ଏକବିଂଶ ଶତାଦ୍ଦୀରେ ବି ଦୁର୍ଦ୍ଦଶାର ଅନ୍ତ ନାହିଁ : କାଠଡଙ୍ଗା ଭରସାରେ ଜଳବନ୍ଦୀ ଇଲାକାର ମତଦାତା

ଜୟପାଟଣା : ପଲ୍ଲୀରୁ ସହର ପର୍ଯ୍ୟନ୍ତ ନିର୍ବାଚନୀ ଉଷ୍ମତା ଲାଗି ରହିଥିବା ବେଳେ ଇନ୍ଦ୍ରାବତୀ ଜଳ ଭଣ୍ଡାର ମଧ୍ୟରେ କୋଡ଼ିଏ ବର୍ଷ ଧରି ଜଳବନ୍ଦୀ ଜୀବନ ବଂଚୁଥିବା ଦୁଇ ହଜାର ଅଧିବାସୀଙ୍କ ଦୁର୍ଦ୍ଦଶାର ଚିତ୍ର ଦେଖିବାକୁ ମିଳିଛି। ବର୍ଷ ତମାମ ଦୁଃଖ କଷ୍ଟ ମଧ୍ୟରେ ବିପର୍ଯ୍ୟୟର ସାମ୍ନା କରି ଆସୁଥିବା ଜଳବନ୍ଦୀଙ୍କୁ ଫମ୍ପା ପ୍ରଲୋଭନ ଦେଇ ଭୋଟ ହାତେଇବାକୁ ନେତାଏ ବ୍ୟଗ୍ର। ନିର୍ବାଚନ ସରିଗଲା ପରେ ଏହି ଜଳବନ୍ଦୀ ଜନତାଙ୍କ ଅବସ୍ଥା ପୁଣି ପୂର୍ବ ଭଳି ରହିବ। ଆଉ ପାଞ୍ଚ ବର୍ଷ ପାଇଁ ଅଟକି ଯିବ ବିକାଶ। ତେବେ, କଣ ରହିଛି ବାସ୍ତବ ସ୍ଥିତି ସେ ସଂପର୍କରେ ପରଖିବା ପାଇଁ ଆମ ପ୍ରତିନିଧି ପହଞ୍ଚିଥିଲେ ଇନ୍ଦ୍ରାବତୀ ଜଳ ଭଣ୍ଡାରର ପୋଡ଼ାପଦର ପଞ୍ଚାୟତର ସେହି ଜଳବନ୍ଦୀଙ୍କ ପାଖରେ। ସେମାନେ କ୍ଷୋଭ ଓ ଉଦବେଗରେ କହି ଚାଲିଥିଲେ ସେମାନଙ୍କ ଦୁଃଖଭରା କାହାଣୀ।

