ଗଣତି ପୂର୍ବରୁ ଜିତିଗଲେ ଭୋଟର: ଅନୁଗୁଳରେ ୮୨.୨୭ ପ୍ରତିଶତ ମତଦାନ

ଅନୁଗୁଳ: ସକାଳୁ ସଂଜ ଯାଏ ଖଚାଖଚ ଭିଡ଼। ଖରାତରାକୁ ଖାତିର ନାହିଁ କି ଲମ୍ବା ଧାଡ଼ିକୁ ଭୟ ନାହିଁ। ବରଂ, ନିଜ ସାମ୍ବିଧାନିକ ଅଧିକାର ସାବ୍ୟସ୍ତ କରିବାକୁ ପ୍ରବଳ ଉତ୍ସାହ। ଆଉ ଲମ୍ବା ଅପେକ୍ଷା ପରେ ଭୋଟ ଦେଇଥିବା ଲୋକଙ୍କ ଖୁସି ନ ଦେଖିଲେ ବିଶ୍ବାସ କରିହେବନି। ଅନୁଗୁଳ ଜିଲ୍ଲାରେ ଭୋଟଦାନ ପ୍ରତି ଲୋକଙ୍କର ଏମିତି ଆଗ୍ରହ ଭୋଟ୍‌ହାର ଉପରେ ବଡ଼ ପ୍ରଭାବ ପକାଇଛି। ପ୍ରାରମ୍ଭିକ ଆକଳନ ଅନୁସାରେ ଅନୁଗୁଳ ଜିଲ୍ଲାରେ ୮୨.୨୭ ପ୍ରତିଶତ ମତଦାନ ହୋଇଥିବା ଜଣାପଡ଼ିଛି। ତେବେ ଚୂଡ଼ାନ୍ତ ରିପୋର୍ଟ ଆସିବା ପ‌ରେ ଏହା ଆହୁରି ବଢ଼ିବାର ସମ୍ଭାବନା ରହିଛି। ଗୁରୁତ୍ବପୂର୍ଣ୍ଣ କଥା ହେଲା, ଦୁର୍ଗମ କୁହାଯାଉଥିବା ଆଠମଲ୍ଲିକ, ପାଳଲହଡ଼ା ଓ ଛେଣ୍ଡିପଦାରେ ମତଦାନ ହାର ସବୁଠାରୁ ଅଧିକ।

ଶନିବାର ଅନୁଗୁଳ ଜିଲ୍ଲାରେ ଉଭୟ ଲୋକସଭା ଓ ବିଧାନସଭା ପାଇଁ ଭୋଟଗ୍ରହଣ କରାଯାଇଥିଲା। ମତଦାନ ସମୟରେ ପ୍ରବଳ ଗରମ ଓ ଗୁଳୁଗୁଳିରେ ସନ୍ତୁଳି ହୋଇଥିଲା ଅନୁଗୁଳ। ଖରାର ତେଜ ବି କମ୍‌ ନ ଥିଲା। ଏପଟେ ବହୁ ବୁଥ୍‌ରେ ଇଭିଏମ୍‌ ସମସ୍ୟା ପାଇଁ ମତଦାନ ପ୍ରକ୍ରିୟା ବିଳମ୍ବରେ ଆରମ୍ଭ ହୋଇଥିଲା। କିନ୍ତୁ ଲୋକେ ଧୈର୍ଯ୍ୟ ହରାଇ ନଥିଲେ। ବରଂ, ଇଭିଏମ ଠିକ ହେବା ପର୍ଯ୍ୟନ୍ତ ଧାଡ଼ି ବାନ୍ଧି ଅପେକ୍ଷା କରିଥିଲେ। ନିଜ ପାଳି ପଡ଼ିବା ପର୍ଯ୍ୟନ୍ତ ଜଗି ରହିଥିଲେ। ଖରା ‌ଯେତିକି ବଢ଼ୁଥିଲା, ‌ଧାଡ଼ି ସେତିକି ଲମ୍ବୁଥିଲା। କିଏ ଛତା ଧରି ତ କିଏ ପାଣି ବୋତଲ ଧରି ଟାଣ ଖରାରେ ଅପେକ୍ଷା କରିଥିଲେ। ଦିନ ତମାମ ବୁଥ ଆଗରେ ଏମିତି ଗହଳି ଲାଗି ରହିଥିଲା। ଆଉ ଏହି ଚିତ୍ର ହିଁ ବୟାନ କରୁଛି ଲୋକଙ୍କ ଗଣତନ୍ତ୍ର ଉପରେ ଥିବା ସେମାନଙ୍କ ଆସ୍ଥା ଓ ଭରସାକୁ। ଶୀତତାପ ନିୟନ୍ତ୍ରିତ ଘରେ ବସି ସରକାର ଓ ଶାସନ ବ୍ୟବସ୍ଥାକୁ ସମାଲୋଚନା ନ କରି ନିଜେ ଗଣତାନ୍ତ୍ରିକ ବ୍ୟବସ୍ଥାରେ ସାମିଲ ହେବାକୁ ଲୋକଙ୍କ ଏମିତି ଆଗ୍ରହ ଅନୁଗୁଳକୁ ଗର୍ବିତ କରିଛି। ଖାସ ଏଇଥିପାଇଁ ଆଠମଲ୍ଲିକ ପରି ଆଦିବାସୀ ବହୁଳ ଅଞ୍ଚଳରେ ୮୫.୬୯ ପ୍ରତିଶତ ମତଦାନ ସମ୍ଭବ ହୋଇ ପାରିଛି।

