ଭୋଟର ତାଲିକାରେ ନାଁ ନାହିଁ: ବୁଥରୁ ଫେରିଗଲେ ଶତାଧିକ ମତଦାତା

ସୁନ୍ଦରଗଡ଼:  ସଂଶୋଧିତ ଭୋଟର ତାଲିକାରେ ନାଁ ନାହିଁ। ନିଜର ମତଦାନ ଅଧିକାର ସାବ୍ୟସ୍ତ କରି ନପାରି ବୁଥରୁ ଫେରିଗଲେ ମତଦାତା। ଏଭଳି ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲାରେ। ଏହାକୁ ନେଇ  ଅସନ୍ତୋଷ ଦେଖାଦେଇଛି।

ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଟାଙ୍ଗରପାଲି ବ୍ଲକ (ଖ) ଜୋନ ସାନପତ୍ରାପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଅଲେଇକେରା ଗାଁରେ ଦେଖିବାକୁ ମିଳିଛି ଏମିତି ଘଟଣା। ଗ୍ରାମର ୩ ଟି ୱାର୍ଡରେ ଭୋଟର ତାଲିକା ସଂଶୋଧନ ତ୍ରୁଟିପୂର୍ଣ୍ଣ ଥିବା ଓ ଶତାଧିକ ଭୋଟରଙ୍କ ନାମ ନଥିଲା। ଭୋଟର ଏ ବୁଥ୍ ସେ ବୁଥ୍ ରେ ନିଜ ନାମ ଖୋଜି ନିରାଶ ହୋଇ ଫେରି ଯାଇଥିଲେ।

ସୂଚନାଯୋଗ୍ୟ, ଟାଙ୍ଗରପାଲି ଜିଲ୍ଲା ପରିଷଦ (କ) ଜୋନ୍‌ରେ ୭ଟି ପଞ୍ଚାୟତ ଓ ୯୭ ୱାର୍ଡ ସଭ୍ୟ ଅଛନ୍ତି। ମୋଟ ‌ଭୋଟର ସଂଖ୍ୟା ହେଉଛି ୨୪ ହଜାର ୩୬୦ ଟଙ୍କା। (ଖ) ଜିଲ୍ଲା ପରିଷଦ ଜୋନ୍‌ ଅଧୀନରେ ୬ଟି ପଞ୍ଚାୟତ ଓ ୮୨ଟି ୱାର୍ଡ ରହିଛି। ମୋଟ ଭୋଟର ସଂଖ୍ୟା ହେଉଛନ୍ତି ୨୫ ହଜାର ୫୦୧। ଟାଙ୍ଗରପାଲିରେ ୯୮ଟି ସମ୍ବେଦନଶୀଳ ଓ ୨ଟି ଅତି ସମ୍ବେଦନଶୀଳ ବୁଥ୍‌ ରହିଛି।

ସୁନ୍ଦରଗଡ଼ର ଜିଲ୍ଲାର ବାକିଥିବା ୩ ବ୍ଲକରେ ୬ ଜିଲ୍ଲା ପରିଷଦ, ୪୨ ସରପଞ୍ଚ ଓ ସମିତି ସଭ୍ୟ ସହ ୫୫୦ ୱାର୍ଡ ସଭ୍ୟ ପାଇଁ ମତଦାନ କରୁଛନ୍ତି ଭୋଟର । ତିନିଟି ବ୍ଲକ ଗୁରୁଣ୍ଡିଆ, ଟାଙ୍ଗରପାଲି ଓ ସୁନ୍ଦରଗଡ଼ ସଦରରେ ମୋଟ ୫୫୦ଟି ବୁଥ ହୋଇଛି। ଗୁରୁଣ୍ଡିଆରେ ୧୫୭, ଟାଙ୍ଗରପାଲିରେ ୧୭୯ ଓ ସୁନ୍ଦରଗଡ଼ ସଦର ବ୍ଲକରେ ସର୍ବାଧିକ ୨୧୪ଟି ପୁଲିଂ ବୁଥ୍‌ କରାଯାଇଛି। ଗୁରୁଣ୍ଡିଆରେ ୧୫୭ ବୁଥ୍‌ ମଧ୍ୟରୁ ୩୧ ବୁଥ୍‌ ସମ୍ବେଦନଶୀଳ ଓ ୧୬ଟି ବୁଥ ଅତି ସମ୍ବେଦନଶୀଳ ବୁଥ୍‌ ରହିଛି।ସୁନ୍ଦରଗଡ଼ ସଦରରେ ୮୯ ସମ୍ବେଦନଶୀଳ ଓ ୬୮ ଅତି ସମ୍ବେଦନଶୀଳ ବୁଥ୍‌ ରହିଛି। ସମ୍ବେଦନଶୀଳ ଓ ଅତି ସମ୍ବେଦନଶୀଳ ବୁଥ୍‌ରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ତିନି ବ୍ଲକରେ ମୋଟ ୧ ଲକ୍ଷ ୫୩ ହଜାର ୩୩୦ ଭୋଟର ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇଥିବା ପ୍ରାର୍ଥୀ ଓ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି।

ସମ୍ବନ୍ଧିତ ଖବର