ଭୋଟରଙ୍କ ନଜରରେ ନବୀନ-ମୋଦୀ

ଲୋକସଭା ନିର୍ବାଚନ କମ୍ପନ ବିଧାନସଭା ପାଇଁ ନାହିଁ, ମହିଳା ଓ ଯୁବ ଭୋଟର ନିର୍ଣ୍ଣାୟକ ହେବେ

ବିଜେପୁର, (ଭବାନୀ ଶଙ୍କର ତ୍ରିପାଠୀ) : ବର୍ଷକ ତଳେ ଉପନିର୍ବାଚନରେ କମ୍ପୁଥିଲା ବିଜେପୁର ଓ ବରଗଡ ଜିଲ୍ଲା। ସାଧାରଣ ନିର୍ବାଚନରେ ଜିଲ୍ଲାର ପାଞ୍ଚଟି ବିଧାନସଭାରେ ଆଉ ଦୁଇ ଦିନ ପରେ ଭୋଟ। ମଙ୍ଗଳବାର ସନ୍ଧ୍ୟାରେ ପ୍ରଚାର ଶେଷ। ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲଢୁଛନ୍ତି ଜିଲ୍ଲାରୁ। ସାଂସଦ ପ୍ରାର୍ଥୀ ଭାବେ ଏକରୁ ଆରକ ଅଭିଜ୍ଞ ନେତାଙ୍କ ମଧ୍ୟରେ ବଳ କଷାକଷି ଚାଲିଛି। ବିଧାନସଭାରେ ବି। ହେଲେ ସମଗ୍ର ଜିଲ୍ଲା ଗୁମସୁମ୍। ଏଠାରେ ମଧ୍ୟ ଭୋଟକୁ ନେଇ କୋଳାହଳ ନାହିଁ ଅନ୍ୟ ସବୁ ଅଞ୍ଚଳ ଭଳି। ଅଥଚ ଲୋକସଭା ଓ ବିଧାନସଭା ମିଶାଇ ୩୧ ପ୍ରାର୍ଥୀ ନିର୍ବାଚନ ମଇଦାନରେ କସରତ ଚଳାଇଛନ୍ତି। ଲକ୍ଷେ କି ଦୁଇ ଲକ୍ଷ ନୁହେଁ, ୧୧ଲକ୍ଷ ୬୦ହଜାର ୫୯୫ ଜଣ ଭୋଟର ଏହି ପ୍ରକ୍ରିୟାରେ ସାମିଲ ଅଛନ୍ତି। ଯେଉଁମାନଙ୍କ ଭିତରେ ୫ଲକ୍ଷ ୯୫ ହଜାର ୭୪୦ ପୁରୁଷ ଓ ୫ଲକ୍ଷ ୬୪ ହଜାର ୮୦୦ ଭୋଟ ମହିଳା।

ଭଟଲିଠାରୁ ଆରମ୍ଭ କରି ପଦ୍ମପୁର, ଅତାବିରା, ବିଜେପୁର, ବରଗଡ ଆଦି ବୁଲି ଦେଖିବା ପରେ ଯେଉଁ ଚିତ୍ର ସାମ୍ନାକୁ ଆସିଲା, ତାହା ସୂଚାଇ ଦେଉଛି ଯେ ନିର୍ବାଚନ ଅତ୍ୟନ୍ତ ରୋଚକ ସ୍ଥିତିରେ ପହଞ୍ଚିଛି। ଲୋକସଭା ଆସନ କିଏ ଦଖଲ କରିବ, ସେ ନେଇ ବଡ ଲଢେଇ ଚାଲିଛି ଦୁଇ ପ୍ରମୁଖ ଦଳ ବିଜେଡି-ବିଜେପି ଭିତରେ। ବିଧାନସଭା ଆସନରେ ନେତାଙ୍କ ଭିତରେ ଛକାପଞ୍ଝା କିଛି କମ ନାହିଁ। ହେଲେ କୌତୂହଳର କଥା ହେଲା, ଏଠାରେ ନେତାଙ୍କ ବ୍ୟକ୍ତିତ୍ବ କି ପତିଆରା ନୁହେଁ. ବରଂ ଉଭୟ ବିଜେଡି ଓ ବିଜେପିର ଶୀର୍ଷ ନେତୃତ୍ବ ଓ ଦଳର ଚିହ୍ନ ଭୋଟରଙ୍କ ନିଷ୍ପତ୍ତିରେ ମୁଖ୍ୟ ନିର୍ଣ୍ଣାୟକ ସାଜିଛି। ଯୁବ ଭୋଟରଙ୍କ ମାନସିକତା, ମଦଳମତ ନିର୍ବିଶେଷରେ ସ୍ଥାନୀୟ ନେତାଙ୍କ ବିରୋଧରେ ଥିବା ଅନ୍ତଃସ୍ବର ସବୁ ଦଳର ଶୀର୍ଷ ନେତୃତ୍ବଙ୍କ ହୃତସ୍ପନ୍ଦନ ବଢାଇ ଦେଇଛି।