ଅନୁଗୁଳ ଜିଲ୍ଲାର ସମସ୍ତ ୫ଟି ଯାକ ବିଧାନସଭା ପାଇଁ ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟ୍‌ ଗ୍ରହଣ କରାଯାଇଥିଲା। କିନ୍ତୁ କେଉଁଠି ବି ନିର୍ଦ୍ଧାରିତ ସମୟ ଭିତରେ ମତଦାନ ଶେଷ ହୋଇପାରିନଥିଲା। ଭୋଟରଙ୍କ ଭିଡ଼ ପାଇଁ ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ବହୁ ମତଦାନ କେନ୍ଦ୍ରରେ ଭୋଟ୍‌ଗ୍ରହଣ କରାଯାଇଥିଲା। ଏପରିକି କିଛି ବୁଥ୍‌ରେ ରାତି ୧୦ଟା ପର୍ଯ୍ୟନ୍ତ ମତଦାନ ଚାଲିଥିଲା। ଆଠମଲ୍ଲିକ ନିର୍ବାଚନମଣ୍ଡଳୀରେ ସର୍ବାଧିକ ୨୪୯ଟି ବୁଥ୍‌ ରହିଥିଲାବେଳେ ଏଠାରେ ଅନେକ ଦୁର୍ଗମ ଅଞ୍ଚଳ ରହିଛି। ତଥାପି ପାହାଡ଼, ଝରଣା ‌ଡେଇଁ ଚାଲି ଚାଲି ବୁଥପାଖକୁ ଆସିଥିଲେ ଭାରତର ଭାଗ୍ୟ ବିଧାତା କୁହାଯାଉଥିବା ଭୋଟର। ଅନ୍ୟତମ ଦୁର୍ଗମ ପାଳଲହଡ଼ାରେ ରାତି ପର୍ଯ୍ୟନ୍ତ ଭୋଟ ଚାଲିଥିଲାବେଳେ ଏଠାରେ ୮୨.୯୮ ପ୍ରତିଶତ ‌ମତଦାନ ହୋଇଛି। ଛେଣ୍ଡିପଦାରେ ୮୪.୩୬ ପ୍ରତିଶତ ଭୋଟଦାନ ହୋଇଥିଲାବେଳେ ଅନୁଗୁଳରେ ୭୯.୬୫ ପ୍ରତିଶତ ଭୋଟ ପଡ଼ିଛି। ସେହିପରି ତାଳଚେର ବିଧ‌ାନସଭା କ୍ଷେତ୍ରରେ ୭୭.୯୦ ପ୍ରତିଶତ ମତଦାନ ହୋଇଛି। ୨୦୧୯ ନିର୍ବାଚନରେ ପାଳଲହଡ଼ାରେ ସର୍ବାଧିକ ୮୦.୯୪ ପ୍ରତିଶତ ମତଦାନ ହୋଇଥିଲାବେଳେ ତାଳଚେରରେ ୭୧.୪୧, ଅନୁଗୁଳରେ ୭୨.୫, ଛେଣ୍ଡିପଦାରେ ୭୯.୫୬ ଓ ଆଠମଲ୍ଲିକରେ ୭୯.୮୪ ପ୍ରତିଶତ ମତଦାନ ହୋଇଥିଲା।

ଚଳିତ ନିର୍ବାଚନରେ ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରିବାରେ ଆଗୁଆ ଅଛନ୍ତି ଯୁବ ଭୋଟର। ପ୍ରଥମ ଥର ପାଇଁ ଭୋଟ ଦେଇ ବେଶ ଆତ୍ମ ସନ୍ତୋଷ କରିଛନ୍ତି ଯୁବଗୋଷ୍ଠୀ। କେବଳ ସେତିକି ନୁହେଁ, ଏହାକୁ ନେଇ ବେଶ ଗର୍ବ ଅନୁଭବ କରିଛନ୍ତି। ନିର୍ବାଚନୀ କାଳି ଲାଗିଥିବା ଆଙ୍ଗୁଠିର ବୁଥ୍‌ ଆଗରେ ସେଲ୍‌ଫି ଉଠାଇ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଛନ୍ତି। ଖାସ ସେଥିପାଇଁ ସୋସିଆଲ ମିଡିଆର ପୃଷ୍ଠା ସବୁ ନିର୍ବାଚନୀ କାଳିରେ କଳା ହୋଇ ଯାଇଛି। ଏହା ସହ ମହିଳା ଓ ଯୁବତୀମାନେ ମଧ୍ୟ ବେଶ ଆଗ୍ରହର ସହ ଭୋଟ ଦେବାକୁ ଆସିଥିବାରୁ ଭୋଟ ଗଣତି ପୂର୍ବରୁ ଭୋଟର ଓ ଗଣତନ୍ତ୍ରର ବିଜୟ ହୋଇଥିବା ଚର୍ଚ୍ଚା ଚାଲିଛି।

ସମ୍ବନ୍ଧିତ ଖବର