ବିଶ୍ବଜିତ ଦାଶ
ଭୁବନେଶ୍ବର: ନିର୍ବାଚନର ତୃତୀୟ ପର୍ଯ୍ୟାୟ ଶେଷ ପରେ ଅର୍ଥାତ୍ ୧୦୫ଟି ଆସନରେ ମତଦାନ ଶେଷ ପରେ ଦୁଇ ପ୍ରମୁଖ ଦଳ ବିଜେଡି ଓ ବିଜେପି ସରକାର ଗଢ଼ିବା ଲାଗି ସଂଖ୍ୟାଗରିଷ୍ଠତା ହାସଲ କରିଥିବା ଦାବି କରିଥିଲେ। ଦୁଇ ଦଳ ଏପରି ଦାବି କରିଥିଲେ, ଯେପରି ଚତୁର୍ଥ ପର୍ଯ୍ୟାୟର ଫଳାଫଳ ଯାହା ପକ୍ଷରେ ଗଲେ ବି କିଛି ଫରକ ପଡ଼ିବନି। ବାସ୍ତବରେ ଚତୁର୍ଥ ପର୍ଯ୍ୟାୟର ଫଳାଫଳ ହିଁ ବିଜେପି ସରକାର ଗଠନରେ ପ୍ରମୁଖ ଭୂମିକା ନିର୍ବାହ କରିଛି। ଏହି ପର୍ଯ୍ୟାୟରେ ବିଜେପି ଗତ ନିର୍ବାଚନରେ ଯେଉଁ ୯ଟି ଆସନ ପାଇଥିଲା ଯଦି ‌େସତିକି ଆସନ ପାଇଥାନ୍ତା ତେବେ ବିରୋଧୀ ଦଳରେ ହିଁ ବସିଥାନ୍ତା। ଆଉ ବିଜେଡି ଯଦି ୪୨ରୁ ୪୦ଟି ଆସନ ଜିତିଥାନ୍ତା ତେବେ ସରକାର ଗଠନ କରିବାକୁ ସକ୍ଷମ ହୋଇଥାନ୍ତା। କିନ୍ତୁ ବିଜେଡିର ତୁଙ୍ଗ ନେତା ମତଦାତାଙ୍କ ମୁଡ୍‌ ପଢ଼ିନପାରି ବୟାନବାଜିରେ ବ୍ୟସ୍ତ ରହିଲେ। ତୃତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ ହେବା ପରେ ବିଜେଡି ନେତା ଭି.କେ ପାଣ୍ଡିଆନ ସବୁ ବୈଠକରେ କହି ବୁଲି‌ଲେ, ଏଥର ବିଜେଡି ତିନି ଚତୁର୍ଥାଂଶ ଆସନ ପାଇ ସରକାର ଗଠନ କରୁଛି। ୧୧୫ରୁ ଅଧିକ ଆସନ ଜିତୁଛି। ନିର୍ବାଚନ ଫଳାଫଳ ଦେଖିଲେ ଲାଗୁଛି ସାରା ରାଜ୍ୟରେ ବିଜେଡିର ପ୍ରଚାର ମଙ୍ଗ ଧରିଥିବା ପାଣ୍ଡିଆନ ନିର୍ବାଚନ ପ୍ରଚାର‌ ବେଳେ ଜନତାଙ୍କ ମୁଡ୍‌ ବୁଝିପାରିନଥି‌େଲ। କାରଣ ବିଜେଡିର ହାରିବା ଟ୍ରେଣ୍ଡ ପ୍ରଥମ ପର୍ଯ୍ୟାୟ ନିର୍ବାଚନରୁ ହିଁ ଆରମ୍ଭ ହୋଇଯାଇଥିଲା। ସମସ୍ତେ ପରିବର୍ତ୍ତନ ମୁହାଁ ହୋଇଥିବା ନେଇ ବିଜେଡିର କୌଣସି ନେତା ଠଉରାଇ ପାରିନଥିଲେ। ଏହା ସେମାନଙ୍କ କଳ୍ପନାର ବାହାରେ ଥିଲା।

