ଭୁବନେଶ୍ବର: ଆସନ୍ତାକାଲି ହେବ ପଞ୍ଚାୟତ ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ମତଦାନ । ପୂର୍ବରୁ ୪ଟି ପର୍ଯ୍ୟାୟରେ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ ହୋଇସାରିଥିବା ବେଳେ ଆସନ୍ତାକାଲି ୨୫ ଜିଲ୍ଲାର ୧୩୧ ଜିଲ୍ଲା ପରିଷଦ ଜୋନ ପାଇଁ ନିର୍ବାଚନ ହେବ । ୧୩୧ ଜିଲ୍ଲା ପରିଷଦ ଜୋନରେ ୫୨୦ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଥିବା ବେଳେ ୧୩୫୧୪ ବୁଥରୁ ୨୦୨୭ଟି ବୁଥ ସମ୍ବେଦନଶୀଳ ରହିଥିବା ଜଣାପଡ଼ିଛି । ଏ ନେଇ ସେଠାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ୫ ଜିଲ୍ଲାରେ ନିର୍ବାଚନ ଶେଷ ହୋଇଥିବାରୁ ସେଠାରେ ନିୟୋଜିତ ହୋଇଥିବା ପୁଲିସ ବାହିନୀକୁ ଏହି ୨୫ ଜିଲ୍ଲାରେ ଅତିରିକ୍ତ ଭାବେ ନିୟୋଜିତ କରାଯାଇଛି ।
ହିଂସା ସହ ବିଭିନ୍ନ କାରଣ ପାଇଁ ମତଦାନ ହୋଇପାରି ନଥିବା ୧୦ ଜିଲ୍ଲାର ୪୯ଟି ସ୍ଥାନରେ ଆଜି ପୁଣି ଥରେ ମତଦାନ ହେଉଛି। ବର୍ତ୍ତମାନ ସୁଦ୍ଧା ୪୯ଟି ସ୍ଥାନରେ ଶାନ୍ତି ଶୃଙ୍ଖଳାର ସହ ମତଦାନ ଚାଲିଥିବା ଜଣାପଡ଼ିଛି।
ଅନ୍ୟପକ୍ଷରେ ପୌର ନିର୍ବାଚନ ପାଇଁ ଆଜି ରାଜ୍ୟ ସରକାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଆସନ୍ତାକାଲି ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ ବୋଲି ବିଜ୍ଞପ୍ତିରେ କୁହାଯାଇଛି।
ଗତକାଲି ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟରେ ୭୯ ପ୍ରତିଶତ ମତଦାନ ହୋଇଥିବା ବେଳେ ସୁବର୍ଣ୍ଣପୁରରେ ସର୍ବାଧିକ ୮୬.୫୧ ପ୍ରତିଶତ, ବରଗଡରେ ୮୪ ପ୍ରତିଶତ, ଅନୁଗୁଳରେ ୭୭.୭୫ ପ୍ରତିଶତ, ବାଲେଶ୍ୱରରେ ୭୮ ପ୍ରତିଶତ, ବଲାଙ୍ଗୀରରେ ୮୨.୨ ପ୍ରତିଶତ, ଭଦ୍ରକରେ ୭୭ ପ୍ରତିଶତ, କଟକରେ ୮୦.୬୪ ପ୍ରତିଶତ, ଢେଙ୍କାନାଳରେ ୮୦.୫୯ ପ୍ରତିଶତ, ଗଜପତିରେ ୮୨.୧୭ ପ୍ରତିଶତ, ଗଞ୍ଜାମରେ ୬୫.୨ ପ୍ରତିଶତ, ଜଗତସିଂହପୁରରେ ୮୧ ପ୍ରତିଶତ ମତଦାନ ହୋଇଛି |
ସେହିପରି ଯାଜପୁରରେ ୭୩ ପ୍ରତିଶତ, କଳାହାଣ୍ଡିରେ ୮୦ ପ୍ରତିଶତ, କନ୍ଧମାଳ ଓ ଖୋର୍ଦ୍ଧାରେ ୭୪ ପ୍ରତିଶତ, କେନ୍ଦ୍ରାପଡା ଓ କେଉଁଝରରେ ୭୭ ପ୍ରତିଶତ, କୋରାପୁଟରେ ୮୨ ପ୍ରତିଶତ, ମାଲକାନଗିରିରେ ୭୪ ପ୍ରତିଶତ, ମୟୁରଭଞ୍ଜରେ ୭୫ ପ୍ରତିଶତ, ନବରଙ୍ଗପୁରରେ ୮୩ ପ୍ରତିଶତ ମତଦାନ ହୋଇଛି |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/voting2-1617617633.jpg)