ପରିସଂଖ୍ୟାନ ସୂଚାଉଛି, ଯଦିଓ ଲୋକସଭା ଆସନରେ ୧୫ଲକ୍ଷ ୯୪ ହଜାର ଭୋଟର ମତଦାନ କରିବେ. ବରଗଡରୁ କେବଳ ୫ଲକ୍ଷ ୯୪ ହଜାର ୬୧୧ ଭୋଟର ଯୁବ ପିଢୀର। ଏମାନଙ୍କ ମଧ୍ୟରୁ ୨୯ହଜାର ୩୩୫ ଭୋଟର ପୂରା ନୂଆ। ୨୦ରୁ ୨୯ ବର୍ଷର ଯୁବ ପିଢୀଙ୍କ ସଂଖ୍ୟା ୨ଲକ୍ଷ ୪୮ହଜାର ୧୯୯। ୩୦ରୁ ୩୯ ବର୍ଷର ବୟସ୍କ ଯୁବ ଭୋଟର ୩ଲକ୍ଷ ୧୭ ହଜାର। ଅତଏବ ଯିଏ ଯେତେ ଅଧିକ ଯୁବ ବର୍ଗକୁ ସାଙ୍ଗରେ ରଖିପାରିବ, ତା ପାଇଁ ନିର୍ବାଚନ ବୈତରଣୀ ପାର ହେବା ସେତିକି ସହଜ ହେବ।

ଏଭଳି ସ୍ଥିତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅତାବିରା ଓ ପଦ୍ମପୁର ନିର୍ବାଚନମଣ୍ଡଳୀରେ ପ୍ରଚାର କରିଛନ୍ତି। ଚାଷୀ କାର୍ଡ ଖେଳିଛନ୍ତି ନବୀନ। କାଳିଆ କଥା କହିଛନ୍ତି, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପ୍ରସଙ୍ଗକୁ କେନ୍ଦ୍ର କିଭଳି ଟାଳିଦେଇଛି, ସେକଥା ବୁଝାଇଛନ୍ତି। ଜିଏସଟି ପ୍ରସଙ୍ଗ ବି ଉଠାଇଛନ୍ତି। କୁଲତା, ବୁଣାକାର ପ୍ରାୟ ସବୁ ବର୍ଗର ଲୋକଙ୍କୁ ସେ ଟାର୍ଗେଟ କରିଥିଲେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭଟଲି, ବିଜେପୁର ଆଦି ୪ଟି ନିର୍ବାଚନ ମଣ୍ଡଳୀ ବୁଲି ପ୍ରଚାର କରିଥିଲେ। ରାଜ୍ୟ ସରକାରଙ୍କ ବିରୋଧରେ ବିଷୋଦଗାର ସହିତ କ୍ୟାନସର ହସ୍ପିଟାଲ କଥା କହିଥିଲେ। କଂଗ୍ରେସର ଶୀର୍ଷ ନେତୃତ୍ବ ଏହି ଜିଲ୍ଲାକୁ ଯେମିତି ଭୁଲିଯାଇଛନ୍ତି। ଏକା ଏକା ନିଜ ସପକ୍ଷରେ ଭୋଟ ମାଗୁଛନ୍ତି ନେତା।