ଥୁଆମୂଲ ରାମପୁର ବ୍ଲକ୍ ଅନ୍ତର୍ଗତ ଘୁଟୃଖାଲ ପଞ୍ଚାୟତ ଇନ୍ଦ୍ରାବତୀ ଜଳ ଭଣ୍ଡାର ମଧ୍ୟରେ ସମ୍ପୂର୍ଣ୍ଣ ବିଲୀନ ହୋଇଗଲା। ପଞ୍ଚାୟତ ମହୁକୁମା ସ୍ଥାନାନ୍ତରିତ ହୋଇ ତଲନାଗୀ ପଞ୍ଚାୟତ ନାମରେ ନାମିତ ହୋଇଗଲା। ତଲନାଗୀ, ମୁର୍କା, ବାହାଡ଼ାଘାଟ, ବାଗ୍ବେଡ଼ା ସ୍ଥଳ ଅଞ୍ଚଳରେ ଥିବାବେ‌େଳ ସେହି ସବୁ ଗାଁରେ ବସତି ଅତୁଟ ରହିଗଲା। ସ୍ୱଳ୍ପ ବିସ୍ଥାପନ ସହାୟତା ଓ ସହାୟତାରୁ ବଞ୍ଚିତ ଥିବା ଅନେକ ଗାଁ ପାଣି ଘେର‌ରେ ଉଚ୍ଚ ସ୍ଥାନରେ ଗାଁ ବସାଇ ଏକ ବିପଦସଂକୁଳ ଜୀବନ ଯାତ୍ରା ଆରମ୍ଭ କରିଦେଲେ। ଇନ୍ଦ୍ରାବତୀ ଜଳ ଭଣ୍ଡାର ୧୯୯୯ ମସିହାରେ ପୂର୍ଣ୍ଣାଙ୍ଗ ହେବା ପରେ ଏମାନେ ସମସ୍ତେ କଷ୍ଟକର ଜୀବନ ଯାତ୍ରା ମଧ୍ୟକୁ ଟାଣି ହୋଇଗଲେ। ସେମାନଙ୍କ ଚାରି ପଟେ ଘେରି ରହିଲା ଇନ୍ଦ୍ରାବତୀ ଜଳ ଭଣ୍ଡାରର ଅଥଳ ଜଳରାଶି ଓ ଦୁର୍ଭେଦ୍ୟ ପାହାଡ଼। ତା’ମଧ୍ୟରେ ୧୫ ଖଣ୍ଡ ଗାଁର ପ୍ରାୟ ୧୮୦୦ ମଣିଷ ପରିଶେଷରେ ଏମାନଙ୍କ ଜୀବନ ଜୀବିକା ତଥା ଯୋଗାଯୋଗ ପାଇଁ କାଠଡଙ୍ଗା ହିଁ ଏକ ମାତ୍ର ଭରସା ପାଲଟିଲା। ବିପଦ ଆପଦକୁ ଭୁଲି ପେଟ ପାଇଁ ସବୁକିଛି କରିବାକୁ ପଡ଼ିଲା। ଗତ ପଞ୍ଚାୟତ ପୁନର୍ଗଠନ ବେଳେ ଜଳବନ୍ଦୀ ଅଞ୍ଚଳର ପୋଡ଼ାପଦରକୁ ଏକ ପଞ୍ଚାୟତର ମାନ୍ୟତା ମିଳିଲା। ତଥାପି ଦୂର ହେଲା ନାହିଁ ଲୋକଙ୍କ ଦୁଃଖ ଦୁର୍ଦ୍ଦଶା। ଚାଉଳ, ଭତ୍ତା, ବାସଗୃହ. ଶୌଚାଳୟ ଭଳି ଯୋଜନାମାନଙ୍କ ପାଇଁ ପୁଣିଥରେ କାଠଡଙ୍ଗାରେ କଷ୍ଟ ଉଠେଇବାକୁ ପଡ଼ିଲା। ଏବେ ନିର୍ବାଚନର ବେଳା ଆସିଛି। ପୋଡ଼ାପଦର ପଞ୍ଚାୟତର ଜଳବନ୍ଦୀ ଅଞ୍ଚଳର ଘୁଟୃଖାଲ ଠାରେ ଝିରି ଓ ତେନ୍ତୁଳିପଦରକୁ ନେଇ ଗୋଟିଏ ବୁଥ୍ କରାଯାଇଥିବା ବେଳେ ଭିତରଡ଼ଙ୍ଗା ଠାରେ ଆଉ ଏକ ନୂତନ ବୁଥ୍ ସୃଷ୍ଟି କରାଯାଇଛି। ଯେଉଁଥିରେ ଲିଟିମସ୍କା, କାରବାଟି, ଭୁରଭୁରି ଟେମରା, ତଳ ଟେମରା, ସରାଫାତ, ଉପରପୁଙ୍ଗା, ତଳ ପୁଙ୍ଗା, କତାଟି, କୃଟୃପାଟ, ତଳଗୁଞ୍ଜମାଲି, ଉପର ଗୁଞ୍ଜମାଲି, ଆଦି ସଂଶ୍ଳିଷ୍ଟ ରହିଛି। ମାତ୍ର ଏମାନଙ୍କ ପାଇଁ ଯାତାୟତର କୌଣସି ସୁବିଧା ନଥିବାରୁ ଲୋକେ କାଠଡଙ୍ଗାର ସହାୟତା ନେଇ ମତଦାନ କରିବାର କଷ୍ଟ ଏବେ ବି ଭୋଗିବାକୁ ପଡ଼ୁଛି।

ସମ୍ବନ୍ଧିତ ଖବର