Advertisment

ଗତ ନିର୍ବାଚନରେ ବିଜେଡି ଦକ୍ଷିଣ, ପଶ୍ଚିମ, ଉତ୍ତର, ଉପକୂଳ ଓଡ଼ିଶାରେ ସବୁଠି ଆଧିପାତ୍ୟ ଜାହିର୍ କରିଥିଲା। କିନ୍ତୁ ଏଥର ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ (କଳାହାଣ୍ଡି, ନୂଆପଡ଼ା, ମାଲକାନଗିରି, ନବରଙ୍ଗପୁର,ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡ଼ା‌ ଜିଲ୍ଲାରେ) ବିଜେଡି ଶୋଚନୀୟ ପରାଜୟ ବରଣ କରିଥିଲା। ବିଜେପି ଓ କଂଗ୍ରେସ ଗୋଡ଼ିଆଗୋଡ଼ି ହୋଇଥିଲେ ହେଁ ବିଜେଡି ପାରିନଥିଲା। ଏହି ପର୍ଯ୍ୟାୟରେ ମୋଟ୍ ୨୮ଟି ସିଟ୍‌ରୁ ବିଜେଡି ମାତ୍ର ୭ଟି ସିଟ୍ ପାଇଥିବା ବେଳେ ବିଜେପି ୧୨ଟି ଓ କଂଗ୍ରେସ ୯ଟି ହାତେଇ ନେଇଥିଲେ। ଯେତେବେଳେକି ଗତ ନିର୍ବାଚନରେ ବିଜେଡି ଏଠାରେ ୨୦ଟି, ବିଜେପି-୪, କଂଗ୍ରେସ-୩, ସ୍ବାଧୀନ-୧ ଆସନ ଜିତିଥିଲେ।

ପ୍ରଥମ ପର୍ଯ୍ୟାୟରୁ ପଛେଇଥିଲା ବିଜୁ ଜନତା ଦଳ
ଚତୁର୍ଥ ପର୍ଯ୍ୟାୟ ବିଜେପିର ଗେମ୍‌ଚେଞ୍ଜର ହେଲା
କଂଗ୍ରେସ ପ୍ରଥମ ପର୍ଯ୍ୟାୟରେ ଭଲ କରିଥିଲା
ଶେଷ ୩ ପର୍ଯ୍ୟାୟରେ ବିଜେପିକୁ ୨୨ ଲେଖାଏଁ ମିଳିଲା

ଦ୍ବିତୀୟ ପର୍ଯ୍ୟାୟରେ ବି ବିଜେଡି ସମଦଶା ଭୋଗିଥିଲା। ଏହି ପର୍ଯ୍ୟାୟରେ ବିଜେ‌ପି ଲମ୍ବା ଡିଆଁ ମାରିଥିଲା। ସରକାର ଗଠନ କରିବାର ଟ୍ରେଣ୍ଡ ସେଟ୍‌ କରିଥିଲା। ଦ୍ବିତୀୟ ପର୍ଯ୍ୟାୟରେ ନିର୍ବାଚନ ହୋଇଥିବା ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, ସୋନପୁର, କନ୍ଧମାଳ, ଗଞ୍ଜାମ, ବୌଦ୍ଧ ଆଦି ଜିଲ୍ଲାରେ ବିଜେପି ୨୨ଟି ଆସନ ଜିତିଛି। ଯେତେବେଳେ କି ୨୦୧୯ରେ ଏହି ଜିଲ୍ଲାଗୁଡ଼ିକରେ ମାତ୍ର ୪ଟି ଆସନ ଜିତିଥିଲା। ଏହି ୨୨ଟିରେ ବିଜେପି ବିଜେଡିର ୧୭ଟି, କଂଗ୍ରେସର ଗୋଟିଏ ଆସନ ଛଡ଼ାଇ ଆଣିବାରେ ସଫଳ ହୋଇଥିଲା। ଯେଉଁଥିପାଇଁ ବିଜେଡି ଗତଥର ଏହି ପର୍ଯ୍ୟାୟରେ ୨୬ଟି ଆସନ ପାଇଥିବା ବେଳେ ଏଥର ମାତ୍ର ୯ଟି ଆସନ ପାଇଛି। ଆଉ କଂଗ୍ରେସର ଗୋଟିଏ ଆସନ କମି ୩‌ ହୋଇଛି। ସିପିଆଇ(ଏମ୍‌) ତା’ର ଗୋଟିଏ ଆସନ ବଜାୟ ରଖିବାରେ ସଫଳ ହୋଇଛି।
ଦୁଇ ପର୍ଯ୍ୟାୟ ନିର୍ବାଚନରେ ବିଜେଡି ମାତ୍ର ୧୬ଟି ଆସନ ଜିତିଛି। ଯେତେବେଳେ କି ଗତ ଥର ୪୬ଟି ଆସନ ଜିତିଥିଲା। ଗତ ଥର ଏହି ଦୁଇ ପର୍ଯ୍ୟାୟରେ ମାତ୍ର ୮ଟି ଆସନ ଜିତିଥିବା ବିଜେପି ୩୪ଟି ଆସନ ସରକାର ଗଢ଼ିବା ଦିଗରେ ଅଗ୍ରସର ହେଉଥିଲା। ହେଲେ କଂଗ୍ରେସ ପ୍ରଥମ ପର୍ଯ୍ୟାୟରେ ଯେଉଁଭଳି ଆଗେଇଥିଲା ସେହିଭଳି ଆଗକୁ ବଢ଼ିପାରିନଥିଲା। ଗତ ଥର ତୁଳନାରେ ଅଧିକ ଗୋଟିଏ ଆସନ ଜିତି ୪ଟି ଆସନରେ ସନ୍ତୁଷ୍ଟ ହୋଇଛି। ତୃତୀୟ ପର୍ଯ୍ୟାୟରେ ନିର୍ବାଚନ ହୋଇଥିବା ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ଅନୁଗୁଳ, କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ଼ ଜିଲ୍ଲାରେ ଏଥର ବିଜେଡି ୧୮ଟି ଆସନ ଜିତିଥିବାବେଳେ ଗତ ଥର ତୁଳନାରେ ୧୬ଟି ଆସନ ହରାଇଛି। ଏହି ୧୬ଟି ବିଜେପି ପକେଟ୍‌କୁ ଯାଇଛି। ଗତ ଥର ୬ଟି ଆସନ ଜିତିିଥିବା ବିଜେପି ଏହି ପର୍ଯ୍ୟାୟରେ ୨୨ଟି ଆସନ ଜିତି ମୋଟ୍ ଆସନ ୫୬ରେ ପହଞ୍ଚି ଯାଇଥିଲା। ଆଉ କଂଗ୍ରେସ ଗୋଟିଏ ଆସନ ହରାଇ ଗୋଟିଏ ସିଟ୍‌ରେ ସନ୍ତୁଷ୍ଟ ହୋଇଥିବାବେଳେ ବିଜେପି ବିଦ୍ରୋହୀ ସ୍ବାଧୀନ ପ୍ରାର୍ଥୀଙ୍କ ଖାତାକୁ ଗୋଟିଏ ଅାସନ ଯାଇଛି।

