ଆନ୍ଧ୍ର ରାସ୍ତାରେ ୬୦କିମି ଦୂରରୁ ଆସିଲେ ଭୋଟର: ଆନ୍ଧ୍ରରେ ମିଶିବାକୁ ଦେଲେ ଚେତାବନୀ

ମାଲକାନଗିରି/କାଲିମେଳା: ଚଳିତ ପଞ୍ଚାୟତ ନିର୍ବାଚନରେ ୬୦ କିଲୋମିଟର ପଥ ଅତିକ୍ରମ କରି ଭୋଟ୍‌ ଦେଇଛନ୍ତି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ୍‌ ଅନ୍ତର୍ଗତ ରାମଚନ୍ଦ୍ରପୁର ଗାଁର ଭୋଟର। ଏଥିପାଇଁ ସେମାନଙ୍କୁ ଆନ୍ଧ୍ର ରାସ୍ତାଦେଇ ଆସିବାକୁ ପଡ଼ିଛି। ଭଉୟ ସଡ଼କ ଓ ଜଳପଥରେ ମାଇଲମାଇଲ୍‌ ବାଟ ଅତିକ୍ରମ କରିବାକୁ ପଡ଼ିଛି। ଗଣତନ୍ତ୍ର ପ୍ରତି ଅଗାଧ ବିଶ୍ବାସ ଯୋଗୁ ଏହି କଷ୍ଟ ସହିଥିବା ସେମାନେ କହିଛନ୍ତି। ମାତ୍ର, ଭୋଟ୍‌ ଦେଇ ସାରିବାପରେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ଆଗାମୀ ଦିନରେ ମୌଳିକ ସୁବିଧା ନମିଳିଲେ ସେମାନେ ପଡ଼ୋଶୀ ଆନ୍ଧ୍ର ସହିତ ମିଶିଯିବେ ବୋଲି ଚେତାବନୀ ଦେଇଛନ୍ତି।

ରାମଚନ୍ଦ୍ରପୁର ଗାଁର ଭୋଟରଙ୍କ ନିମନ୍ତେ ଟାଗୁରକୋଟାଠାରେ ବୁଥ୍‌ କରାଯାଇଥିଲା। ଗାଁ ଠାରୁ ବୁଥ୍‌ ପର୍ଯ୍ୟନ୍ତ ସଡ଼କ ପଥରେ ସିଧାସଳଖ କୌଣସି ରାସ୍ତା ନାହିଁ। ତଥାପି, ୫ବର୍ଷ ପରେ ସୁଯୋଗ ପାଇଥିବାରୁ ଭୋଟ ଦେବାକୁ ବେଶ୍‌ ଉତ୍ସାହିତ ଥିଲେ ଗଁାଲୋକେ । ତେଣୁ ଛୋଟ ଛୁଆଙ୍କୁ ଧରି ସକାଳୁ ସକାଳୁ ଭୋଟ୍‌ ଦେବାକୁ ଗାଁରୁ ବାହାରି ପଡ଼ିଥିଲେ। ଘାଟି ଉପ‌ରେ ରହୁଥିବା ଏହି ଗ୍ରାମବାସୀ ତଳକୁ ଓହ୍ଲାଇ ଅଟୋ ଭଡ଼ା କରି ପ୍ରଥମେ ସୀମାନ୍ତ ଆନ୍ଧ୍ର ଗାଁରେ ପହଞ୍ଚିଥିଲେ। ସେଠାରୁ ମୋଟର ଲଞ୍ଚ୍‌ରେ ଟାଗୁରକୋଟା ଘାଟରେ ପହଞ୍ଚିଥିଲେ। ଘାଟରୁ ବୁଥ୍‌ ପର୍ଯ୍ୟନ୍ତ ଯିବା ପାଇଁ ପ୍ରଶାସନ ପକ୍ଷରୁ ବସ୍‌ ବ୍ୟବସ୍ଥା କରାଯାଇଥିଲା। ପ୍ରାୟ ୪ଘଣ୍ଟାର ଯାତ୍ରା ଏବଂ ୬୦କିଲୋମିଟର ପଥ ଅତିକ୍ରମ କରିବାପରେ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି।

କିନ୍ତୁ ବର୍ଷ ବର୍ଷ ଧରି ଯେଉଁ ମୌଳିକ ସୁବିଧା ପାଇବା ପାଇଁ ସେମାନେ ହକଦାର ତାହା ପାଇନାହାନ୍ତି। ସେହିପରି କିଛି ଗ୍ରାମବାସୀ ଘାଟି ରାସ୍ତା ପାର ଜାକଲକୁଣ୍ତି ଗ୍ରାମ ଦେଇ ଟାଗୁରକୋଟା ମତଦାନ କେନ୍ଦ୍ରରେ ପହଞ୍ଚିଥିଲେ। ସୁରକ୍ଷା କାରଣରୁ ଟାଗୁରକୋଟା ଠାରେ ରାମଚନ୍ଦ୍ରପୁର, ଗୁଣ୍ଠାବେଡ଼ା, ପୋଲୁର ଓ ଟାଗୁରକୋଟା ଗ୍ରାମବାସୀଙ୍କ ପାଇଁ ମତଦାନ କେନ୍ଦ୍ର କେନ୍ଦ୍ର କରାଯାଇଥିଲା ବୋଲି ପ୍ରଶାସନ କହିଛି। ତେବେ, ମତଦାନ କରି ଫେରିବା ସମୟରେ ରାମଚନ୍ଦ୍ରପୁର ଗ୍ରାମବାସୀଙ୍କ ମଧ୍ୟରେ ପୁଞ୍ଜିଭୂତ ଅସନ୍ତୋଷ ଦେଖିବାକୁ ମିଳିଥିଲା। ସେମାନଙ୍କ ମଧ୍ୟରୁ ଜଣେ ଅଭିଯୋଗ କରିଥିଲେ, ‘ ଗାଁରେ ନା ପିଡିଏସ୍‌ ଚାଉଳ ପହଞ୍ଚୁଛି ନା ବୃଦ୍ଧବୃଦ୍ଧା ଭତ୍ତା ପାଉଛନ୍ତି। ବାରମ୍ବାର ସରକାରଙ୍କୁ ନିଜ ସମସ୍ୟା ସଂପର୍କରେ ଅବଗତ କରାଇଛନ୍ତି। ତଥାପି କୌଣସି ସୁଫଳ ମିଳିଲା ନାହିଁ।’ ‘ ଯଦି ଏଥର ମୌଳିକ ସୁବିଧା ମିଳିବ ନାହିଁ ଏବଂ ପ୍ରତାରିତ କରାଯିବ ତେବେ ବାଧ୍ୟ ହୋଇ ଆନ୍ଧ୍ରରେ ମିଶିବେ। କାରଣ, ଆନ୍ଧ୍ର ସରକାର ସୀମାନ୍ତବର୍ତ୍ତୀ ଗ୍ରାମକୁ ସମସ୍ତ ସୁବିଧା ଯୋଗାଇ ଦେଇଛନ୍ତି,’ ବୋଲି କହିଛନ୍ତି ଅନ୍ୟ ଜଣେ ଗ୍ରାମବାସୀ।
ଉଲ୍ଲେଖଯୋଗ୍ୟ ଯେ ଭୋଟ୍‌ ଦେବା ପାଇଁ ଜଣକ ପିଛା ୨୦୦ରୁ ୩୦୦ ଟଙ୍କର ଲେଖାଏଁ ଖର୍ଚ୍ଚ କରିବାକୁ ପଡ଼ିଥିଲା ।

ସମ୍ବନ୍ଧିତ ଖବର