ନବରଙ୍ଗପୁର/ରାଇଘର/ଝରିଗାଁ/ତେନ୍ତୁଳିଖୁଣ୍ଟି: ଦାବି ପୂରଣ ପାଇଁ ଭୋଟ ବର୍ଜନ ଚେତାବନୀ ଦେଇଥିଲେ। ଶେଷରେ ଭୋଟ ବର୍ଜନ କରି ଗଣତନ୍ତ୍ରରେ ନିଜ ଶକ୍ତି ପ୍ରଦର୍ଶନ କରିଛନ୍ତି ଶକ୍ତ ବାର୍ତ୍ତା ଦେଇଛନ୍ତି ନବରଙ୍ଗପୁର ଜିଲ୍ଲାର ଶହ ଶହ ଭୋଟର। ରାଇଘର ବ୍ଲକ ସୀମାନ୍ତରେ ରହିଥିବା ପ୍ରାୟ ୫ଟି ବୁଥ୍‌ରେ ୧୦ଟି ଗାଁର ଲୋକେ ଭୋଟ ଦେଇନାହାନ୍ତି। ଏହିସବୁ ଗାଁର ପାଖାପାଖି ୧ହଜାର ଲୋକ ଆଡାମାଡ଼ମକି ଗାଁରେ ଏକତ୍ରିତ ହୋଇ ଭୋଟ ଶେଷ ଯାଏଁ ଧାରଣାରେ ବସିଥିଲେ। ତେନ୍ତୁଳିଖୁଣ୍ଟି ଓ ଝରିଗାଁର ଗୋଟିଏ ଲେଖାଏଁ ବୁଥ୍‌ରେ ମଧ୍ୟ ଲୋକେ ଆଜି ଭୋଟ ବର୍ଜନ କରିଛନ୍ତି।

Advertisment

ରାଇଘର ବ୍ଲକ ଖୁଡ଼ୁକୁ ପଞ୍ଚାୟତ ଅନ୍ତର୍ଗତ ଆଡାମାଡ଼ମକି, ଲାଲଭଟରାଲି, ଘାଇତାବେଡ଼ା, ମଦନଶ୍ରୀ, ଚିଡ଼େଇପାଣି, ଗଦ୍ରାବାଟି, ଛାପରପାଣି, ତରାଇଡଙ୍ଗରୀ, ମାକଡଟେଣ୍ଡୁ ଓ କେରାଡ଼ିହି ଆଦି ଗାଁର ଲୋକେ ଭୋଟ ଦେଇନାହାନ୍ତି। ଏହିସବୁ ଗାଁର ଲୋକେ ସକାଳୁ ଅଡ଼ମାଡମକି ଗାଁରେ ଏକାଠି ହୋଇ ନାରାବାଜି କରିଥିଲେ। ମୌଳିକ ସୁବିଧାରୁ ବଞ୍ଚିତ ଏବଂ ଜଙ୍ଗଲ ଅଧିକାର ଆଇନର ଖୋଲାଖୋଲି ଉଲ୍ଲଂଘନ ହେଉଥିବା ଅଭିଯୋଗ କରିଥିଲେ। ରାଇଘର ତହସିଲଦାର, ଏବିଡିଓ, କୁନ୍ଦେଇ ଥାନା ଅଧିକାରୀ ପହଁଚି ଲୋକଙ୍କୁ ବୁଝାସୁଝା ପରେ ବି ମାନି ନଥିଲେ। ଲିଖିତ ପ୍ରତିଶ୍ରୁତି ଦାବି କରିଥିଲେ। ସେହିପରି, ରାଜସ୍ୱ ଗ୍ରାମ ମାନ୍ୟତା ଦାବିରେ ଭୋଟ ବର୍ଜନ କରିଛନ୍ତି ଝରିଗାଁ ବ୍ଲକ ବାଣୁଆଗୁଡା ପଞ୍ଚାୟତ କୁହୁରାକୋଟ ଗ୍ରାମବାସୀ। ଏହି ଗାଁର ୨୧୪ ନମ୍ବର ବୁଥ୍‌ ଅଧୀନରେ ୧୦୧୭ଜଣ ଭୋଟର ରହିଛନ୍ତି। ଏହି ଗାଁକୁ ରାଜସ୍ୱ ଗ୍ରାମ ମାନ୍ୟତା ଦାବିରେ ପୂର୍ବରୁ ବହୁବାର ଦାବି ସତ୍ତ୍ବେ ଅଣଦେଖା କରାଯାଇଥିଲା। ଭୋଟ ବର୍ଜନ ଖବର ପାଇ ସ୍ଥାନୀୟ ତହସିଲଦାର ଶଙ୍କର ପଟ୍ଟନାୟକ ଏବଂ ଜୋନାଲ ମାଜିଷ୍ଟ୍ରେଟ ଜି. ଭେଙ୍କେଟ ରେଡ୍ଡି ଦିନତମାମ ଲୋକଙ୍କୁ ବୁଝାସୁଝା କରିଥିଲେ। ତିନିମାସ ମଧ୍ୟରେ ସମାଧାନ ହେବ ବୋଲି ପ୍ରତିଶ୍ରୁତି ଦେଇ ଭୋଟ ନିମନ୍ତେ ଅନୁରୋଧ କରିଥିଲେ। ତଥାପି ଲୋକେ ଜିଦ୍‌ରେ ଅଟଳ ରହିଥିଲେ। ବିଜେଡି ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝୀ ଏବଂ ବିଜେପି ବିଧାୟକ ପ୍ରାର୍ଥୀ ନରସିଂହ ଭତ୍ରା ମଧ୍ୟ ଅନୁରୋଧ କରି ବିଫଳ ହୋଇଥିଲେ।