ତେବେ ହେଭିଵେଟ୍ ଲଢେଇରେ ପ୍ରସଙ୍ଗ ବେଶ୍ ପ୍ରଭାବହୀନ ହୋଇପଡିଛି। ଏହି ପ୍ରଚାରରେ ଯୋଗ ଦେଇଥିବା ଭୋଟର କହିଥିଲେ, କିଏ ଲଢୁଛି ତାକୁ ଆମେ ଦେଖୁନୁ। ନବୀନଙ୍କୁ ଦେଖି ବିଜେଡି, ମୋଦୀଙ୍କୁ ଦେଖି ବିଜେପିକୁ ଦିଆଯିବ। ଏମାନଙ୍କ ମଧ୍ୟରୁ ଯିଏ ଆମ ପାଖରେ ପହଞ୍ଚିପାରିବ,ତାକୁ ହିଁ ଭୋଟ ଦେବୁ ବୋଲି ଜଣେ ବୟସ୍କ ଭୋଟର ନିଜ ନାମ ନ କହି ପ୍ରତିକ୍ରିୟା ଦେଇଥିଲେ। ଆଉ କିଛି ବୟସ୍କ ନାଗରିକ ମୁହଁ ଖୋଲିବାକୁ ଚାହିଁନଥିଲେ। ଯାହାକୁ ଭୋଟ ଦେଲେ କାମରେ ଲାଗିବ,ତାକୁ ଦେବୁ ବୋଲି କହିଥିଲେ ଧର୍ମେନ୍ଦ୍ରଙ୍କ ସଭାରେ ଯୋଗ ଦେଇଥିବା ଜଣେ ଭୋଟର। ତେବେ ସଭାରେ ଯୋଗ ଦେଇଥିବା ତଥା ବିଭିନ୍ନ ନିର୍ବାଚନମଣ୍ଡଳୀ ବୁଲିଲା ବେଳେ ଆମେ ଭେଟିଥିବା ଅଧିକାଂଶ ମହିଳା ଓ ଯୁବକ ସେମାନଙ୍କ ଆଭିମୁଖ୍ୟ ସ୍ପଷ୍ଟ କରି ସୂଚାଇ ଦେଇଥିଲେ ଯେ ସେମାନେ ମନସ୍ଥିର କରିସାରିଛନ୍ତି। ବିଜେପୁରରେ ସ୍ଥାନୀୟ ପ୍ରାର୍ଥୀଙ୍କ ସପକ୍ଷରେ କେତେଜଣ ମତ ରଖିଥିଲେ। ହେଲେ ନିର୍ବାଚନମଣ୍ଡଳୀର ଅନ୍ୟ ଭାଗରେ ଏହାକୁ ନେଇ ଅସନ୍ତୋଷ ନଥିଲା। ବରଗଡ ସହର ଉପକଣ୍ଠର କିଛି ଭୋଟର କହିଥିଲେ, ଯିଏ ଆମ ସହିତ ସବୁଦିନ ରହିବ, ତାଙ୍କୁ ଭୋଟ ଦେବୁ।

ବିଧାନସଭା କ୍ଷେତ୍ର ବୁଲି ଦେଖିବା ବେଳେ କଂଗ୍ରେସର ଦୁର୍ବଳ ସ୍ଥିତି ବେଶ ବାରି ହୋଇପ଼ଡିଥିଲା। କଂଗ୍ରେସ ଭଳି ବିଜେପିର ପ୍ରାର୍ଥୀ ଚୟନ ତ୍ରୁଟି ନେଇ ଠାରିଥିଲେ ଭୋଟର। ଅତାବିରା ଓ ବିଜେପୁରରେ ଏହାର ପରିମାଣ ଟିକିଏ ଅଧିକ ବାରି ହୋଇ ପଡିଥିଲା। ସୁବାସ ଚୌହାନ, ପ୍ରଣୟ ସାହୁ, ସାଧୁ ନେପାକଙ୍କ ଭଳି ନେତାଙ୍କ ଉପସ୍ଥିତି ବିଜେଡିକୁ ଅଧିକ ସଶକ୍ତ କରିଛି। ବିଜେପୁର ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀ ଓ ଭଟଲିର ସୁଶାନ୍ତ ମିଶ୍ରଙ୍କୁ ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ବେଶ୍ ଗୁରୁତ୍ବ ଦେଇଥିଲେ। ସରକାର ବିରୋଧରେ ଭୋଟରଙ୍କର ସଙ୍ଗିନ ଅଭିଯୋଗ ନାହିଁ। ବିଜେପୁର ଗାଁର କିଛି ଲୋକଙ୍କୁ କାଳିଆ ସହାୟତା ମିଳିନାହିଁ। ରାଜ୍ୟ ସରକାରଙ୍କ ଯୋଜନା ସତ୍ତ୍ବେ କାହିଁକି ଆମ ପାଖେ ପହଞ୍ଚିଲା ନାହିଁ ବୋଲି ଏହି ନିର୍ବାଚନ ମଣ୍ଡଳୀର ଭୋଟର ଅସନ୍ତୋଷ ଝାଡିଥିଲେ। ବୁଣାକାର ବି କଡା ପ୍ରତିକ୍ରିୟା ପ୍ରକାଶ କରି ସ୍ଥାନୀୟ ମନ୍ତ୍ରୀଙ୍କୁ ସମାଲୋଚନା କରିଥିଲେ।

ସମ୍ବନ୍ଧିତ ଖବର