ବିଜେପି-ବିଜେଡି ମଧ୍ୟରେ କିଏ ସରକାର ଗଢ଼ିବ ତାହା ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ହୋଇଥିବା ମୟୂରଭଞ୍ଜ, କଟକ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ ଜିଲ୍ଲାରେ ହିଁ ନିର୍ଣ୍ଣାୟକ ହୋଇଛି। କାରଣ ଏହି ପର୍ଯ୍ୟାୟରେ ବିଜେଡି ଯେଉଁ ୨୨ଟି ଆସନ ଜିତିଛି ସେହି ୨୨ଟି ହିଁ ସରକାର ଗଢ଼ିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ବିଜେପି ଆସନକୁ ୫୬ରୁ ୭୮ରେ ପହଞ୍ଚାଇଛି। ଏହି ୨୨ଟିରୁ ବିଜେଡି ପକେଟ୍‌ରୁ ବିଜେପି ୧୬ଟି ଆସନ ଟାଣିଛି । ବିଜେପି ଏହି ପର୍ଯ୍ୟାୟରେ ଖରାପ ପ୍ରଦର୍ଶନ କରିଥିଲେ ହୁଏତ ଝୁଲା ସରକାର ହୋଇଥାନ୍ତା। ବିଜେଡିର ଗଡ଼ କୁହାଯାଉଥିବା ଏହି ପର୍ଯ୍ୟାୟରେ ବିଜେଡି ଗତ ଥର ୩୩ଟି ଆସନ ଜିତିଥିବାବେଳେ ଏଥର ୧୭ଟି ଜିତିଛି। କଂଗ୍ରେସ ବି ଗୋଟିଏ ଆସନ ଜିତିବାରେ ସକ୍ଷମ ହୋଇଥିବାବେଳେ ବିଜେପି ବିଦ୍ରୋହୀ ସ୍ବାଧୀନ ପ୍ରାର୍ଥୀଙ୍କ ଖାତାକୁ ୨ଟି ସିଟ୍ ଯାଇଛି। ଏଥର ପ୍ରଥମ ପର୍ଯ୍ୟାୟରେ ବିଜେଡି-୭, ବିଜେପି-୧୨, କଂଗ୍ରେସ-୯, ଅନ୍ୟାନ୍ୟ-୧, ଦ୍ବିତୀୟ ପର୍ଯ୍ୟାୟରେ ବିଜେଡି-୯, ବିଜେପି-୨୨, କଂଗ୍ରେସ-୩, ଅନ୍ୟାନ୍ୟ-୧, ତୃତୀୟ ପର୍ଯ୍ୟାୟରେ ବିଜେଡି-୧୮, ବିଜେପି-୨୨, କଂଗ୍ରେସ-୧, ଅନ୍ୟାନ୍ୟ-୧, ଚତୁର୍ଥ ପର୍ଯ୍ୟାୟରେ ବିଜେଡି-୧୭, ବିଜେପି-୨୨, କଂଗ୍ରେସ-୧, ଅନ୍ୟାନ୍ୟ-୨ଟି ଲେଖାଏ ସିଟ୍ ପାଇଛନ୍ତି।