ରାସ୍ତା ନାହିଁ ତ ଭୋଟନାହିଁ କହି ଭୋଟ ବର୍ଜନ କରିଛନ୍ତି ତେନ୍ତୁଳିଖୁଣ୍ଟି ବ୍ଲକ ଲମତାଗୁଡା ପଞ୍ଚାୟତ ଖୁଣ୍ଟିଆଗୁଡା ଗ୍ରାମବାସୀ। ନିର୍ବାଚନ ପୂର୍ବରୁ ରାସ୍ତା ନହେଲେ ଭୋଟ ବର୍ଜନ ଚେତାବନୀ ଦେଇଥିଲେ। ଏଠାକାର ୬୦୯ଜଣ ଭୋଟର ବୁଥ୍‌କୁ ଯାଇନଥିଲେ। କୋଷାଗୁମୁଡା ବ୍ଲକ ଶଙ୍କର୍ଦ୍ଦା ଗାଁରେ ବନ୍ଦ ଥିବା ସ୍କୁଲ ପୁଣି ଖୋଲିବା ଦାବିରେ ଲୋକେ ସକାଳୁ ଭୋଟ ଦେଇ ନଥିଲେ। ସରପଞ୍ଚ ଓ ବିଡିଓ ଗାଁକୁ ଯାଇ ବୁଝାସୁଝା କରିଥିଲେ। ନିର୍ବାଚନ ପରେ ସ୍କୁଲ ଖୋଲିବାକୁ ସରପଞ୍ଚ ଲିଖିତ ପ୍ରତିଶ୍ରୁତି ଦେବାରୁ ସାଢ଼େ ୩ଟା ପରେ ଲୋକେ ଭୋଟ ଦେଇଥିଲେ। ପାପଡ଼ାହାଣ୍ଡି ବ୍ଲକର ମଇଦଲପୁର ପଞ୍ଚାୟତ ଅନ୍ତର୍ଗତ ଜବାଗୁଡ଼ା ଗ୍ରାମବାସୀ ଭୋଟ ବର୍ଜନ ନିଷ୍ପତ୍ତି ନେଇଥିଲେ। କଂଗ୍ରେସ ପ୍ରାର୍ଥୀ ଡା.ଲିପିକା ମାଝୀ ଲିଖିତ ପ୍ରତିଶ୍ରୁତି ଦେବା ସହ କଂଗ୍ରେସ ସାଂସଦ ପ୍ରାର୍ଥୀ ଭୁଜବଳ ମାଝୀ ଓ ପାପଡ଼ାହାଣ୍ଡି ବିଡିଓ ପହଞ୍ଚି ‌ଆଲୋଚନା କରିବା ପରେ ସାଢ଼େ ୩ଟା ପରେ ଲୋକେ ଭୋଟ ଦେଇଥିଲେ।