାହୁ ପର୍ଜଙ୍ଗ ଆସନରୁ ଲଗାତାର ୩ ଥର ବିଧାୟକ ଭାବେ ଜିତି ଆସିଛନ୍ତି। କିନ୍ତୁ ସ୍ଥାନୀୟ ଅଞ୍ଚଳରେ ବିକାଶ ଆଖିଦୃଶିଆ ହୋଇ ନଥିବା ଲୋକେ ଅଭିଯୋଗ କରିଛନ୍ତି। ୨୦୧୯ ନିର୍ବାଚନରେ ଡା. ସାହୁ ମାତ୍ର ୭ଶହ ଖଣ୍ଡ ଭୋଟରେ ଜିତିଥିଲେ।